କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଜନ୍‌ସନ୍‌

ପର୍ଥର୍: ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ ଜନ୍‌ସନ୍‌ ସମସ୍ତ ପ୍ରକାର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଗଲେ। ଏହି ୩୬ ବର୍ଷ ବୟସ୍କ ୨୦୧୫ ନଭେମ୍ବରରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଯାଇଥିଲେ। ଏହାପରେ ସେ କେବଳ ଟେ୍ଵଣ୍ଟି-୨୦ ଲିଗ୍‌ ଖେଳୁଥିଲେ। ଶେଷଥର ପାଇଁ ମଧ୍ୟ ସେ ଚଳିତ ବର୍ଷର ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଥିଲେ। ହେଲେ ରବିବାର ସେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଗଲେ ବୋଲି ଘୋଷଣା କରିଛନ୍ତି। କ୍ରିକେଟ୍‌ ଖେଳିବା ସରିଗଲା। ମୁଁ ମୋର ଫାଇନାଲ୍‌ ଓଭର ବୋଲିଂ କରିସାରିଛି। ଅନ୍ତିମ ଓ୍ଵିକେଟ୍‌ ମଧ୍ୟ ଦଖଲ କରିସାରିଛି। ଆଉ ଆଜି ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କଲି ବୋଲି ଜନ୍‌ସନ୍‌ ନିଜର ଏକ ସ୍ତମ୍ଭରେ ପ୍ରକାଶ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବା ପରଠୁ ଜନ୍‌ସନ୍‌ ୩୩ ଟେ୍ଵଣ୍ଟି-୨୦ ଲିଗ୍‌ ମ୍ୟାଚ୍‌ରୁ ୩୧ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଆଇପିଏଲ୍‌ ବ୍ୟତୀତ ଜନ୍‌ସନ୍‌ ଅଷ୍ଟ୍ରେଲିଆର ବିଗ୍‌ବାସ୍‌ ଲିଗ୍‌ (ବିବିଏଲ୍‌) ଏବଂ ପାକିସ୍ତାନ ସୁପର ଲିଗ୍‌ ମଧ୍ୟ ଖେଳୁଥିଲେ। ବିବିଏଲ୍‌ରେ ସେ ୧୯ ମ୍ୟାଚ୍‌ରୁ ୨୦ ଓ୍ଵିକେଟ୍‌ ଦଖଲ କରିଥିଲେ। ସେ ମଧ୍ୟ ୨୦୧୬-୧୭ ଋତୁର ବିଜେତା ପର୍ଥ ସ୍କୋର୍ଚର୍ସ ଦଳର ସଦସ୍ୟ ଥିଲେ। ସେହିବର୍ଷ ସେ ୯ ମ୍ୟାଚ୍‌ରୁ ୧୩ ଓ୍ଵିକେଟ୍‌ ନେଇ ସର୍ବାଧିକ ଓ୍ଵିକେଟ୍‌ ଦଖଲକାରୀ ବୋଲର ହୋଇଥିଲେ। ଆସନ୍ତାବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ ବିଭିନ୍ନ ଦେଶ ପକ୍ଷରୁ ଆୟୋଜିତ ହେଉଥିବା ଟେ୍ଵଣ୍ଟି-୨୦ ଲିଗ୍‌ ଖେଳିବାର ଆଶା ରଖିଥିଲି। ମାତ୍ର ଶରୀର ଆଉ ଅନୁମତି ଦେଉନଥିବାରୁ ଅବସର ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ବୋଲି ଜନ୍‌ସନ୍‌ ସ୍ପଷ୍ଟ କରିଦେଇଛନ୍ତିି। ମୁଁ ଯଦି ଶତପ୍ରତିଶତ ଫିଟ୍‌ ହୋଇ ଖେଳିନପାରିବି, ତାହାଲେ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବିନି। ତେଣୁ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। କ୍ରିକେଟ୍‌ରୁ ସଂପୂର୍ଣ୍ଣ ଦୂରେଇ ଯିବା ପରେ ମୁଁ ଏବେ ଜୀବନର ଅବଶିଷ୍ଟ ସମୟ ଶାନ୍ତିରେ ବିତାଇପାରିବି ବୋଲି ଜନ୍‌ସନ୍‌ କହିଛନ୍ତି। ଜନ୍‌ସନ୍‌ ୭୩ ଟେଷ୍ଟ୍‌ରୁ ୩୧୩ ଏବଂ ଦିନିକିଆରେ ୨୩୯ ଓ୍ଵିକେଟ୍‌ ନିଜ ନାମରେ ରଖିଛନ୍ତିି। ଟେଷ୍ଟରେ ଗୋଟିଏ ଶତକ ବ୍ୟତୀତ ୧୧ ଅର୍ଧଶତକ ଜମାଇଛନ୍ତି।

ସମ୍ବନ୍ଧିତ ଖବର