କନିଷ୍ଠ ଡେଭିସ୍‌ କପ୍‌ : ଇତିହାସ ରଚିଲେ ଦେବାଶିଷ

ଭୁବନେଶ୍ବର: ଓଡ଼ିଶା ତଥା ଭାରତୀୟ ଟେନିସ୍ ପାଇଁ ଶନିବାର ଆସିଛି ଐତିହାସିକ କ୍ଷଣ। ଭାରତୀୟ ଯୁବ ଦଳ ପ୍ରଥମ ଥର ପାଇଁ କନିଷ୍ଠ ଡେଭିସ୍ କପ୍‌ ଜିତି ଭାରତୀୟ କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିବା ବେଳେ ଓଡ଼ିଆ ପୁଅ ଦେବାଶିଷ ସାହୁ ମଧ୍ୟ ଏହି ଐତିହାସିକ ସଫଳତାର ଅନ୍ୟତମ ଅଂଶୀଦାର ରହିଛନ୍ତି। ନୂଆଦିଲ୍ଲୀର ଡିଏଲ୍‌ଟିଏ କଂପ୍ଲେକ୍ସରେ ଅନୁଷ୍ଠିତ ଏସିଆ ଓସେନିଆ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ୍‌ରେ ଭାରତୀୟ ଦଳ ଜାପାନକୁ ୨-୧ରେ ପରାସ୍ତ କରି ଏହି ଗୌରବ ଆଣିଛି। ଦେବାଶିଷଙ୍କ ସହ ରୁଷିଲ ଖୋସଲା ଓ ବଂଶ ନନ୍ଦଲ ଦଳର ସଦସ୍ୟ ଥିଲେ। ପୂର୍ବରୁ ଭାରତ ଗ୍ରୁପ୍‌ ‘ଏ’ରେ ପାକିସ୍ତାନ, ଇଣ୍ଡୋନେସିଆ, ଇରାନ୍‌କୁ ପରାସ୍ତ କରି ସିଧାସଳଖ ସେମିଫାଇନାଲ୍‌ ପହଞ୍ଚିଥିଲା। ଶୁକ୍ରବାର ସେମିଫାଇନାଲ୍‌ରେ ଭାରତ ୨-୦ରେ କାଜାକସ୍ତାନକୁ ପରାସ୍ତ କରିଥିଲା। ଜୋନ୍ ବିଜେତା ହେବା ସହିତ ଭାରତ ଜୁନ୍‌ ମାସରେ ଚେକ୍‌ ରିପବ୍ଲିକ୍‌ରେ ଖେଳାଯିବାକୁ ଥିବା ବିଶ୍ବଗ୍ରୁପ୍‌ ଫାଇନାଲ୍ ପର୍ଯ୍ୟାୟ ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଯୁବ ଦଳରୁ ଖେଳି ଦେବାଶିଷ ପ୍ରଚୁର ଅଭିଜ୍ଞତା ଅର୍ଜନ କରିଥିବାରୁ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ ସନ୍ତୋଷ ପ୍ରକଟ କରିଛନ୍ତି। ଓଡ଼ିଶା ଟେନିସ୍ ପାଇଁ ଏହା ଏକ ବୈପ୍ଳବିକ ପରିବର୍ତନର ମୁହୂର୍ତ୍ତ ଆଣିବ ବୋଲି କହିଛନ୍ତି ତାଙ୍କ ପିତା ତଥା ଚେସ୍‌ ପ୍ରଶିକ୍ଷକ ଲକ୍ଷ୍ମୀକାନ୍ତ ସାହୁ।

ସମ୍ବନ୍ଧିତ ଖବର