ଜୋକୋଭିକ୍‌, ନାଦାଲ, ହାଲେପ, କେର୍ବର୍‌ ତୃତୀୟ ପର୍ଯ୍ୟାୟରେ

ଲଣ୍ଡନ୍‌: ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ‘ଓ୍ଵିମ୍ବଲ୍‌ଡନ୍‌’ ପ୍ରତିଯୋଗିତାର ଚତୁର୍ଥ ଦିନରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିନି। ପୁରୁଷ ଏକକରେ ଦୁଇ ପୂର୍ବତନ ଶୀର୍ଷ ଖେଳାଳି ନୋଭାକ ଜୋକୋଭିକ୍‌ ଓ ରାଫେଲ୍‌ ନାଦାଲ୍‌ଙ୍କ ସହ ପଞ୍ଚଦଶ ମାନ୍ୟତା ନିକ କିର୍ଗିସ୍‌ ସହଜ ବିଜୟ ପାଇ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୩ ଥର ଓ୍ଵିମ୍ବଲ୍‌ଡନ୍‌ ବିଜେତା ସର୍ବିଆର ଜାକୋଭିକ୍‌ ୬-୧, ୬-୨, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ହୋରାସିଓ ଜେବାଲସ୍‌ଙ୍କୁ ଏବଂ ଦୁଇଥରର ବିଜେତା ତଥା ଦ୍ୱିତୀୟ ମାନ୍ୟତା ସ୍ପେନ୍‌ ଖେଳାଳି ନାଦାଲ୍‌ ୬-୪, ୬-୩, ୬-୪ ସେଟ୍‌ରେ କାଜକସ୍ତାନର ମିଖାଲି କୁକୁସ୍କିନ୍‌ଙ୍କୁ ପରାସ୍ତ କରିଥିଲେ। ସେହିଭଳି ଆମେରିକାର କିର୍ଗିସ୍‌ ୬-୩, ୬-୪, ୭-୫ ସେଟ୍‌ରେ ନେଦରଲାଣ୍ଡ୍‌ର ରବିନ୍‌ ହାସେଙ୍କୁ ହରାଇଥିଲେ।

ମହିଳା ଏକକରେ ଶୀର୍ଷ ମାନ୍ୟତା ସିମୋନା ହାଲେପ୍‌, ଏକାଦଶ ମାନ୍ୟତା ଆଞ୍ଜେଲିକ କେର୍ବର୍‌, ଚତୁର୍ଦଶ ମାନ୍ୟତା ଦାରିଆ କାସତକିନା, ପଞ୍ଚଦଶ ମାନ୍ୟତା ଏଲିସ୍‌ ମର୍ତେନ୍ସ ବିଜୟ ସହ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ସଦ୍ୟ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ରୋମାନିଆର ହାଲେପ୍‌ ୭-୫, ୬-୦ ସେଟ୍‌ରେ ଚୀନ୍‌ର ସାଇସାଇ ଝେଙ୍ଗ୍‌ଙ୍କୁ, ଜର୍ମାନିର କେର୍ବର ୩-୬, ୬-୨, ୬-୪ ସେଟ୍‌ରେ ଆମେରିକାର କ୍ଲାରେ ଲିଉଙ୍କୁ, ରୁଷିଆର କାସତକିନା ୬-୨, ୬-୩ ସେଟ୍‌ରେ କାଜକସ୍ତାନର ୟୁଲିଆ ପୁତିନତ୍ସବାଙ୍କୁ, ବେଲ୍‌ଜିୟମର ମର୍ତେନ୍ସ ୬-୧, ୬-୩ ସେଟ୍‌ରେ ଆମେରିକାର ସାଚିଆ ଭିକେରିଙ୍କୁ ହରାଇଥିଲେ।

ବୋପାନ୍ନା, ଶରନ୍‌, ବାଲାଜୀ-ବର୍ଧନ ଆଗେଇଲେ
ଓ୍ଵିମ୍ବଲ୍‌ଡନ୍‌ରେ ଗୁରୁବାର ଭାରତକୁ ମିଶ୍ର ଫଳ ମିଳିଛି। ପୁରୁଷ ଯୁଗଳରେ ରୋହନ ବୋପାନ୍ନା, ଦିଭିଜ ଶରନ୍‌ ଏବଂ ଏନ୍‌ ଶ୍ରୀରାମ ବାଲାଜୀ ଓ ବିଷ୍ଣୁ ବର୍ଧନ ଯୋଡ଼ି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଫ୍ରାନ୍‌ସର ରୋଜର ଏଡୁଓ୍ଵାର୍ଡୋ ଭାସେଲିନ୍‌ ଓ ବୋପାନ୍ନା ୬-୨, ୬-୨, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆ ଯୋଡ଼ି ଆଲେକ୍ସ ଡି’ମିନୌର ଓ ଜନ୍‌ ମିଲ୍‌ମାନ୍‌ଙ୍କୁ, ନ୍ୟୁଜିଲାଣ୍ଡର ଅର୍ତେମ ସିତକ ଓ ଶରନ୍‌ ୭-୬, ୬-୭, ୬-୩, ୬-୨ ସେଟ୍‌ରେ ଟ୍ୟୁନିସିଆ-ମୋଲ୍‌ଦଭ ଯୋଡ଼ି ମାଲିକ ଜାଜିରି ଓ ରାଦୁ ଆଲ୍‌ବର୍ଟଙ୍କୁ ଏବଂ ବାଲାଜୀ-ବର୍ଦ୍ଧନ ୭-୬, ୬-୪, ୭-୬ ସେଟ୍‌ରେ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ୍‌ର ମାର୍କସ ଡାନିଏଲ୍‌ ଓ ଓ୍ଵିସ୍‌ଲେ କୁଲ୍‌ହୋଫ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ଆମେରିକାର ଅଷ୍ଟିନ୍‌ କ୍ରାଜିସେକ୍‌ଙ୍କୁ ସାଥୀ କରି ଖେଳୁଥିବା ଜୀବନ ନେଦୁଞ୍ଚେଝିଆନ୍‌ ୬-୭, ୬-୭, ୬-୭ ସେଟ୍‌ରେ ନେଦରଲାଣ୍ଡ୍‌ ଯୋଡ଼ି ସାନ୍ଦର ଆରେଣ୍ଡ୍‌ସ ଓ ମାତେଓ୍ଵ ମିଡିଲ୍‌କୁପ୍‌ଙ୍କଠୁ ହାରି ପ୍ରଥମ ପର୍ଯ୍ୟାୟରୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର