ପ୍ୟାରିସ୍: ଉଭୟ ପୁରୁଷ ଓ ମହିଳା ଏକକ ବର୍ଗର ଶୀର୍ଷ ମାନ୍ୟତା ଖେଳାଳି ନୋଭାକ୍ ଜୋକୋଭିକ୍ ଓ ନାଓମୀ ଓସାକାଙ୍କ ସହିତ ପୂର୍ବତନ ଶୀର୍ଷ ମାନ୍ୟତା ସେରେନା ୱିଲିୟମ୍ସ ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ନିଜ ନିଜର ବିଜୟ ଧାରା ଜାରି ରଖି ତୃତୀୟ ରାଉଣ୍ଡ୍ ସ୍ଥାନ ପକ୍କା କରିଛନ୍ତି। ଗୁରୁବାର ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ୍ରେ ସର୍ବିଆ ତାରକା ଜୋକୋଭିକ୍ ସିଧାସଳଖ ସେଟ୍ ୬-୧, ୬-୪ ଓ ୬-୩ରେ ଲାକ୍ସୋନେନ୍ଙ୍କୁ ପରାସ୍ତ କରିଦେଇଥିଲେ। ଅନ୍ୟ ପୁରୁଷ ଖେଳାଳି ଭାବେ ଚତୁର୍ଥ ମାନ୍ୟତା ଡୋମିନିକ୍ ଥିମ୍, ପଞ୍ଚମ ମାନ୍ୟତା ଆଲେକ୍ଜାଣ୍ଡର ଭେରେଭ୍ ମଧ୍ୟ ବିଜୟ ଧାରା ଜାରି ରଖି ତୃତୀୟ ରାଉଣ୍ଡ୍ ପ୍ରବେଶ କରିଛନ୍ତି। ହେଲେ ସପ୍ତଦଶ ମାନ୍ୟତା ସ୍ବାର୍ଜମ୍ୟାନ୍, ୨୬ ମାନ୍ୟତା ଗାଇଲ୍ସ ସିମନ୍, ୨୮ ମାନ୍ୟତା ଏଡ୍ମଣ୍ଡ୍ ପରାଜୟ ସହ ବିଦାୟ ନେଇଛନ୍ତି।
ମହିଳା ଏକକରେ ଜାପାନ ଲଳନା ଓସାକା ୪-୬, ୭-୫ ଓ ୬-୩ ସେଟ୍ରେ ଭିକ୍ଟୋରିଆ ଆଝାରେଙ୍କାଙ୍କୁ ପରାସ୍ତ କରିଥିଲା ବେଳେ ଦଶମ ମାନ୍ୟତା ଆମେରିକୀୟ ସେରେନା ସିଧାସଳଖ ୬-୩ ଓ ୬-୨ ସେଟ୍ରେ ନାରାଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟମ ମାନ୍ୟତା ବାର୍ଟି ସିଧାସଳଖ ୭-୫, ୬-୧ ସେଟ୍ରେ କଲିନ୍ସଙ୍କୁ ମାତ୍ ଦେଇଛନ୍ତି। ତେବେ ଏକାଦଶ ମାନ୍ୟତା ସାବାଲେଙ୍କା, ଷୋଡ଼ଶ ମାନ୍ୟତା ୱାଙ୍ଗ୍ ପରାଜୟ ସହ ବିଦାୟ ନେଇଛନ୍ତି।
ଦିବିଜ୍ ପ୍ରଥମ ରାଉଣ୍ଡ୍ ହାରିଲେ
ଭାରତୀୟ ତାରକା ଦିବିଜ୍ ଶରନ୍ ବୁଧବାର ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡ୍ ଜିତିଥିଲା ବେଳେ ଗୁରୁବାର ମିଶ୍ରିତ ଯୁଗଳ ଆରମ୍ଭରୁ ବିଦାୟ ନେଇଛନ୍ତି। ଜାପାନର ସୁକୋ ଆୟୋମାଙ୍କୁ ସାଥୀ କରି ମିଶ୍ରିତ ଯୁଗଳ ଖେଳୁଥିବା ଦିବିଜ୍ ପ୍ରଥମ ରାଉଣ୍ଡ୍ରେ ଏଲ୍ କିଚେଙ୍କୋ ଓ ସାନ୍ତିଆଗୋ ଗୋଞ୍ଜାଲେଜ୍ ଯୋଡ଼ି ନିକଟରୁ ୩-୬, ୬-୨ ଓ ୭-୧୦ ସେଟ୍ରେ ପରାସ୍ତ ହୋଇଛନ୍ତି।