ନୂଆଦିଲ୍ଲୀ : ବାମହାତୀ ବ୍ୟାଟର ଋଷଭ ପନ୍ତ୍ ଚଳିତ ଆଇପିଏଲ୍ରେ ଖେଳିବେନି। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ୍ଗୁଡ଼ିକରେ ସେ ଡଗ୍ଆଉଟ୍ କିମ୍ବା ଚେଞ୍ଜିଂ ରୁମ୍ରେ ଉପସ୍ଥିତ ରୁହନ୍ତୁ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଆଶାବ୍ୟକ୍ତ କରିଛନ୍ତି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ରେ ଅଭ୍ୟାସ ଶିବିରରେ ଦଳକୁ ପଣ୍ଟିଂ ପ୍ରସ୍ତୁତ କରୁଛନ୍ତି। ଅଭ୍ୟାସ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦଳର ନେତୃତ୍ବ ବିଷୟରେ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ତାହାର ଜବାବରେ ପଣ୍ଟିଂ କହିଥିଲେ ଯେ, ସେ ଏସଂପର୍କରେ ନିୟମିତ ପନ୍ତ୍ଙ୍କ ସହିତ ଆଲୋଚନା କରୁଛନ୍ତି। ତାଙ୍କୁ ଚଳିତ ଋତୁରେ ଦଳ ସହିତ ଯୋଡ଼ି ହୋଇ ରହିବାକୁ ଅନୁରୋଧ କରିଛୁ। ସବୁ ମ୍ୟାଚ୍ରେ ନଆସିପାରିଲେ ବି ଘରୋଇ ମ୍ୟାଚ୍ଗୁଡ଼ିକରେ ସେ ଷ୍ଟାଡିୟମ୍ରେ ନିଶ୍ଚିତ ଉପସ୍ଥିତ ରୁହନ୍ତୁ ବୋଲି ଆମେ ଚାହୁଁଛୁ। ତେବେ ତାଙ୍କ ଅନୁପସ୍ଥିତିରେ ଡେଭିଡ୍ ୱାର୍ଣ୍ଣର ଦଳର ନେତୃତ୍ବ ନେବେ। ପୂର୍ବରୁ ମଧ୍ୟ ଅନ୍ୟ ଫ୍ରାଞ୍ଚାଇଜମାନଙ୍କ ସହିତ ଥିଲା ବେଳେ ସେ ନେତୃତ୍ବ ନେଇଛନ୍ତି। ତେଣୁ ଦଳର ଭାର ନିଜ କାନ୍ଧକୁ ନେବା ପାଇଁ ୱାର୍ଣ୍ଣର ଉତ୍ସାହିତ ଥିବା ପଣ୍ଟିଂ କହିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସର ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲିଙ୍କ ଉପରେ ସେ କହିଛନ୍ତି ଯେ ତାଙ୍କ ସହିତ ଦଳକୁ ଆସିଥିବା ଖେଳାଳିମାନଙ୍କ ବିଷୟରେ ଆଲୋଚନା କରିଛୁ। ମ୍ୟାଚ୍ଗୁଡ଼ିକରେ ଦଳର ଗଠନ କେମିତି ହେବ, କିଏ କିପରି ରହିବ, ବୋଲିଂ ଲାଇନ୍ କଣ ହେବା ଉଚିତ୍ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଛି। ସୌରଭ ମଧ୍ୟ ଅଭ୍ୟାସ ବେଳେ ନୂଆ ଖେଳାଳିମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେଉଛନ୍ତି। ୨୦୧୯ରେ ଆମେ ଏକାଠି କାମ କରିଛୁ ଓ ଅନେକ ମ୍ୟାଚ୍ ଜିତିଛୁ ବୋଲି ପଣ୍ଟି ପ୍ରତିକ୍ରିୟା ରଖିଥିଲେ। ତେବେ ଚଳିତ ସଂସ୍କରଣରେ ପୁଣି ଥରେ ଘରେ ଓ ବାହାରେ ମ୍ୟାଚ୍ ଖେଳାଯିବା ନିୟମ ଫେରିଥିବାରୁ ଏହି ଅଷ୍ଟ୍ରେଲୀୟ କିଂବଦନ୍ତି ଉତ୍ସାହିତ ହୋଇଛନ୍ତି। ବାରମ୍ବାର ବିଭିନ୍ନ ସ୍ଥାନକୁ ଗସ୍ତ କରିବାରେ ଖେଳାଳିମାନେ ବ୍ୟସ୍ତ ହୋଇଯିବେ। କିନ୍ତୁ ଫ୍ରାଞ୍ଚାଇଜ କ୍ରିକେଟ୍ରେ ଏହା ଏକ ଅଂଶ। ତାଙ୍କ ମତରେ ଅଧିକ ଗସ୍ତ କରିବା ଦ୍ବାରା ପ୍ରତିଯୋଗିତାର ମ୍ୟାଚ୍ଗୁଡ଼ିକ ମଧ୍ୟ ଅଧିକ ରୋମାଞ୍ଚଭରା ହୋଇପାରିବ। ଏପରିକି ବିଭିନ୍ନ ସ୍ଥାନରେ ଖେଳିବା ଦ୍ବାରା ଅନେକ ପ୍ରକାରର ଫ୍ୟାନ୍ ଗ୍ରୁପ୍ଙ୍କ ଆଗରେ ନିଜ ଦକ୍ଷତା ଦେଖାଇବାକୁ ସୁଯୋଗ ମିଳିବ ବୋଲି ପଣ୍ଟିଂ ଜବାବ ରଖିଛନ୍ତି।