କନିଷ୍ଠ ଏସିଆ କପ୍‌ ହକି: ଆଜି ଭାରତ-ପାକିସ୍ତାନ ଭେଟ

ସଲାଲା (ଓମାନ୍‌): ଚଳିତ ପୁରୁଷ କନିଷ୍ଠ ଏସିଆ କପ୍‌ ହକିରେ ଭାରତ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ପୁଲ-ଏ’ରେ ସ୍ଥାନ ପାଇଥିବା ଭାରତ ପ୍ରଥମ ଦୁଇ ମ୍ୟାଚ୍‌ରେ ବିଜୟୀ ହୋଇ ଆତ୍ମବିଶ୍ବାସରେ ଥିବାରୁ ହ୍ୟାଟ୍ରିକ୍ ସଫଳତା ଲକ୍ଷ୍ୟରେ ରହିଛି। ଭାରତୀୟ ଦଳକୁ ଏବେ ଅସଲ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ନିଜ ପ୍ରଥମ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେକୁ ବଡ଼ ବ୍ୟବଧାନ (୧୮-୦)ରେ ହରାଇବା ପରେ ଦ୍ବିତୀୟ ମ୍ୟାଚ୍‌ରେ ଜାପାନ୍‌କୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ପାକିସ୍ତାନ ମଧ୍ୟ ଚାଇନିଜ ତାଇପେ (୧୫-୧)କୁ ଏକତରଫା ଭାବେ ହରାଇବା ପରେ ଥାଇଲାଣ୍ଡ୍‌କୁ ୯-୦ରେ ପରାସ୍ତ କରିଥିବାରୁ ସମାନ ସ୍ଥିତିରେ ରହିଛି। ଭାରତୀୟ ଦଳ ଦୁଇଟି ଭଲ ବିଜୟ ପାଇଥିଲେ ମଧ୍ୟ ପାକିସ୍ତାନ ବିପକ୍ଷ ମୁକାବିଲା ନିଶ୍ଚିତ କଡ଼ା ଟକ୍କର ହେବ ବୋଲି ଭାରତୀୟ ଦଳ ଅଧିନାୟକ ଉତ୍ତମ ସିଂହ ପ୍ରକାଶ କରିଛନ୍ତି।

ଆମେ ପ୍ରତିଯୋଗିତା ଆରମ୍ଭରୁ ଦୃଢ଼ ଭାବେ ଖେଳି ଆସିଥିବାରୁ ପାକିସ୍ତାନ ବିପକ୍ଷରେ ମଧ୍ୟ ସମାନ ମାନସିକତାରେ ଖେଳିବୁ ବୋଲି ଉତ୍ତମ ସିଂହ କହିଛନ୍ତି। ପାକିସ୍ତାନୀ ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ରକ୍ଷଣଭାଗ ଦୃଢ଼। ଅତୀତରେ ମଧ୍ୟ ଆମ ଡିଫେନ୍ସ ସେମାନଙ୍କୁ ଗୋଲ୍ ଦେବାରୁ ରୋକିପାରିଛି ବୋଲି ଉତ୍ତମ ପ୍ରକାଶ କରିଥିଲେ। ଶେଷ ଥର ପାଇଁ ୨୦୧୫ କନିଷ୍ଠ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ଖେଳିଥିବା ବେଳେ ଭାରତ ୬-୨ରେ ବିଜୟୀ‌ ହୋଇଥିଲା। ୨୦୧୧ ମସିହା ପରଠାରୁ ଉଭୟ ଦେଶ କନିଷ୍ଠ ଏସିଆ କପ୍‌ରେ ପରସ୍ପର ସହ ୭ ଥର ଖେଳିଥିବା ବେଳେ ଭାରତ ୫ ଓ ପାକିସ୍ତାନ ଥରେ ବିଜୟୀ‌ ହୋଇଛି। ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି। ଏଥର ପାକିସ୍ତାନ ବିପକ୍ଷରେ ଦଳ ଶାନ୍ତ ଭାବେ ନିଜ ଦକ୍ଷତା ଅନୁସାରେ ଖେଳିବାକୁ ପ୍ରଶିକ୍ଷକ ସିଆର୍‌ କୁମାର ପରାମର୍ଶ ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ ଖେଳିବା ସବୁବେ‌ଳେ ଆହ୍ବାନଭରା, ଆମେ କିନ୍ତୁ ଭଲ ତାଲିମ ନେଇଛୁ ଏବଂ ଅତୀତ ମୁକାବିଲାରୁ ଭଲ ଶିଖିଛୁ ବୋଲି ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଭାରତ ରବିବାର ଥାଇଲାଣ୍ଡ୍ ସହ ଖେଳି ପୁଲ୍ ଅଭିଯାନ ଶେଷ କରିବ।

ସମ୍ବନ୍ଧିତ ଖବର