ଗୁଜୁରାଟ ଟାଇଟାନ୍ସକୁ ଝଟକା, ନିଜ ଦେଶକୁ ପଳାଇଲେ ଏହି ଖେଳାଳି

ମୁମ୍ବାଇ: ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ର ୧୬ତମ ସିଜିନରେ ଗୁଜୁରାଟ ଟାଇଟାନ୍ସ ଏପର୍ଯ୍ୟନ୍ତ ବହୁତ ଭଲ ପ୍ରଦର୍ଶନ କରିଛି | ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ୧୦ଟି ମ୍ୟାଚ ମଧ୍ୟରୁ ୭ଟି ଜିତିଥିବାବେଳେ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି | କିନ୍ତୁ ଗୁଜୁରାଟକୁ ଏବେ ଝଟକା ଲାଗିଛି । କାରଣ ଗୁଜୁରାଟର ଷ୍ଟାର ଖେଳାଳି ଅଧାରେ ଦଳ ଛାଡି ନିଜ ଦେଶକୁ ଫେରିଯାଇଛନ୍ତି | ବାସ୍ତବରେ ଆୟର୍ଲାଣ୍ଡର ଜୋଶୁଆ ଲିଟିଲ୍ ଗୁଜୁରାଟ କ୍ୟାମ୍ପ ଛାଡି ନିଜ ଦେଶକୁ ଫେରିଯାଇଛନ୍ତି। ମେ ମାସରେ ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଆୟର୍ଲାଣ୍ଡ ଦଳରେ ଲିଟିଲଙ୍କୁ ଚୟନ କରାଯାଇଛି |

ଆଉ ଏଥିପାଇଁ ସେ ଆୟର୍ଲାଣ୍ଡ ଫେରିଯାଇଛନ୍ତି | ସିରିଜ୍ ଶେଷ ହେବା ପରେ ସେ ଗୁଜୁରାଟ ଟାଇଟାନ୍ସକୁ ଫେରିପାରନ୍ତି । ଉଲ୍ଲେଖ ଥାଉ କି ଏହା ପୂର୍ବରୁ କେକେଆରର ବ୍ୟାଟ୍ସମ୍ୟାନ ଲିଟନ୍ ଦାସ ମଧ୍ୟ ନିଜ ଦେଶ (ବାଂଲାଦେଶ)କୁ ଫେରିଯାଇଥିଲେ । କାରଣ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ତାଙ୍କୁ କେବଳ ମେ’ ୪ ଯାଏଁ ହିଁ ଏନଓସି ପ୍ରଦାନ କରିଥିଲା।

ଲିଟନ ବାଂଲାଦେଶ ଟିମ ସହ ଆୟର୍ଲାଣ୍ଡ ଗସ୍ତରେ ଯିବାକୁ ଥିବାରୁ ସେ ମଧ୍ୟ ଅଧାରୁ ଚାଲିଯାଇଥିଲେ | ଉଲ୍ଲେଖ ଥାଉ କି ଚଳିତ ଆଇପିଏଲ୍ ୨୦୨୩ରେ ଲିଟିଲ୍ ଭଲ ପ୍ରଦର୍ଶନ କରିଛନ୍ତି | ସେ ଏପର୍ଯ୍ୟନ୍ତ ଖେଳିଥିବା ୮ଟି ମ୍ୟାଚରେ ୬ଟି ୱିକେଟ୍ ନେଇଛନ୍ତି। ଟୁର୍ନାମେଣ୍ଟ ପୂର୍ବରୁ ଆୟୋଜିତ ହୋଇଥିବା ମିନି ନିଲାମରେ ଗୁଜୁରାଟ ତାଙ୍କୁ ୪ କୋଟି ୪୦ ଲକ୍ଷ ଟଙ୍କାରେ କିଣିଥିଲା । ତାଙ୍କର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା।

ସମ୍ବନ୍ଧିତ ଖବର