କଟକ: ନରସିଂହପୁର ପୁଅ ଦୀପକ କୁମାର ସାହୁଙ୍କ ୮ ପଏଣ୍ଟ ସହାୟତାରେ ଜବାହରଲାଲ୍‌ ନେ‌ହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋଖୋରେ ଓଡ଼ିଶା ଜଗରନଟ୍ସ ୨ ପଏଣ୍ଟ ପାଇବାରେ ସମର୍ଥ ହୋଇଛି। ଫଳରେ ପଏଣ୍ଟ ତାଲିକାରେ ଜଗରନଟ୍ସ ମୋଟ ୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ମଙ୍ଗଳବାର ଓଡ଼ିଶା ଜଗରନଟ୍ସ ଓ ଚେନ୍ନାଇ କ୍ବିକ୍‌ଗନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୩୪-୩୪ ପଏଣ୍ଟରେ ଉତ୍କଣ୍ଠାପୂର୍ଣ୍ଣ ଭାବେ ଟାଇ ରହିଛି। ମଙ୍ଗଳବାର ଉଭୟ ଦଳ କେହି କାହାରିକୁ ସୁଯୋଗ ‌ଦେଇ ନଥିଲେ। ‌ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌ରେ ‌ରୋମାଞ୍ଚ ଭରି ରହିଥିଲା। ଶେଷରେ ଉଭୟ ଦଳକୁ ସମାନ ୨ ପଏଣ୍ଟ୍‌ ଲେଖାଏଁ ମିଳିଥିଲା। ପ୍ରଥମ ଦିନ ବିଜୟୀ ହୋଇଥିବା ଓଡ଼ିଶା ଜଗରନଟ୍ସ ମଙ୍ଗଳବାର ପୂରା ପଏଣ୍ଟ୍ ପାଇ ପାରିନାହିଁ।

Advertisment

ଗୁଜରାଟ ଜାଏଣ୍ଟସ୍‌ ଏହି ବିଜୟ ସହିତ ପଏଣ୍ଟ୍‌ ‌ଟେବୁଲର ଶୀର୍ଷରେ ରହିଛି। ଜଗରନଟ୍ସର ଦୀପକ ସାହୁ ସର୍ବାଧିକ ୮ ପଏଣ୍ଟ୍‌ ପାଇ ଦଳକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ନେଇଥି‌ଲେ। ସେହିଭଳି ଚେନ୍ନାଇର ରାମଜୀ କଶ୍ୟପ ମଧ୍ୟ ୮ ପଏଣ୍ଟ୍‌ ସହିତ ଚେନ୍ନାଇ ଦଳକୁ ଆଗକୁ ନେଇଥିଲେ। ରାମକୀ କଶ୍ୟପ ଓ ଲକ୍ଷ୍ମଣ ମ୍ୟାଟ୍‌ରେ ୫.୨୮ ମିନିଟ୍‌ ରହି ବୋନ୍‌ସ ପଏଣ୍ଟ୍‌ ମଧ୍ୟ ହାସଲ କରିଥିଲେ। ପ୍ରଥମ ପାଳିରେ ଉଭୟ ସମାନ ୧୬ ପଏଣ୍ଟ୍‌ ଲେଖାଏଁ ପାଇଥିଲେ। ପ୍ରଥମ ପାଳିରେ ଚେନ୍ନାଇ ୨ଟି ବୋନସ ପଏଣ୍ଟ୍‌ ହାସଲ କରିଥିଲା। ତୃତୀୟ ପାଳିରେ ଓଡ଼ିଶା ଆକ୍ରମଣାତ୍ମକ ଢଙ୍ଗରେ ମ୍ୟାଚ୍‌ ଖେଳିବା ସହିତ ୧୮ ପଏଣ୍ଟ୍ ହାସଲ କରି ମ୍ୟାଚକୁ ବରାବର କରିଥିଲା। ଏଥିରେ ଦୀପକ ବ୍ୟକ୍ତିଗତ ୬ ପଏଣ୍ଟ୍ ହାସଲ କରିଥିଲେ। ଏହି ପାଳିରେ ଚେନ୍ନାଇକୁ ଓଡ଼ିଶା କୌଣସି ବୋନ୍‌ସ ପଏଣ୍ଟ୍ ଦେଇନଥିଲା। ତଥାପି ଚେନ୍ନାଇ ୧୮ ପଏଣ୍ଟ୍‌ ହାସଲ କରିଥିଲା।

ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟସ ୩୪-୩୦ରେ ମୁମ୍ବାଇ ଖିଲାଡିସ୍‌କୁ ହରାଇଛି। ଗୁଜରାଟ ଜାଏଣ୍ଟସର ଏହା କ୍ରମାଗତ ଦ୍ବିତୀୟ ବିଜୟ ହୋଇଥିବା ବେଳେ ମୁମ୍ବାଇ ଖିଲାଡିସ୍‌ର ଏହା ଲଗାତର ଦ୍ବିତୀୟ ପରାଜୟ। ଏହି ବିଜୟ ସହିତ ଗୁଜରାଟ ପଏଣ୍ଟ୍‌ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ଗୁଜରାଟର ଅଭିନନ୍ଦନ ପାଟିଲ ୧୪ ପଏଣ୍ଟ୍‌ ସହିତ ଦଳକୁ ବିଜୟୀ କରାଇ ଥିଲେ। ସେହିପରି ଫୈଜନ୍‌ ଖାଁ ପଠାନ, ସୁୟାଶ ଗାର୍‌ଗାଟେ ଓ ଶୁଭମ ଥୋରାଟ୍ ୫ ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ମ୍ୟାଟ୍‌ରେ ରହି ଗୁଜରାଟର ବିଜୟରେ ଯୋଗଦାନ ଦେଇଥିଲେ। ଅନ୍ୟପକ୍ଷରେ ମୁମ୍ବାଇ ଖିଲାଡିସ୍ ତରଫରୁ ରୋହନ କୋରେ ମ୍ୟାଚ୍‌ରେ ସର୍ବାଧିକ ୮ ପଏଣ୍ଟ୍‌ ହାସଲ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ଖିଲାଡିସ୍ ବୋନସ୍ ପଏଣ୍ଟ୍‌ ପାଇବା ସହ ଭଲ ପ୍ରଦର୍ଶନ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଡିଫେଣ୍ଡ୍‌ ସମୟରେ ୩ଟି ଡ୍ରିମ୍ ରନ୍ ବୋନସ୍ ପଏଣ୍ଟ୍‌ ହାସଲ କରି ଗୁଜରାଟ ମ୍ୟାଚ୍ ଜିତିବାକୁ ସମର୍ଥ ହୋଇଥିଲା । ମୁମ୍ବାଇ ଖିଲାଡିସ୍ ବୁଧବାର ଗତଥରର ବିଜେତା ଓଡିଶା ଜଗରନଟ୍ସକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍‌ରେ ରାଜସ୍ଥାନ ୱାରିୟର୍ସ ସହିତ ତେଲେୁଗୁ ଯୋଦ୍ଧାସ୍ ପ୍ରତିଦ୍ୱନ୍ଦିତା କରିବ।