ମୁମ୍ବାଇ: ଭାରତୀୟ କ୍ରିକେଟର ଭେଟେରାନ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟ୍ ଠାରୁ ଏବେ ଦୂରେଇ ଯାଇଥିଲେ ବି ରୋଜଗାର ଦୃଷ୍ଟିରୁ ସେ ଅନେକ ସକ୍ରିୟ କ୍ରିକେଟରଙ୍କୁ ପଛରେ ପକାଇଦେଇଛନ୍ତି । ଯୁବରାଜ ୨୦୨୧ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ | କ୍ରିକେଟରୁ ଦୂରେଇବା ପରେ ଯୁବରାଜ ସିଂ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ । ତେବେ ଆଜି ଆମେ ଆପଣଙ୍କୁ ଯୁବରାଜଙ୍କ ବାର୍ଷିକ ଆୟ ବାବଦରେ କିଛି ସୂଚନା ଦେବୁ | ବାସ୍ତବରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟ୍ ଠାରୁ ଦୂରେଇଯାଇଥିଲେ ବି ବର୍ତ୍ତମାନ ବ୍ୟବସାୟ ଏବଂ ବିଜ୍ଞାପନରୁ ବହୁତ ରୋଜଗାର କରୁଛନ୍ତି | ଯୁବରାଜ ସିଂଙ୍କ ମୋଟ ସମ୍ପତ୍ତି ହେଉଛି ପ୍ରାୟ ୩୨୦ କୋଟି ଟଙ୍କା । ୪୧ ବର୍ଷୀୟ ଯୁବରାଜଙ୍କ ନାମ ଦୁନିଆର ଧନୀ କ୍ରିକେଟର ତାଲିକାରେ ଆସୁଥିବାବେଳେ ସେ ଏଲଜି, ରିଭାଇଟାଲ, ପୁମା, ରିବକ, ବିର୍ଲା ସନ ଲାଇଫ ଭଳି ନାମିଦାମୀ କମ୍ପାନୀର ବିଜ୍ଞାପନରେ ନଜର ଆସିଥାନ୍ତି | ଯୁବରାଜ ସିଂ କିଛି ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି |

Advertisment

୨୦୦୩ରୁ ୨୦୧୭ ପର୍ଯ୍ୟନ୍ତ ଯୁବରାଜ କ୍ରିକେଟର ତିନୋଟି ଫର୍ମାଟ୍ ଖେଳିଥିଲେ। ବିଶ୍ୱ କ୍ରିକେଟରେ ସିକ୍ସର୍ କିଙ୍ଗ୍ ଭାବେ ଜଣାଶୁଣା ଯୁବରାଜ ସିଂ ଅନେକ ଷ୍ଟାର୍ଟଅପ୍ରେ ବିନିଯୋଗ କରିଛନ୍ତି, ଯାହା ତାଙ୍କୁ ଭଲ ରୋଜଗାର ଦେଇଥାଏ | ଯୁବରାଜ ସିଂଙ୍କ ମାସିକ ଆୟ ୩ କୋଟିରୁ ଅଧିକ ହୋଇଥିବାବେଳେ ତାଙ୍କର ବାର୍ଷିକ ଆୟ ୩୦ କୋଟିରୁ ଅଧିକ | ଯୁବରାଜ ସିଂ ଚଣ୍ଡିଗଡ଼ର ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି। ସେ ୨୦୧୦ରେ ଏହି ଘର କିଣିଥିଲେ | ଯୁବରାଜଙ୍କ ଏହି ବିଳାସପୂର୍ଣ୍ଣ ଘରର ମୂଲ୍ୟ ବର୍ତ୍ତମାନ ୫ କୋଟି ଟଙ୍କା ହେବ | ସେ ଦେଶର ବିଭିନ୍ନ ବ୍ୟବସାୟରେ ପ୍ରାୟ ୪୫ କୋଟି ଟଙ୍କା ବିନିଯୋଗ କରିଛନ୍ତି। ୨୦୦୭ରେ ଟି -୨୦ ବିଶ୍ୱକପ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତାଇବାରେ ଯୁବରାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ପ୍ରଥମ ଟି -୨୦ ବିଶ୍ୱକପ୍‌ରେ ଯୁବରାଜ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପେସର୍ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ।