ଅଧାରୁ ଓହରିଲେ ନାଦାଲ: ଫାଇନାଲ୍‌ରେ ଜୋକୋଭିକ୍‌-ଡେଲ୍‌ ପୋଟ୍ରୋ

ନ୍ୟୁୟର୍କ: ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଗତଥରର ବିଜେତା ସ୍ପେନ୍‌ ତାରକା ରାଫେଲ ନାଦାଲ ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିିମ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ପୁରୁଷ ଏକକ ବର୍ଗ ସେମିଫାଇନାଲ୍‌ରୁ ଦୁଃଖଦ ବିଦାୟ ନେଇଛନ୍ତି। ଜାପାନର କେଇ ନିଶିକୋରି ମଧ୍ୟ ଅଟକି ଯାଇଛନ୍ତି। ଫଳରେ ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଓ ଆର୍ଜେଣ୍ଟିନାର ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟ୍ରୋ ଟ୍ରଫି ପାଇଁ ମୁହାଁମୁହିଁ ହେବେ। ୧୦ ବର୍ଷ ଧରି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ୧୪ ଥର ମୁକାବିଲା ହୋଇଥିଲା ବେଳେ ଡେଲ୍‌ ପୋଟ୍ରୋଙ୍କ ବିପକ୍ଷରେ ଜୋକୋଭିକ୍‌ଙ୍କ ସଫଳତା ହାର ୧୪-୪ ରହିଛି। ପୁଣି ୟୁଏସ୍‌ ଓପନ୍‌ରେ ଡେଲ୍‌ ପୋଟ୍ରୋଙ୍କ ବିପକ୍ଷରେ ଜୋକୋଭିକ୍‌ ମଧ୍ୟ ଦୁଇ ଥର (୨୦୦୭ ଓ ୨୦୧୨) କୌଣସି ସେଟ୍‌ ନହାରି ମୁକାବିଲା ଜିତିଛନ୍ତି। ଏହି ଦୃଷ୍ଟିରୁ ୨୦୧୧ ଓ ୨୦୧୫ରେ ବିଜେତା ହୋଇଥିବା ଜୋକୋଭିକ୍‌ଙ୍କ ପାଇଁ ତୃତୀୟ ଥର ୟୁଏସ୍‌ ଓପନ୍‌ ଟ୍ରଫି ଜିତିବାର ସମ୍ଭାବନା ଅଧିକ ରହିଛି। ଅବଶ୍ୟ ଉଭୟେ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ରେ ପରସ୍ପର ପ୍ରଥମ ଥର ଲାଗି ମୁହାଁମୁହିଁ ହେବେ। ଜୋକୋଭିକ୍‌ ଜିତିଲେ, ଚତୁର୍ଦଶ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ପାଇ ଆମେରିକାର ପିଟ୍‌ ସାମ୍ପ୍ରାସ୍‌ଙ୍କ ସମକକ୍ଷ ହେବେ। ଶୁକ୍ରବାର ସେମିଫାଇନାଲ୍‌ରେ ୨୧ତମ ମାନ୍ୟତା ନିଶିକୋରିଙ୍କ ବିପକ୍ଷରେ ଷଷ୍ଠ ମାନ୍ୟତା ଜୋକୋଭିକ୍‌ଙ୍କୁ ବିଜୟ ପାଇଁ ବେଶି କିଛି କଷ୍ଟ କରିବାକୁ ପଡ଼ିନଥିଲା। ସେ ସିଧାସଳଖ ୬-୩, ୬-୪ ଓ ୬-୨ ସେଟ୍‌ରେ ଚଳିତ ବର୍ଷର ଓ୍ଵିମ୍ବିଲଡନ୍‌ ବିଜେତା ନିଶିକୋରିଙ୍କୁ ପରାସ୍ତ କରି ଏଠାରେ ଅଷ୍ଟମ ଏବଂ ମୋଟ ଉପରେ ତାଙ୍କ ଗ୍ରାଣ୍ଡ୍‌ ସ୍ଲାମ୍‌ ଜୀବନର ୨୩ତମ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଅନ୍ୟ ସେମିଫାଇନାଲ୍‌ରେ ଡେଲ୍‌ ପୋଟ୍ରୋଙ୍କ ବିପକ୍ଷରେ ଶୀର୍ଷ ମାନ୍ୟତା ନାଦାଲ ପ୍ରଥମ ଦୁଇ ସେଟ୍‌ ହାରିଯାଇଥିଲେ। ପ୍ରଥମ ସେଟ୍‌କୁ ୬-୭ ଓ ଦ୍ୱିତୀୟ ସେଟ୍‌କୁ ୨-୬ରେ ହାରିବା ପରେ ତୃତୀୟ ସେଟ୍‌ ଆରମ୍ଭରୁ ହିଁ ଓହରି ଯାଇଥିଲେ। ପୂର୍ବରୁ କେବେ ବି ୟୁଏସ୍‌ ଓପନ୍‌ର କୌଣସି ମ୍ୟାଚ୍‌ରୁ ଓହରି ନଥିବା ନାଦାଲ ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ଖେଳିବା ସମ୍ଭବ ହୋଇନଥିଲା। ଅବଶ୍ୟ ଦ୍ୱିତୀୟ ଥର ପାଇଁ ସେ ଚଳିତ ବର୍ଷ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ର ଏକ ମ୍ୟାଚ୍‌ରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଜାନୁଆରିରେ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ମାରିନ୍‌ ସିଲିକ୍‌ଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରୁ ମଧ୍ୟ ନାଦାଲ ଓହରି ଯାଇଥିଲେ। ଏଥର ୟୁଏସ୍‌ ଓପନ୍‌ରୁ ଓହରିଯିବା ପରେ ଡେଲ୍‌ ପୋଟ୍ରୋ ବିଜୟୀ ହୋଇ ୨୦୦୯ ପରେ ପ୍ରଥମ ଥର ଲାଗି ଫ୍ଲସିଙ୍ଗ୍‌ ମିଡୋରେ ଫାଇନାଲ୍‌ ଖେଳିବା ସୁଯୋଗ ପାଇଲେ।

ସମ୍ବନ୍ଧିତ ଖବର