କୋହଲିଙ୍କୁ ସାଧାରଣ ବ୍ୟାଟ୍‌ସମ୍ୟାନ୍‌ କହିଲେ ଜୁ‌ନୈଦ୍

ନୂଆଦିଲ୍ଲୀ: ପ୍ରଥମ ଦେଖାରେ ବିରାଟ କୋହଲିଙ୍କୁ ଜଣେ ସାଧାରଣ ବ୍ୟାଟସମ୍ୟାନ୍‌ ଭାବିଥିଲେ ପାକିସ୍ତାନୀ ବାମହାତୀ ଦ୍ରୁତ ବୋଲର ଜୁନୈଦ ଖାନ୍‌। କାରଣ ୨୦୧୨-୧୩ ଭାରତ ଗସ୍ତରେ ସେ କୋହଲିଙ୍କୁ ୨୪ ବଲ୍‌ ବୋଲିଂ କରି ୩ ଥର ଆଉଟ୍ କରିଥିଲେ। ଦିନିକିଆ ଶୃଙ୍ଖଳାରେ ମଧ୍ୟ ପାକିସ୍ତାନକୁ ବିଜୟୀ କରାଇଥିଲେ। ଭାରତର ବରିଷ୍ଠ ଖେଳାଳିମାନେ ବିଫଳ ହେଉଥିବା ବେଳେ ବିରାଟ କୋହଲିଙ୍କଠାରୁ ‌ଅଧିକ କିଛି ଆଶା କରାଯାଉଥିଲା। ସେ ମଧ୍ୟ ନିରାଶ କରିଥିଲେ। ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳାରେ ମାତ୍ର ୧୩ ରନ୍ କରିଥିଲେ। ପ୍ରତି ଥର ଜୁନୈଦ ଖାନ୍ ତାଙ୍କୁ ଶିକାର କରିଥିଲେ। ଏହା ପରଠାରୁ କୋହଲିଙ୍କୁ ସେ ଆଉ ବିଶେଷ ବୋଲିଂ କରିବା ସୁଯୋଗ ପାଇନାହାନ୍ତି। ୭ ବର୍ଷ ତଳର ସେହି କଥାକୁ ମନେ ପକାଇ ଜୁନୈଦ କହିଛନ୍ତି ‘କୋହଲିଙ୍କୁ ଦୁଇଟି ବଲ୍ ବୋଲିଂ କରିବା ପରେ ମୋ ଧାରଣା ଆସିଯାଇଥିଲା। ପ୍ରଥମ ବଲ୍‌ଟି ୱାଇଡ୍ ପଡ଼ିଥିଲା।

ଦ୍ବିତୀୟଟିରେ ମୁଁ ଯେତେବେଳେ ତାଙ୍କୁ ପରାସ୍ତ କଲି ଧରି ନେଲି ସେ ସାଧାରଣ ବ୍ୟାଟସମ୍ୟାନ୍‌। ଶୃଙ୍ଖଳା ପୂର୍ବରୁ ସେ ମୋତେ ମଜାରେ କହିଥ‌ିଲେ ‘ଭାରତୀୟ ପିଚ୍‌ରେ ବଲ୍‌ ସେତେ ଗତି କରିବ ନାହିଁ’ ମୁଁ କହିଥିଲେ ‘ହଉ ଦେଖିବା’। ଗସ୍ତ ପୂର୍ବରୁ ମୁଁ ଫୈସଲାବାଦରେ ଘରୋଇ କ୍ରିକେଟ୍‌ ଖେଳିଥିଲି। ମ୍ୟାଚ୍‌ ପିଛା ୩୫-୪୦ ଓଭର ବୋଲିଂ କରୁଥିଲି। ମୁଁ ମୋ ଲୟକୁ ବିକଶିତ କରିଥିଲି। ମୋ ମନରେ ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ଦଳକୁ ଦୃଢ଼ ପ୍ରତ୍ୟାବର୍ତନ କରିବି। ଭାରତରେ ଭଲ କରିବାକୁ ହେଲେ ୱିକେଟ୍ ନେବାକୁ ହେବ ବୋଲି ମଧ୍ୟ ଭଲଭାବେ ଜାଣିଥିଲି ବୋଲି ଜୁନୈଦ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜୁନୈଦଙ୍କ ଚମତ୍କର ପ୍ରଦର୍ଶନ କାରଣରୁ ଭାରତକୁ ପାକିସ୍ତାନ ସେହି ଗସ୍ତରେ ୨-୧ରେ ହରାଇଥିଲା। ଦିଲ୍ଲୀର ଶିତୁଆ ପରିବେଶରେ କେବଳ ଭାରତ ୧୬୭ ରନ୍ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିଯାଇଥିଲା। ପୂର୍ବରୁ କିନ୍ତୁ ଟି-୨୦ ଶୃଙ୍ଖଳା ୧-୧ରେ ଅମୀମାଂସିତ ରହିଥିଲା। ଏହା ପରଠାରୁ ଦୁଇ ଦେଶ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳୁନଥିଲେ ମଧ୍ୟ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ମୁହାଁମୁହିଁ ହେଉଛନ୍ତି।

ସମ୍ବନ୍ଧିତ ଖବର