ମସ୍କଟ: ପୁରୁଷଙ୍କ ଭଳି ଭାରତୀୟ ମହିଳା ଦଳ କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ଭାରତ ସୁଟ୍‌ଆଉଟ୍‌ରେ ଚୀନ୍‌କୁ ୩-୨ (୧-୧)ରେ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ‌ଦ୍ବିତୀୟ କ୍ବାର୍ଟରର ଶେଷ ମିନିଟ୍‌ରେ ଚୀନ୍‌କୁ ମିଳିଥିବା ପେନାଲ୍‌ଟି ସୁଟ୍‌କୁ ଜିନ୍‌ ଝୁଆଙ୍ଗ ତାଙ୍ଗ ଗୋଲ୍‌ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ୪୧ତମ ମିନିଟ୍‌ରେ କନିକା ସିୱାଚଙ୍କ ଗୋଲ୍‌ରେ ଭାରତ ବରାବର ସ୍ତରକୁ ଆସିଥିଲା।

Advertisment

ଚତୁର୍ଥ କ୍ବାର୍ଟର ଗୋଲ୍‌ଶୂନ୍ୟରେ ସରିବାରୁ ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଭାରତ ଆଗରେ ରହି ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ସୁଟ୍‌ଆଉଟ୍‌ରେ ଭାରତର ସାକ୍ଷୀ ରାଣା, ଈଶିକା ଓ ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ଗୋଲ୍‌ କରିବାରେ ସଫଳ ହୋଇଥିଲେ।  ନିର୍ଣ୍ଣାୟକ ଗୋଲ୍‌ ଦେଇଥିବା ସୁନେଲିତା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଦଳର ସଫଳାତା ଲାଗି ହକି ଇଣ୍ଡିଆ ପ୍ରତି ଖେଳାଳିଙ୍କୁ  ୨ଲକ୍ଷ ଏବଂ ଅଫିସିଆଲ୍‌କୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛି।