କେପ୍ଟାଉନ୍: ଦକ୍ଷିଣ ଆଫ୍ରିକାର ଅଲ୍ରାଉଣ୍ଡର ଜେପି ଡୁମିନି ଏକ ଘରୋଇ ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ନିଜର କମାଲ ଦେଖାଇଛନ୍ତି। ମୋମେଣ୍ଟମ୍ ଦିନିକିଆ କପ୍ରେ କେପ୍ କୋବରାଜ ତରଫରୁ ଖେଳିଥିବା ଡୁମିନି ଗୋଟିଏ ଓଭରରୁ ୩୭ ରନ୍ ସଂଗ୍ରହ କରିଥିଲେ ମଧ୍ୟ ବିଶ୍ୱ ରେକର୍ଡରୁ ବଞ୍ଚିତ ହୋଇଛନ୍ତି। ନାଇଟସ୍ ପକ୍ଷରୁ ମିଳିଥିବା ୨୪୦ ରନ୍ର ଲକ୍ଷ୍ୟକୁ ନେଇ ୨ୟ ପାଳିରେ ଡୁମିନି ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୩୭ଟି ବଲ ଖେଳି ଅପରାଜିତ ୭୦ ରନ୍ ସଂଗ୍ରହ କରିବା ସହିତ ତାଙ୍କ ଦଳ ୮ ଓ୍ଵିକେଟରେ ମ୍ୟାଚ୍ ବିଜୟୀ ହୋଇଛି।
୨ୟ ପାଳିର ୩୭ତମ ଓଭର ଚାଲିଥିବା ବେଳେ ୩୩ ବର୍ଷିଅ ଡୁମିନି ନାଇଟସ୍ର ଲେଗ୍ ସ୍ପିନର ଏଡି ଲିଙ୍କ ଓଭରର ପ୍ରଥମ ୪ଟି ବଲକୁ ଛକା, ୫ମ ବଲ୍ରୁ ୨ ରନ୍, ପରବର୍ତ୍ତୀ ବଲ ‘ନୋ’ ଥିଲା। ଏହାକୁ ଡୁମିନି ବାଉଣ୍ଡ୍ରି ଆଡ଼କୁ ଠେଲିଥିବା ବେଳେ ଶେଷ ବଲକୁ ପୁଣି ଏକ ବିଶାଳ ଛକା ମାରିଥିଲେ। ଏହି ଭଳି ଭାବରେ ଡୁମିନି ଗୋଟିଏ ଓଭରରୁ ୩୭ ରନ୍ ହାସଲ କରିଥିଲେ।
୩୭ତମ ଓଭରରେ ଡୁମିନିଙ୍କ ପ୍ରଭାବ
୩୬.୧: ଛକା
୩୬.୨: ଛକା
୩୬.୩: ଛକା
୩୬.୪: ଛକା
୩୬.୫: ‘ନୋ ବଲ’କୁ ଚୌକା
୩୬.୫: ୨ ରନ୍
୩୬.୬: ଛକା
ମୋଟ୍: ୩୭ ରନ୍
ଲିଷ୍ଟ-ଏ କ୍ରିକେଟ(ଘରୋଇ ଦିନିକିଆ ଓ ଦିନିକିଆ ଅନ୍ତର୍ଜାତୀୟ)ରେ ଗୋଟିଏ ଓଭରରେ ଜିମ୍ବାେଓ୍ଵର ଏଲ୍ଟନ ଚିଗୁମ୍ବୁରା ସର୍ବଶ୍ରେଷ୍ଠ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ସେ ୨୦୧୩-୧୪ରେ ଢାକା ଠାରେ ଶେଖ ଜମାଲ ଟିମ୍ ତରଫରୁ ଖେଳି ଅବାହନୀ ଲିମିଟେଡର ଆଲାଉଦ୍ଦୀନ ବାବୁଙ୍କ ଗୋଟିଏ ଓଭରରୁ ୩୯ ରନ୍ ସଂଗ୍ରହ କରିଥିଲେ।
ଦିନିକିଆ ଅନ୍ତର୍ଜାତୀୟରେ ଗୋଟିଏ ଓଭରରେ ସବୁଠାରୁ ଅଧିକ ରନ(୩୬) ସଂଗ୍ରହ କରିବା ମାମଲାରେ ଦକ୍ଷିଣ ଆଫ୍ରିକାର ହର୍ଷଲ ଗିବ୍ସଙ୍କ ନାମରେ ରହିଛି। ଗିବ୍ସ ୨୦୦୭ରେ ବିଶ୍ୱ କପ୍ରେ ନେଦରଲାଣ୍ଡ ବିପକ୍ଷରେ ଡେନ୍ ଭେନ୍ ବଞ୍ଜଙ୍କ ଓଭରରେ ୬ଟି ଛକା ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/jp_duminy.jpeg)