ଭୁବନେଶ୍ବର: ସ୍କୁଲ୍‌ରେ ପଢ଼ୁଥିଲା ବେଳେ ଫୁଟ୍‌ବଲ୍‌ରେ ଆଗ୍ରହ ରହିଥିଲା। ବାପାଙ୍କ ପ୍ରେରଣାରେ ଆସିଲେ ଦୌଡ଼କୁଦକୁ। ଦୌଡ଼କୁଦ‌କୁ ଆସୁ ଆସୁ ପାଇଗଲେ ସଫଳତା। ୨୦୧୮ ମସିହାରେ ପ୍ରଥମ ଥର ଭାଗନେଲେ ରାଜ୍ୟ ‌ଦୌଡ଼କୁଦରେ। ପଦାର୍ପଣରେ ଜିତିନେଲେ ୧୪ ବର୍ଷରୁ କମ୍‌ ବର୍ଗର ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ। ୨୦୧୯ ଜାତୀୟ ସ୍କୁଲ୍‌ କ୍ରୀଡ଼ାରେ ଖୋର୍ଦ୍ଧା ରୋଡ୍‌ କେନ୍ଦ୍ରୀୟ ବିଦ୍ୟାଳୟରୁ ପ୍ରତିନିଧିତ୍ବ କରି ଏହି ସମାନ ଇଭେଣ୍ଟ୍‌ରେ ଜିତିଲେ ସ୍ବର୍ଣ୍ଣ। ଏହି ପଦକ ଦେଖାଇଥିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ବାଛରାପାଟଣାର ରସିଦ ବାଶାଙ୍କ ପୁଅ ମହମ୍ମଦ ରେୟାନ ବାଶାଙ୍କୁ ବଡ଼ ଆଶା। ରେୟାନଙ୍କ ରେସ୍‌ରେ ଏବେ ଜୋଶ୍ ଭରିସାରିଛି। ଓଡ଼ିଶା ଦୌଡ଼ଦୁନିଆ ତାଙ୍କୁ ନେଇ ବଡ଼ ସ୍ବପ୍ନ ଦେଖିବା ବି ଆରମ୍ଭ କରିଛି।

Advertisment

ମହାମାରୀ ‌କରୋନା ଯୋଗୁଁ ପ୍ରତିଯୋଗିତାଠୁ ଦୁରେଇ ଥିବା ରେୟାନ ୨୦୨୧ରେ ଭୁବନେଶ୍ବରରେ ଆୟୋଜିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ (ଆର୍‌ଏଫ୍‌) ଦୌଡ଼କୁଦ ପ୍ରଦର୍ଶନ ଗ୍ରେଡ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଯାହା ଓଡ଼ିଶା ଆର୍‌ଏଫ୍‌ ଦୌଡ଼କୁଦ ଏଚ୍‌ପିସିର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ସ ଓଏନ୍ସଙ୍କୁ ପ୍ରଭାବିତ କରିଥିଲା। ଓଏନ୍ସ ତାଙ୍କୁ ଏଚ୍‌ପିସିରେ ନେବାକୁ ଚିନ୍ତା କରିବା ସହ ଟ୍ରାଏଲ୍ସ ପାଇଁ ଡାକିଥିଲେ। ଟ୍ରାଏଲ୍ସ ପରେ ୨୦୨୨ ଅଗଷ୍ଟରେ ରେୟାନ ଏଚ୍‌ପିସିରେ ଯୋଗଦେଲେ। ସେବେଠୁ କଳିଙ୍ଗ ଷ୍ଟାଡିୟମ୍ ତାଙ୍କ ନୂଆ ଠିକଣା ହୋଇଗଲା। ଏଠାରେ ‌ଖାଲି ଖେଳ ନୁହେଁ ପାଠକୁ ମଧ୍ୟ ଗୁରୁତ୍ବ ଦେଇ ଦଶମ ପରୀକ୍ଷାରେ ୮୮ ପ୍ରତିଶତ ମାର୍କ ରଖି ଏବେ ଯୁକ୍ତ ୨ରେ ଭଲ କରିବା ଆଶା ରଖିଛନ୍ତି। ଦୁର୍ବଳ ଚେହେରା ନେଇ ଏଚ୍‌ପିସି ଆସିଥିବା ରେୟାନ ଏଠାକାର ଖାଦ୍ୟପେୟ ଓ ତାଲିମ ଯୋଗୁଁ ସେହି ବର୍ଷ ହିଁ ଜାତୀୟ ପଦାର୍ପଣ କରିଥିଲେ। ଡେଙ୍ଗୁ ହେବାରୁ ଆରମ୍ଭ ଭଲ ହୋଇ ନଥିଲା। କିନ୍ତୁ ୨୦୨୩ରେ ତାଙ୍କର ପଦକ ଅମଳ ଆରମ୍ଭ ହେଲା। ଜାତୀୟ ଯୁବ ଦୌଡ଼କୁଦ (୧୮ ବର୍ଷରୁ କମ୍‌)ରେ ୩ ପଦକ-୧୦୦ ମିଟରରେ ସ୍ବର୍ଣ୍ଣ, ୨୦୦ ମିଟର ଓ ୧୦୦ ମିଟର ମେଡ୍‌ଲେ ରିଲେରେ ରୌପ୍ୟ ପାଇଥିଲେ।

ଏହି ପ୍ରଦର୍ଶନ ତାଙ୍କୁ ଅନ୍ତର୍ଜାତୀୟ ପଦାର୍ପଣ ସୁଯୋଗ ଦେଲା। ଉଜବେକିସ୍ତାନରେ ଆୟୋଜିତ ଯୁବ ଏସୀୟ ଦୌଡ଼କୁଦ (୧୮ ବର୍ଷରୁ କମ୍‌)ରେ ବ୍ୟକ୍ତିଗତ ୧୦୦ ମିଟରରେ ଅ‌ଷ୍ଟମରେ ରହିଥିଲା ବେଳେ ଜାତୀୟ କୀର୍ତ୍ତିମାନ ସହ ରୌପ୍ୟ ଜିତିଥିବା ଭାରତୀୟ ମିଡ୍‌ଲେ ରିଲେ ଦଳର ସଦସ୍ୟ ରହି ପଦକ ଶୋଷ ମେଣ୍ଟାଇଥିଲେ। କନିଷ୍ଠ ଏସୀୟ ଦୌଡ଼କୁଦ ୨୦ ବର୍ଷରୁ କମ୍‌ (କୋରିଆ)ରେ ଜାତୀୟ କୀର୍ତ୍ତିମାନ ସହ କାଂସ୍ୟ ବିଜେତା ଭାରତୀୟ ୪ଗୁଣା୧୦୦ ମିଟର‌ ଦଳରେ ସଦସ୍ୟ ଥିଲେ। ଗତ ଜାନୁଆରିରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ରେୟାନ (୧୦.୮୧ ସେକେଣ୍ଡ) ସ୍ବର୍ଣ୍ଣ ଜିତିଥିଲା ବେଳେ ରୌପ୍ୟ ବିଜେତା ଓଡ଼ିଶା ମେଡ୍‌ଲେ ରିଲେ ଦଳର ସଦସ୍ୟ ଥିଲେ। ରେୟାନ କୁହନ୍ତି, ‘‘ବାପା ଦୌଡ଼କୁଦରେ ରାଜ୍ୟ ଓ ଜାତୀୟସ୍ତରରେ ଖେଳିଥିଲେ। ତାଙ୍କର ଆଶା ଥିଲା ମୁଁ ମଧ୍ୟ ଦୌଡ଼କୁଦ କରେ। ତାଙ୍କ ପ୍ରେରଣା ଓ ସହଯୋଗରେ ମୁଁ ଏଠି ପହଞ୍ଚିଛି। ମାର୍ଚ୍ଚ ୮ରେ ହେବାକୁଥିବା ଜୁନିୟର ଫେଡେରେସନ୍‌ ଉପରେ ଲକ୍ଷ୍ୟ ରଖିଛି। ଏଥିପାଇଁ ଜୋର୍‌ଦାର୍‌ ଅଭ୍ୟାସ ଚଲାଇଛି। ବରିଷ୍ଠ ସ୍ତରରେ ପଦକ ଜିତି ବାପାଙ୍କ ସ୍ବପ୍ନ ପୂରଣ କରିବା ସହ ୨୦୨୮ ଅଲିମ୍ପିକ୍ସ ଖେଳିବାର ଲକ୍ଷ୍ୟ ରଖିଛି। ସାମାଜିକ ଗଣମାଧ୍ୟମ ଏବଂ ସାଙ୍ଗସାଥୀ ମେଳରେ କମ୍‌ ସମୟ‌ ଦେଇ ପାଠ ସହ ଖେଳରେ ମନଦେଉଛି’’।