ଜୋକୋଭିକ୍‌, ଭେରେଭ୍‌ ବିଦା, ଥିମ୍‌-ସେଚିନାଟୋ ସେମିଫାଇନାଲ୍‌

ପ୍ୟାରିସ୍‌: ପୂର୍ବତନ ଶୀର୍ଷ ମାନ୍ୟତା ନୋଭାକ୍‌ ଜୋକୋଭିକ୍‌ଙ୍କ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫ୍ରେଞ୍ଚ୍‌ ପୁରୁଷ ଏକକରୁ ଅଭିଯାନ ଶେଷ ହୋଇଯାଇଛି। ମଙ୍ଗଳବାର କ୍ୱାର୍ଟର ଫାଇନାଲ୍‌ରେ ଏଠାରେ ବିଂଶତମ ମାନ୍ୟତାପ୍ରାପ୍ତ ଏହି ସର୍ବିଆ ତାରକା ୪ ସେଟ୍‌ ଲଢ଼େଇ କରିବା ପରେ ଅଣମାନ୍ୟତା ଇଟାଲି ତାରକା ମାର୍କୋ ସେଚିନାଟୋଙ୍କ ନିକଟରୁ ହାରିଗଲେ। ସେଚିନାଟେ ପ୍ରଥମ ଦୁଇ ସେଟ୍‌କୁ ୬-୩ ଓ ୭-୬ ସେଟ୍‌ରେ ଜିତି ଜୋକୋଭିକ୍‌ଙ୍କୁ ଚାପରେ ରଖିଥିଲେ। ହେଲେ ତୃତୀୟ ସେଟ୍‌କୁ ୬-୧ରେ ଜିତି ଜୋକୋଭିକ୍‌ ଆଶା ବଢ଼ାଇଥିଲେ। ମାତ୍ର ଚତୁର୍ଥ ସେଟ୍‌ରେ ଜୋକୋଭିକ୍‌ ୬-୭ରେ ହାରିଯିବାରୁ ସେଚିନୋଟା ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଥିଲେ। ଜୋକୋଭିକ୍‌ଙ୍କ ବିପକ୍ଷ ବିଜୟ ପରେ ସେଚିନାଟୋ ଆତ୍ମବିଭୋର ହୋଇପଡ଼ିଥିଲେ। ସେମିରେ ସେଚିନାଟୋଙ୍କ ମୁକାବିଲା ଅଷ୍ଟ୍ରିଆ ତାରକା ଡୋମିନିକ୍‌ ଥିମ୍‌ଙ୍କ ସହ ହେବ। ମଙ୍ଗଳବାର ପୁରୁଷ ଏକକ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟମ ମାନ୍ୟତା ଥିମ୍‌ ଜୀବନର ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ ସ୍ଲାମ୍‌ କ୍ୱାର୍ଟର ଫାଇନାଲ୍‌ ଖେଳିଥିବା ଜର୍ମାନିର ଆଲେକ୍‌ଜାଣ୍ଡର ଭେରେଭ୍‌ଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ମାନ୍ୟତା ଭେରେଭ୍‌ ମଙ୍ଗଳବାର କ୍ୱାର୍ଟର ମୁକାବିଲାରେ ଥିମ୍‌ଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଥିମ୍‌ ସିଧାସଳଖ ୬-୪, ୬-୨ ଓ ୬-୧ ସେଟ୍‌ରେ ଭେରେଭ୍‌ଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେବା ସହିତ ପୁରୁଷ ଏକକରେ ପ୍ରଥମ ଖେଳାଳି ଭାବେ ସେମିଫାଇନାଲ୍‌ ପ୍ରବେଶ କରିଥିଲେ।

ମହିଳା ସେମିରେ କିସ୍‌-ଷ୍ଟିଫେନ୍‌ସ ମୁହାଁମୁହିଁ
ଦୁଇ ଆମେରିକୀୟ ଲଳନା ମାଡିସନ୍‌ କିସ୍‌ ଏବଂ ସ୍ଲୋଆନେ ଷ୍ଟିଫେନ୍‌ସ ଚଳିତ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଫ୍ରେଞ୍ଚ୍‌ ଓପନ୍‌ ମହିଳା ଏକକ ବର୍ଗ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବେ। ଉଭୟ ମଙ୍ଗଳବାର ନିଜ ନିଜର କ୍ୱାର୍ଟର ଫାଇନାଲ୍‌ ମୁକାବିଲାକୁ ସିଧାସଳଖ ସେଟ୍‌ରେ ଜିତି ସେମିଫାଇପାଲ୍‌ ପ୍ରବେଶ କରିଛନ୍ତି। ଜୀବନର ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଥିବା ୨୩ ବର୍ଷ ବୟସ୍କା ମାଡିସନ୍‌ ମଙ୍ଗଳବାର କ୍ୱାର୍ଟର ଫାଇନାଲ୍‌ରେ କାଜାକସ୍ତାନର ଜୁଲିଆ ପୁତିନ୍‌ସେଭାଙ୍କୁ ସିଧାସଳଖ ୭-୬ ଓ ୬-୪ ସେଟ୍‌ରେ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏଥି ସହିତ ତ୍ରୟୋଦଶ ମାନ୍ୟତା ମାଡିସନ୍‌ ମଧ୍ୟ ପ୍ରଥମ ଥର ଲାଗି ରୋଲାଁ ଗ୍ୟାରସ୍‌ରେ ସେମିଫାଇନାଲ୍‌ ଖେଳିବାର ସୁଯୋଗ ସୃଷ୍ଟି କରିଛନ୍ତି। ସେହିପରି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ରେ ଦଶମ ମାନ୍ୟତା ଷ୍ଟିଫେନ୍‌ସ ୬-୩ ଓ ୬-୧ ସେଟ୍‌ରେ ଚତୁର୍ଦଶ ମାନ୍ୟତା ଦାରିଆ କାସାକିନାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।

ଭାରତର ଅଭିଯାନ ଶେଷ
ଚଳିତ ଫ୍ରେଞ୍ଚ୍‌ ଓପନ୍‌ ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ଅଭିଯାନ ଶେଷ ହୋଇଛି। ଏକମାତ୍ର ଭାରତୀୟ ଭାବେ ପୁରୁଷ ଯୁଗଳରେ ତିଷ୍ଠି ରହିଥିବା ରୋହନ ବୋପାନ୍ନା ମଙ୍ଗଳବାର ହାରି ବିଦାୟ ନେଇଛନ୍ତି। ଫ୍ରାନ୍ସର ଏଡୁଓ୍ଵାର୍ଡୋ ରୋଜର-ଭାସେଲିନ୍‌ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା କ୍ୱାର୍ଟର୍‌ ଫାଇନାଲ୍‌ରେ ୬-୭, ୨-୬ ସିଧାସଳଖ ସେଟ୍‌ରେ ଅଷ୍ଟମ ମାନ୍ୟତା ଅଷ୍ଟ୍ରିଆ-କ୍ରୋଏସିଆ ଯୋଡ଼ି ଆଲେକ୍‌ଜାଣ୍ଡର ପେୟା ଓ ନିକୋଲା ମେକ୍‌ଟିକ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର