ଜୋହର୍‌ କପ୍‌ରେ ଭାରତର ବିଜୟ ଜାରି

ଜୋହର ବାହରୁ (ମାଲେସିଆ): ମାଲେସିଆର ଜୋହର ବାହରୁଠାରେ ଚାଲିଥିବା କନିଷ୍ଠ ଜୋହର୍‌ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଯୁବ ଦଳ (୨୧ ବର୍ଷରୁ କମ୍‌)ର ବିଜୟ ଧାରା ଜାରି ରଖିଛି। ରବିବାର ୩-୨ରେ ଜାପାନକୁ ହରାଇ ଅଭିଯାନ ଆରମ୍ଭ କରଥିବା ଭାରତ ସୋମବାର ଆୟୋଜକ ମାଲେସିଆକୁ ୨-୧ ଗୋଲ୍‌ରେ ହରାଇ ଦେଇଛି। ଗତ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ମଧ୍ୟ ଦୀଲ୍‌ପ୍ରୀତ୍‌ ସିଂହ ଯୁଗଳ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ମାଲେସିଆକୁ ପେନାଲ୍‌ଟି ମିଳିଥିଲା।

ଏହାକୁ ଫିର୍‌ଦାସ ଓମାର ସଫଳତା ସହ ଗୋଲ୍‌ରେ ପରିଣତ କରି ପ୍ରଥମ କ୍ୱାର୍ଟର୍‌ରେ ଦଳକୁ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟର୍‌ରେ ଦୀଲ୍‌ପ୍ରୀତ୍‌ (୨୦ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ ଜରିଆରେ ଭାରତ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲା। ୪୩ ମିନିଟ୍‌ରେ ଆଉ ଏକ ଫିଲ୍ଡ ଗୋଲ୍‌ ଦେଇ ଦୀଲ୍‌ପ୍ରୀତ୍‌ ସ୍ଥିତି ଭାରତ ସପକ୍ଷରେ ୨-୧ କରିନେଇଥିଲେ। ଚତୁର୍ଥ କ୍ୱାର୍ଟର୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବା ପରେ ମ୍ୟାଚ୍‌କୁ ଭାରତ ସେହି ସ୍କୋର ଲାଇନ୍‌ରେ ଜିତି ଅପରାଜୟ ରହିଥିଲା। ବୁଧବାର ଭାରତ ତା’ର ପରବର୍ତୀ ମ୍ୟାଚ୍‌ ଆମେରିକା ସହ ଖେଳିବ। ରବିବାର ଖେଳା ଯାଇଥିବା ଅନ୍ୟ ମ୍ୟାଚ୍‌ ଗୁଡ଼ିକରେ ଅଷ୍ଟ୍ରେଲିଆ ୪-୦ରେ ଜାପାନ୍‌କୁ ଏବଂ ଗ୍ରେଟ୍‌ ବ୍ରିଟେନ୍‌ ୧୧-୦ରେ ଆମେରିକାକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର