ଜୋକୋଭିକ୍‌ ଅଯୋଗ୍ୟ: ଦେବେ୧ କୋଟି ୮୩ ଲକ୍ଷ ଟଙ୍କା ଜରିମାନା

ଲାଇନ ଜଜ୍‌ଙ୍କୁ ବଲ୍ ମାରି ବିଦା ହେଲେ, ରୢାଙ୍କିଙ୍ଗ୍ ପଏଣ୍ଟ୍‌ ହରାଇବେ

ନ୍ୟୁୟର୍କ: ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ସପ୍ତମ ଦିନରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି। ସ୍ପେନ୍‌ର ପାବଲୋ କ୍ୟାରିନୋ ବୁସ୍ତାଙ୍କ ବିପକ୍ଷ ଚତୁର୍ଥ ରାଉଣ୍ଡ ମୁକାବିଲା ବେଳେ ପୁରୁଷ ଏକକ ଶୀର୍ଷ ସିଡ୍ ତଥା ବିଶ୍ବର ଏକ ନମ୍ବର ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କ ନିନ୍ଦନୀୟ ଓ ଆଶୋଭନୀୟ ଆଚରଣ ସମଗ୍ର ଟେନିସ୍ ଜଗତକୁ ବିସ୍ମିତ ଓ ଲଜ୍ଜିତ କରିଛି। ସର୍ବିୟାର ଏହି ଚାମ୍ପିଅନ୍ ଖେଳାଳି ରବିବାର ବିଳମ୍ବିତ ରାତିରେ ଖେଳୁଥିବା ନିଜ ଚତୁର୍ଥ ରାଉଣ୍ଡ ମ୍ୟାଚ୍ ବେଳେ ଏଭଳି ଏକ ଅପ୍ରୀତିକର କାଣ୍ଡ ଘଟାଇଥିଲେ, ଯାହା ତାଙ୍କ ପ୍ରଶଂସକଙ୍କ ମୁଣ୍ଡ ତଳକୁ କରି ଦେଇଥିଲା। ବୁସ୍ତାଙ୍କ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ୫-୬ରେ ପଛୁଆ ଥିଲା ବେ‌ଳେ ଜୋକୋଭିକଙ୍କ ସର୍ଭିସକୁ ବୁସ୍ତା ଭଙ୍ଗ କରିଥିଲେ। ତିନିଟି ସେଟ୍ ପଏଣ୍ଟ୍‌ ହାତଛଡ଼ା କରି ୦-୪୦ ସ୍ଥିତିରେ ଥିବାରୁ ହତୋତ୍ସାହିତ ଓ ଉତ୍‌କ୍ଷିପ୍ତ ହୋଇ ଜୋକୋଭିକ୍ କୋର୍ଟର ପଛକୁ ଖୁବ୍‌ ଜୋର୍‌ରେ ରୢାକେଟ୍‌ରେ ବଲ୍‌କୁ ମାରିଥିଲେ। ଯାହା ସିଧା ଯାଇ ମହିଳା ଲାଇନ୍‌ ଜଜ୍‌ଙ୍କ ଗଳାରେ ବାଜିଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ସଙ୍ଗେସଙ୍ଗେ ସେ ତଳେ ପଡ଼ି ଯାଇଥିଲେ। ଅବଶ୍ୟ ତୁରନ୍ତ ତାଙ୍କ ପାଖକୁ ଦୌଡ଼ିଯାଇ କ୍ଷମାପ୍ରାର୍ଥନା କରିଥିଲେ ଜୋକୋଭିକ।

ହେଲେ ନିଜ ଜାଣତ ହେଉ କି ଅଜାଣତରେ, କ୍ଷଣକ ଭିତରେ ସେ ୟୁଏସ୍ ଓପନ୍‌ର ଗୌରବମୟ ଇତିହାସରେ କଳାଦାଗ ସୃଷ୍ଟି କରି ଦେଇଥିଲେ। ପ୍ରତିଯୋଗିତା ରେଫରି ସୋରେନ ଫ୍ରିମଲେ ଅର୍ଥର ଆସ୍ ଷ୍ଟାଡିୟମ୍‌କୁ ଆସିବା ସହ ଏହି ଘଟଣାକୁ ନେଇ ଚେୟାର ଅମ୍ପୟାର ଅରୁଲି ତୁର୍ତେ ଓ ଆନ୍ଦ୍ରିଆସ ଏଗଲିଙ୍କ ସହ ଢେର କିଛି ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ସେ ମଧ୍ୟ ତିନିଟି ୟୁଏସ୍ ଓପନ୍ ଟ୍ରଫି ଜିତିଥିବା ଜୋକୋଭିକଙ୍କ ସହ ଏଥିନେଇ ୧୨ ମିନିଟ୍‌ରୁ ଅଧିକ ସମୟ ଚର୍ଚା କରିଥିଲେ। ଜୋକୋଭିକ ନିୟମିତ କ୍ଷମା ପ୍ରାର୍ଥନା କରୁଥିଲେ ମଧ୍ୟ ରେଫରି ସେହିଠାରେ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ। ଖେଳ ପଡ଼ିଆ ଭିତରେ ଜଣେ ଅଧିକାରୀଙ୍କୁ ଆହତ କରି ପ୍ରତିଯୋଗିତାର ନିୟମକୁ ଭାଙ୍ଗିଥିବାରୁ ସୁପରଷ୍ଟାରର ମାନ୍ୟତା ସତ୍ତ୍ବେ ଜୋକୋଭିକଙ୍କୁ ଅଯୋଗ୍ୟ ଘୋଷଣା କରି ତୁରନ୍ତ କୋର୍ଟ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ବୁସ୍ତା ଏସବୁକୁ ହତବାକ୍ ହୋଇ ଦେଖୁଥିଲା ବେଳେ ଜୋକୋଭିକ ତାଙ୍କ ସହ କରମର୍ଦ୍ଦନ କରି ଦୁଃଖର ସହ ଷ୍ଟାଡିୟମ୍ ବାହା‌ରକୁ ଚାଲି ଯାଇଥିଲେ। ସେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ନଥିଲେ। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଲମ୍ବା ବିବୃତି ଦେଇ କଲା କର୍ମ ପାଇଁ ପୁଣି ଥରେ କ୍ଷମାମାଗିବା ସହ ସମର୍ଥନ ଓ ଭଲପାଇବା ଲାଗି ପ୍ରଶଂସକ ଓ ପରିବାରକୁ ଧନ୍ୟବାଦ ଦେଇଥିଲେ। ଜୋକୋଭିକ ଅଯୋଗ୍ୟ ଘୋଷିତ ହେବା ପରେ ବୁସ୍ତା ସ୍ବାଭାବିକ ଭାବେ ବିଜୟୀ ଘୋଷିତ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲେ। ତା’ ସହ କେବଳ ଜୋକୋଭିକଙ୍କ ଅଷ୍ଟାଦଶ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟ ସ୍ବପ୍ନ ମଉଳି ଯାଇ ନଥିଲା। ତାଙ୍କ ୨୬-୦ ଅପରାଜେୟ ଧାରା ଅକାଳରେ ତୁଟି ଯାଇଥିଲା। ପରେ ୟୁଏସ୍ ଟେନିସ୍ ସଂଘ ଘୋଷଣା କରିଥିଲା ଯେ ଚଳିତ ବର୍ଷର ପ୍ରତିଯୋଗିତାରେ ଜୋକୋଭିକ ଅର୍ଜନ କରିଥିବା ସମସ୍ତ ପଏଣ୍ଟ୍‌କୁ ବାଜ୍ୟାପ୍ତି କରାଯିବା ସହ ତାଙ୍କୁ ୨,୫୦,୦୦୦ ଡଲାର ବା ପାଖାପାଖି ୧ କୋଟି ୮୩ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯିବ। ଠିକ୍ ଏଭଳି ଏକ ଘଟଣା ଲାଗି ୧୯୯୫ରେ ୱିମ୍ବଲଡନ୍ ଓପନ୍‌ରେ ଅଯୋଗ୍ୟ ଘୋ‌ଷିତ ହୋଇଥିବା ବ୍ରିଟେନର ପୂର୍ବତନ ଟେନିସ୍ ତାରକା ଟିମ୍ ହେନମ୍ୟାନ୍ ରେଫରିଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଠିକ୍ ଥିଲା ବୋଲି କହିଛନ୍ତି। ଜୋକୋଭିକଙ୍କୁ ଭାଗ୍ୟ ସାଥ୍ ଦେଇ ନଥିଲା ବୋଲି ଅନ୍ୟ କେତେକ ଟେନିସ୍ କିଂବଦନ୍ତି ମତ ଦେଇଥିଲେ।

କ୍ବାର୍ଟରରେ ଓସାକା, କ୍ବି‌ତୋଭାଙ୍କୁ ବିଦା କଲେ ରୋଜର୍ସ
ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା‌ର ମହିଳା ଏକକରେ ଜାପାନର ନାଓମି ଓସାକା କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍ ଓସାକା ନିଜ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଚତୁର୍ଦ୍ଦଶ ସିଡ୍ ଆନେଟ କୋଣ୍ଟାଭିଟଙ୍କୁ ୬-୩, ୬-୪ରେ ହରାଇଛନ୍ତି। ସେପଟେ ଆମେରିକାର ସାଲବୀ ରୋଜର୍ସ ଷଷ୍ଠ ସିଡ୍ ପେଟ୍ରା କ୍ବିତୋଭାଙ୍କୁ ବିଦାୟର ପଥ ଦେଖାଇ ଦେଇଛନ୍ତି। ନିଜ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌କୁ ସେ ତୀବ୍ର ସଂଘର୍ଷ କରି ୭-୬(୫), ୩-୬, ୭-୬(୬)ରେ ଜିତି ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଜାଖସ୍ତାନର ଜୁଲିଆ ପୁତିନେତସେଭା ଅଷ୍ଟମ ସିଡ୍ ପେଟ୍ରା ମାଟ୍ରିକଙ୍କୁ ୬-୩, ୨-୬, ୬-୪ରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ଜେନିଫର ବ୍ରାଡି ୨୦୧୬ ବିଜୟିନୀ ଆଞ୍ଜେଲିକ୍ କର୍ବେରଙ୍କୁ ୬-୧, ୬-୪ରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପୁରୁଷ ଏକକରେ ଭାରତୀୟ ତାରକା ରୋହନ ବୋପାନ୍ନାଙ୍କ ପୁରୁଷ ଯୁଗଳ ସାଥୀ କାନାଡାର ଡେନିସ୍ ସାପୋଭାଲୋଭ ୬-୭ (୦), ୬-୩, ୬-୪, ୬-୩ରେ ଡେଭିଡ୍ ଗଫିନଙ୍କୁ ପରାସ୍ତ କରି କାନାଡାର ପ୍ରଥମ ଖେଳାଳି ଭାବେ ୟୁଏସ୍ ଓପନ୍‌ର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେହିଭଳି ୧୮ ଏସ୍ ମାରି ଆଲେଜାଣ୍ଡାର ଜେରେଭ ୬-୨, ୬-୨, ୬-୧ରେ ଆଲେଜାଣ୍ଡ୍ରୋ ଡେଭିଡୋଭିକଙ୍କୁ ପରାସ୍ତ କରି ଏହ‌ି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

ସମ୍ବନ୍ଧିତ ଖବର