ଜୋହର ବାହରୁ (ମାଲେସିଆ): କ୍ରମାଗତ ୩ (ହ୍ୟାଟ୍ରିକ୍) ବିଜୟ ପରେ ଲଗାତାର ଦୁଇଟି ପରାଜୟ ଭାରତକୁ ଏଠାରେ ଚାଲିଥିବା ଷଡ଼ରାଷ୍ଟ୍ରୀୟ ସପ୍ତମ ସୁଲ୍ତାନ ଜୋହର୍ କପ୍ ହକି ପ୍ରତିଯୋଗିତାରେ ଫାଇନାଲ୍ ଖେଳିବାରୁ ବଞ୍ଚିତ କଲା। ଜାପାନ୍କୁ ୩-୨, ଆୟୋଜକ ମାଲେସିଆକୁ ୨-୧ ଓ ଆମେରିକାକୁ ୨୨-୦ରେ ପରାସ୍ତ କରିବା ପରେ ଭାରତୀୟ ଯୁବ ଦଳ ଅଷ୍ଟ୍ରେଲିଆ ନିକଟରୁ ୩-୪ ଗୋଲ୍ରେ ହାରିଥିଲା। ଫଳରେ ଫାଇନାଲ୍ ଖେଳିବା ପାଇଁ ଭାରତକୁ ଲିଗ୍ ପର୍ଯ୍ୟାୟର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଜିତିବା ଜରୁରି ହୋଇପଡ଼ିଥିଲା। ହେଲେ ଶନିବାରର ‘କର ବା ମର’ ମ୍ୟାଚ୍ରେ ଭାରତୀୟ ଦଳ ଲଢ଼େଇ କରିବା ସତ୍ତ୍ୱେ ଇଂଲଣ୍ଡ ନିକଟରୁ ୧-୨ ଗୋଲ୍ରେ ହାରିଗଲା। ଆରମ୍ଭରୁ ମ୍ୟାଚ୍ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଉଭୟ ଦଳ ସତର୍କତାର ସହ ଖେଳିବାରୁ ପ୍ରଥମ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ୨୦ ମିନିଟ୍ରେ ଟମ୍ ସୋର୍ସବି ପେନାଲ୍ଟି କର୍ନରରୁ ଗୋଲ୍ କରି ଇଂଲଣ୍ଡ୍କୁ ଆଗୁଆ କରିଥିଲେ। ଏହାର ୫ ମିନିଟ୍ ପରେ ରଉସନ୍ କୁମାର (୨୫ ମିନିଟ୍) ଚମତ୍କାର ଫିଲ୍ଡ ଗୋଲ୍ କରି ଭାରତର ସ୍ଥିତି ସମାନ କରିଦେଇଥିଲେ। ଏଥି ସହିତ ମଧ୍ୟାନ୍ତର ୧-୧ ଗୋଲ୍ରେ ଶେଷ ହୋଇଥିଲା। ପ୍ରଥମ କ୍ୱାର୍ଟର ଭଳି ତୃତୀୟ କ୍ୱାର୍ଟର ମଧ୍ୟ ଗୋଲ୍ ଶୂନ୍ୟ ରହିବାରୁ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ପୂର୍ବରୁ ଉଭୟ ଦଳର ସ୍ଥିତି ୧-୧ ରହିଥିଲା। ତେବେ ଶେଷ କ୍ୱାର୍ଟରରେ ଭାରତ କୌଣସି ପ୍ରଭାବ ପକାଇ ପାରିନଥିଲା ବେଳେ ୫୨ ମିନିଟ୍ରେ ଅଧିନାୟକ ଜାକ୍ ଓ୍ଵାଲର୍ ଦଳ ପାଇଁ ଦ୍ୱିତୀୟ ପେନାଲ୍ଟି କର୍ନର ଗୋଲ୍ କରି ଇଂଲଣ୍ଡକୁ ୨-୧ର ଅଗ୍ରଣୀ ଦେଇଥିଲେ। ଅବଶିଷ୍ଟ ୮ ମିନିଟ୍ ମଧ୍ୟରେ ଗୋଲ୍ ଶୁଝିବାର ପ୍ରୟାସ କରିଥିଲେ ମଧ୍ୟ ଭାରତ ସଫଳ ହୋଇନଥିଲା। ତେଣୁ ନିର୍ଧାରିତ ସମୟ ଶେଷରେ ଇଂଲଣ୍ଡ ୨-୧ ଗୋଲ୍ରେ ମ୍ୟାଚ୍ ଜିତିନେଇଥିଲା। ଇଂଲଣ୍ଡ ମଧ୍ୟ ଲିଗ୍ ପର୍ଯ୍ୟାୟରେ ୫ ମ୍ୟାଚ୍ ଖେଳି ଅପରାଜେୟ ରହି ଫାଇନାଲ୍ ପହଞ୍ଚିଥିଲା। ଆସନ୍ତାକାଲି ଫାଇନାଲ୍ରେ ଇଂଲଣ୍ଡର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ।
ଶନିବାର ଅନ୍ୟ ଏକ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୩-୧ ଗୋଲ୍ରେ ଆୟୋଜକ ମାଲେସିଆକୁ ପରାସ୍ତ କରି ୧୨ ପଏଣ୍ଟ ସହ ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ଖେଳିବା ନିଶ୍ଚିତ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ନାଥାନେଲ୍ ଷ୍ଟିଓ୍ଵାର୍ଟ (୧୫ ମିନିଟ୍), ଜାକୋବ୍ ଆଣ୍ଡରସନ୍ (୩୩ ମିନିଟ୍) ଓ ଆଣ୍ଡରୁ ସ୍କାନ୍ଲନ୍ (୫୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲା ବେଳେ ମାଲେସିଆ ପାଇଁ ଏକମାତ୍ର ଗୋଲ୍ଟି ମହମ୍ମଦ ଆବୁ କମଲ୍ (୫୧ ମିନିଟ୍) ଶୁଝି ଦେଇଥିଲେ। ଅନ୍ୟପକ୍ଷରେ ଉଭୟ ପରାଜିତ ଦଳ ଭାରତ ଓ ମାଲେସିଆ ରବିବାର ଫାଇନାଲ୍ ପୂର୍ବରୁ ତୃତୀୟ ସ୍ଥାନ ତଥା କାଂସ୍ୟ ପଦକ ପାଇଁ ମୁହାଁମୁହିଁ ହେବେ। ଲିଗ୍ ପର୍ଯ୍ୟାୟରେ ମାଲେସିଆକୁ ୨-୧ ଗୋଲ୍ରେ ହରାଇଥିବାରୁ ରବିବାର ମ୍ୟାଚ୍ରେ ଭାରତର ବିଜୟ ସମ୍ଭାବନା ଅଧିକ ରହିଛି। ପ୍ରତିଯୋଗିତାର ଅବଶିଷ୍ଟ ଦୁଇ ଦଳ ଜାପାନ ଓ ଆମେରିକା ରବିବାର ମଧ୍ୟ ପଞ୍ଚମ ସ୍ଥାନ ପାଇଁ ମୁକାବିଲା କରିବେ।