କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ନେଦରଲାଣ୍ଡ୍ସ ପୁଲ୍ ‘ସି’ ବିଜେତା

ଭୁବନେଶ୍ବର,: ପୁଲ୍‌-‘ସି’ର ପ୍ରଥମ ମ୍ୟାଚ୍‌ରେ ରବିବାର ସ୍ପେନ୍ ୯-୦ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ସ୍ପେନ୍‌ର ଏହା ଦ୍ବିତୀୟ ବିଜୟ ଥିଲା ବେଳେ କୋରିଆ ଦ୍ବିତୀୟ ପରାଜୟ ବରଣ କରିଥିଲା। ଏହି ପରାଜୟ ସହ କୋରିଆ ମଧ୍ୟ କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟରୁ ବାଦ୍‌ ପଡ଼ିଥିଲା। ଏହା ପୂର୍ବରୁ କୋରିଆ ଶକ୍ତିଶାଳୀ ନେଦରଲାଣ୍ଡ୍ସଠାରୁ ହାରିଥିଲା ବେଳେ ଆମେରିକାକୁ ହରାଇଥିଲା। ଅନ୍ୟପକ୍ଷରେ ୟୁରୋପୀୟ ଶକ୍ତି ସ୍ପେନ୍ ଅପରାଜେୟ ତଥା ପୁଲ୍ ବିଜେତା ନେଦରଲାଣ୍ଡ୍ସଠାରୁ ହାରିଥିଲା ବେଳେ ଆମେରିକା ଏବଂ କୋରିଆକୁ ପରାସ୍ତ କରି ଏହି ପୁଲ୍‌ର ଦ୍ବିତୀୟ ସ୍ଥାନ ଦଳ ଭାବେ କ୍ବାର୍ଟର ଫାଇନାଲ୍ ଟିକେଟ୍ ହାସଲ କରିନେଇଥିଲା। ଆଜିର ଘୋର ଏକତରଫା ଦ୍ବିତୀୟ ପୁଲ୍‌-ସି ମୁକାବିଲାରେ ନେଦରଲାଣ୍ଡ୍ସ ୧୪-୦ରେ ଦୁର୍ବଳ ଆମେରିକାକୁ ହରାଇ ଦେଇଥିଲା। ଫଳରେ ୩ ମ୍ୟାଚ୍‌ରୁ ୩ ବିଜୟ ହାସଲ କରି ପୁଲ୍‌ ଟପ୍ପର ଭାବେ ନେଦରଲାଣ୍ଡ୍‌ସ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା।
କ୍ବାର୍ଟର ଫାଇନାଲ୍‌ରୁ ବାଦ୍‌ ପଡ଼ିଲେ କୋରିଆ, ଆମେରିକା
ସ୍ପେନ୍-କୋରିଆ ମ୍ୟାଚ୍‌ରେ ଆଜି ସ୍ପେନ୍‌ର ଗୋଲ୍ ବର୍ଷା ଅଷ୍ଟମ ମିନିଟ୍‌ରୁ ଆରମ୍ଭ ହୋଇଯାଇଥିଲା। ଆଉ ଏହା ୫୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ସ୍ପେନ୍ ପକ୍ଷରୁ ପେପେ କୁନିଲ, ପାଓ କୁନିଲ ଓ ଇଗ୍ନାସିଓ ଆବାଜୋ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଲେର୍ମୋ ଫର୍ତୁନୋ, ଏଡୱାର୍ଡ ଡି ଇଗ୍ନାସିଓ ସିମୋ ଓ ରାଫେଲ ଭିଲାଲୋଙ୍ଗା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ କୋରିଆ ଗୋଟିଏ ହେଲେ ବି ଗୋଲ୍ ଦେବାକୁ ସକ୍ଷମ ହୋଇ ନଥିଲା। ସ୍ପେନ୍ ଭଳି ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ନେଦରଲାଣ୍ଡ୍ସ ଅସହାୟ ଆମେରିକା ଉପରେ ଲଗାତାର ଗୋଲ୍ ବର୍ଷା କରିଥିଲା।

ଏପରିକି ବଲ୍ ଅଧିକାଂଶ ସମୟରେ ଆମେରିକା ପଟରେ ହିଁ ରହିଥିଲା। ନେଦରଲାଣ୍ଡ୍ସ ଷଷ୍ଠ ମିିନିଟ୍‌ରେ ପ୍ରଥମ ଗୋଲ୍ ଦେବା ପରେ ପ୍ରଥମ କ୍ବାର୍ଟରରେ ୪, ଦ୍ବିତୀୟ କ୍ବାର୍ଟରରେ ୩, ତୃତୀୟ କ୍ବାର୍ଟରରେ ୫ ଏବଂ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଦୁଇଟି ଗୋଲ୍ ଦେଇଥିଲା। ନେଦରଲାଣ୍ଡ୍ସର ବୁକେନ୍ସ ମାଇଲ୍ସ ବ୍ୟକ୍ତିଗତ ଭାବେ ୫ ଗୋଲ୍ ଦେଇ ନିଜ କୀର୍ତ୍ତିମାନ ସହ ସମକକ୍ଷ ହୋଇଥିଲେ। ଗତ ଗୁରୁବାର ଦକ୍ଷିଣ କୋରିଆ ବିପକ୍ଷରେ ମଧ୍ୟ ସେ ୫ ଗୋଲ୍ ଦେଇ ଚହଳ ସୃଷ୍ଟି କରିଥିଲେ। ସେ ମଧ୍ୟ ମୋଟ ୧୧ ଗୋଲ୍ ଦେଇ ପ୍ରତିଯୋଗିତାର ଅଗ୍ରଣୀ ଗୋଲ୍ ସ୍କୋରର ହୋଇଥିଲେ। ୱାଇଲ୍ଡ କାର୍ଡ ପାଇ ବିଶ୍ବକପ୍ ଖେଳିବାର ସୁଯୋଗ ଲାଭ କରିଥିବା ଆମେରିକା ଆତ୍ମବିଶ୍ବାସରେ ଭରପୁର ନେଦରଲାଣ୍ଡ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଲଗାତାର ତୃତୀୟ ମ୍ୟାଚ୍ ହାରିଥିଲା। ଏହି ଦଳ ପୁଲ୍ ପର୍ଯ୍ୟାୟରେ ୩୬ ଗୋଲ୍ ବରଣ କରିବା ସହ ମାତ୍ର ଗୋଟିଏ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା।

ସ୍ପେନ୍-କୋରିଆ ମ୍ୟାଚ୍‌ରେ ଫ୍ରାନ୍ସର କୋଲକାତା କନସୁଲ ଜେନେରାଲ ଦିଦିଆର ପଲ୍ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି ମ୍ୟାଚ୍ ଶେଷରେ ଓଡ଼ିଶା କ୍ରିକେଟ୍ ସଂଘର ସଂପାଦକ ସଞ୍ଜୟ ବେହେରା ଅତିଥି ଭାବେ ଯୋଗଦେଇ ସ୍ପେନର ଇଗ୍ନାସିଓ ଆବାଜୋଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ନେଦରଲାଣ୍ଡ୍ସ-ଆମେରିକା ମୁକାବିଲା ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଅଲିମ୍ପିକ୍ସ ସଂଘର ସଂପାଦକ ଅଭିଜିତ ପାଲ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି ମ୍ୟାଚ୍ ଶେଷ ହେବା ପରେ ଓଡ଼ିଶା ଖୋଖୋ ସଂଘର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର ଅତିଥି ଭାବେ ଯୋଗଦେଇ ସ୍ପେନ୍‌ର ମାଇଲ୍ସ ବୁକେନ୍ସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର