ସୁପର ଲିଗ୍‌ରେ ସାମିଲ ହେବା ମହଙ୍ଗା ପଡ଼ିଲା, ୯ କ୍ଲବ୍ ବିରୋଧରେ ଆର୍ଥିକ ପ୍ରତିବନ୍ଧକ ଲଗାଇଲା ୟୁଫା

ପ୍ୟାରିସ୍: ବିଦ୍ରୋହୀ ପ୍ରତିଯୋଗିତା ‘ସୁପର ଲିଗ୍‌’ ଆୟୋଜନରେ ସାମିଲ ହେବା ଟୋଟେନହାମ, ଆର୍ସେନାଲ, ମାଞ୍ଚେଷ୍ଟର ସିଟି, ମାଞ୍ଚେଷ୍ଟର ୟୁନାଇଟେଡ୍, ଚେଲସି, ଲିଭରପୁଲ୍, ଆଟଲେଟିକୋ ମାଦ୍ରିଦ, ଇଣ୍ଟର ମିଲାନ ଓ ଏସି ମିଲାନ ଭଳି ୟୁରୋପ ମହାଦେଶର ୯ଟି ଲୋକପ୍ରିୟ ଫୁଟ୍‌ବଲ୍ କ୍ଲବ୍ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଣସ୍ବୀକୃତ ପ୍ରତିଯୋଗିତାର ଅଂଶବିଶେଷ ହୋଇଥିବା ୧୨ ଦଳ ମଧ୍ୟରୁ ଏହି ୯ ଦଳ ନିଜ କଲା କର୍ମ ପାଇଁ କ୍ଷମା ମାଗିବା ସହ ଦୋଷ ସ୍ବୀକାର କରିବା ପରେ ୟୁରୋପୀୟ ଫୁଟବଲ୍ ମହାସଂଘ (ୟୁଫା) ସେମାନଙ୍କୁ ଆର୍ଥିକ ଦଣ୍ଡ ଦେଇ କ୍ଷମା କରିଦେଇଛି। ତେବେ ୯ଟି ଯାକ କ୍ଲବ୍ ମିଳିତ ଭାବେ ଆଗକୁ ୟୁଫା ନିୟମକୁ ମାନିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ବଡ଼ ଆର୍ଥିକ ଦଣ୍ଡରୁ ବର୍ତ୍ତି ଯାଇଛନ୍ତି। ତଥାପି ୟୁଫା ସେମାନଙ୍କୁ ଗୋଟିଏ ଋତୁରେ ମିଳୁଥିବା ମୋଟ ରାଜସ୍ବର ୫ ପ୍ରତିଶତ ଜରିମାନା କରିଛି।

ୟୁଫା ଶୃଙ୍ଖଳା ସମିତିରେ ଏହି ବିଷୟ ଚର୍ଚ୍ଚା ହେବା ପରେ ବିଦ୍ରୋହୀ କ୍ଲବ୍‌ଗୁଡ଼ିକୁ ପୁଣି ଥରେ ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ‌ତେବେ ୫ ପ୍ରତିଶତ ଜରିମାନା କରାଯାଇଥିଲା। ଯାହାକୁ କ୍ଲବ୍‌ଗୁଡ଼ିକ ମାନି ନେଇଥିଲେ। ସୁପର ଲିଗ୍‌ରେ ଥିବା ଅନ୍ୟ ତିନିଟି ଦଳ ବାର୍ସେଲୋନା, ରିଅଲ ମାଦ୍ରିଦ ଓ ଜୁଭେଣ୍ଟସ୍ କିନ୍ତୁ ୟୁଫା ପ୍ରସ୍ତାବକୁ ଏପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି। ଫଳରେ ସେମାନଙ୍କ ବିରୋଧରେ ଭବିଷ୍ୟତରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ସଙ୍କେତ ୟୁଫା ଦେଇଛି। ଏହି ତିନିଟି କ୍ଲବ୍‌କୁ ଅନ୍ୟୂନ ୨ବର୍ଷ ବାସନ୍ଦ କରିବାକୁ ୟୁଫା ଚିନ୍ତା କରୁଛି। ତେବେ ଏହି କ୍ଷେତ୍ରରେ ମାଦ୍ରିଦର ଏକ ଅଦାଲତ ଦେଇଥିବା ରାୟ ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଏହି କ୍ଲବ୍‌ଗୁଡ଼ିକ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁପର ଲିଗ୍‌କୁ ବନ୍ଦ କରିବାର ଯେ କୌଣସି ପଦକ୍ଷେପ ଉପରେ ସଂପୃକ୍ତ ଅଦାଲତ ରହିତାଦେଶ ଜାରି କରିଛି। ଫଳରେ ୟୁଫା ସହ ବିଶ୍ବ ଫୁଟ୍‌ବଲ୍ ମହାସଂଘ ‘ଫିଫା’ର ହାତ ବି ଏବେ ବାନ୍ଧି ହୋଇଯାଇଛି। ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ୟୁଫା ମଧ୍ୟ ଉପର ଅଦାଲତକୁ ଯିବାର ସଙ୍କେତ ଦେଇଛି।

ସମ୍ବନ୍ଧିତ ଖବର