ସ’ଙ୍କୁ ନେଇ ଆର୍ଚରଙ୍କ ଭବିଷ୍ୟବା‌ଣୀ ସତ ହେଲା

ଲଣ୍ଡନ : ଇଂଲଣ୍ଡର ଯୁବ ବୋଲର ଜୋଫ୍ରା ଆର୍ଚର ହୁଏତ ପ୍ରଥମ ଆସେସ୍ ଟେଷ୍ଟ୍‌ରେ ସୁଯୋଗ ପାଇ ନାହାନ୍ତି। ହେଲେ ଭାରତୀୟ ଯୁବ ତାରକା ପୃଥ୍ବୀ ସ’ଙ୍କୁ ନେଇ ସେ ୪ ବର୍ଷ ତଳେ କରିଥିବା ଭବିଷ୍ୟବାଣୀ ସତ ହେବା ପରେ ୨୪ ବର୍ଷୀୟ ଆର୍ଚର ବେଶ୍ ଚର୍ଚାରେ ଅଛନ୍ତି। ସ’ଙ୍କୁ ବିସିସିଆଇ ଶକ୍ତିବର୍ଦ୍ଧକ ସେବନ କରିବା ଅଭିଯୋଗରେ ୮ ମାସ ବାସନ୍ଦ କରିବା ପରେ ଆର୍ଚରଙ୍କ ଏହି ଟ୍ବିଟ୍ ପଦାକୁ ଆସିଛି। ଚାରି ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଆର୍ଚର ଟ୍ବିଟ୍ କରି ହତଭାଗ୍ୟ ସ’ ବୋଲି ଲେଖିଥିଲେ। ତାଙ୍କର ଏହି ଟ୍ବିଟ୍ ପଦାକୁ ଆସିବା ପରେ ଭାରତୀୟ କ୍ରିକେଟ୍ ପ୍ରେମୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। କେତେକ ଭାରତୀୟ କ୍ରିକେଟ୍ ପ୍ରେମୀ ତାଙ୍କୁ କୌତୁକିଆ ପ୍ରଶ୍ନ ପଚାରିଛନ୍ତି। ତୁମେ କେଉଁ ବିଷୟରେ ଭିବଷ୍ୟବାଣୀ କରିନ? ବୋଲି ଜଣେ ପ୍ରଶ୍ନ କରିଥିଲା ବେଳେ ତୁମେ କ’ଣ ଖାଉଛ ବୋଲି ଆଉ ଜଣେ ପଚାରିଛନ୍ତି। ଆର୍ଚରଙ୍କ ଭବିଷ୍ୟବାଣୀ ସତ ହେବାର କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ଇଂଲଣ୍ଡ ଘରୋଇ ମାଟି‌ରେ ବିଶ୍ବକପ୍ ଜିତିବ ବୋଲି ସେ ମଧ୍ୟ ୨୦୧୫‌ରେ ଟ୍ବିଟ୍ କରି ଭବିଷ୍ୟବାଣୀ କରିଥିଲେ। ଯା‌ହା ପୂରା ସତ ହୋଇଥିଲା।

ସମ୍ବନ୍ଧିତ ଖବର