ଭୁବନେଶ୍ବର: ଭାରତର ପ୍ରଥମ ପେସାଦାର ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ ଟ୍ରଫି ଜିତି ସୋମବାର ଘରକୁ ଫେରିଛି ବିଜେତା ‘ଓଡ଼ିଶା ଜଗରନଟ୍ସ’ ଦଳ। ତେଲୁଗୁ ଯୋଦ୍ଧାସ୍କୁ ରୋମାଞ୍ଚକର ଢଙ୍ଗରେ ଗୋଟିଏ ପଏଣ୍ଟ୍ରେ ପରାସ୍ତ କରି ବିଜେତା ଆଖ୍ୟା ଅର୍ଜନ କରିଥିବା ଓଡ଼ିଶାର ଏହି ନିଜସ୍ବ ଦଳ ଫେରିବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଶଂସକ, କ୍ରୀଡ଼ାପ୍ରେମୀ, ଗଣମାଧ୍ୟମ ପ୍ରତିନିଧି, ଖେଳାଳିଙ୍କ ପରିବାର ତଥା ରାଜ୍ୟ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୋଡ଼ି ଶଙ୍ଖ ଏବଂ ମହୁରୀର ସୁମଧୁର ସ୍ବର ତଥା ପାରମ୍ପରିକ ନୃତ୍ୟ ଓ ଗୀତର ତାଳେ ତାଳେ ହୋଇଥିବା ମନ୍ତ୍ରମୁଗ୍ଧକର ସ୍ବାଗତ ଉତ୍ସବରେ ଖେଳାଳିମାନେ ବିଭୋର ହୋଇଯାଇଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ତଥା ଓଡ଼ିଶା ଜଗରନଟ୍ସ ଦଳର ମୁଖ୍ୟ କାର୍ଯ୍ୟନିର୍ବାହୀ ରଂଜୀତ କୁମାର ପରିଡ଼ା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟ ପ୍ରଶିକ୍ଷକ ଅଶ୍ବିନ କୁମାର ଶର୍ମା ଏବଂ ଓଡ଼ିଶା ଜଗରନଟ୍ସର ସମସ୍ତ ଖେଳାଳିଙ୍କୁ ପାଛୋଟି ନେଇଥିଲେ।
ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ କ୍ରୀଡ଼ା ସଚିବ ଆର. ଭିନିଲକ୍ରିଷ୍ଣା କହିଥିଲେ ଯେ ପୂରା ଋତୁରେ ଓଡ଼ିଶା ଜଗରନଟ୍ସ ଦଳ ଅତୁଳନୀୟ କଳା କୌଶଳର ପ୍ରଦର୍ଶନ କରିଥିଲା। ‘ଓଡ଼ିଶା ଜଗରନଟ୍ସ’ ଦଳର ସମସ୍ତ ଖେଳାଳିଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଅଭିନନ୍ଦନ ଜଣାଉଛି। ନିଜ ଅସାଧାରଣ ଦକ୍ଷତାର ପରିଚୟ ଦେଇ ନିଜକୁ ଜାତୀୟ ତାରକା ଭାବେ ଗଢ଼ି ତୋଳିବା ଲାଗି ଆମ ଖେଳାଳିଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଥିଲା। ଓଡ଼ିଶା ଜଗରନଟ୍ସର ଏହି ସଫଳତା ନେଇ ଆମେ ସମସ୍ତେ ଗର୍ବିତ। ଦଳର ଏହି ସଫଳତା ଆଗାମୀ ସମୟରେ ଅଧିକରୁ ଅଧିକ ପିଲାଙ୍କୁ ଖୋ ଖୋ ପ୍ରତି ଆକର୍ଷିତ କରିବ। ମୁଖ୍ୟ ପ୍ରଶିକ୍ଷକ ଅଶ୍ବିନ କୁମାର ଶର୍ମା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହ ସମର୍ଥନ ଓ ସହଯୋଗ ପାଇଁ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପୂରା ଦଳ ଏହି ଅବସରରେ ଭାବବିହ୍ବଳ ହୋଇ ଯାଇଥିବା ଲକ୍ଷ୍ୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ ‘ଓଡ଼ିଶା ଜଗରନଟ୍ସ’ ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ବିଜେତା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦଳ ପାଇଁ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/5f4h65sf46f5h4sfh654hf65.jpg)