କନିଷ୍ଠ ହକି ବିଶ୍ବକପ୍‌: ବେଲଜିୟମ ପୁଲ୍‌-ଏ’ ଟପ୍ପର, ଫ୍ରାନ୍ସର ହ୍ୟାଟ୍ରିକ୍ ବିଜୟ

ଭୁବନେଶ୍ବର: ପୁଲ୍-ଏ’ର ଶେଷ ମ୍ୟାଚ୍‌ରେ ଶକ୍ତିଶାଳୀ ବେଲ୍‌ଜିୟମ ଶନିବାର ୩-୦ ଗୋଲ୍‌ରେ ହରାଇ ଗ୍ରୁପ୍ ଟପ୍ପର ଭାବେ କ୍ବାର୍ଟର ଫାଇନାଲ୍‌କୁ ଯାଇଛି। ମାଲେସିଆ ସହ ସମାନ ୭ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଆଗୁଆ ରହି ବେଲ୍‌ଜିୟମ ଏହି ଗ୍ରୁପ୍‌ର ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲା। ଏହି ଗ୍ରୁପ୍‌ରୁ ଦକ୍ଷିଣ ଆଫ୍ରିକା ତା’ର ୩ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ଏବଂ ଚିଲି ସବୁତମ ମ୍ୟାଚ୍ ହାରିବା ପରେ କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟରୁ ବାଦ ପଡ଼ି କ୍ଲାସିଫେକସନ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି।

ଶନିବାର ଚିଲି ବିପକ୍ଷ ମ୍ୟାଚ୍‌ରେ ୟୁରୋପୀୟ ଦଳ ବେଲ୍‌ଜିୟମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ହିଁ ଏହି ଦଳ ଚିଲି ରକ୍ଷଣଭାଗକୁ ଭେଦ କରି ଆଗୁଆ ହୋଇଯାଇଥିଲା। ଏହି ଫିଲ୍ଡ ଗୋଲ୍‌ଟି ଲୁକାସ ପଟର୍ସ ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଏହି ସ୍ଥିତି ଅପରିବର୍ତ୍ତିତ ରହିଥିଲା। ସେହିଭଳି ମ୍ୟାଚ୍‌ର ୨୭ ମିନିଟ୍‌ରେ ଥିବିୟୁ ଷ୍ଟକବ୍ରୋକ୍ସ ଦ୍ବିତୀୟ ଗୋଲ୍ ଦେଇଥିଲେ। ଏହି ଦୁଇଟି ଯାକ ଗୋଲ୍ ବେଲ୍‌ଜିୟମକୁ ଫିଲ୍ଡ ଗୋଲ୍‌ରୁ ମିଳିଥିଲା। ୪୮ ମିନିଟ୍‌ରେ ଏହି ଦଳର ନେଲସନ୍ ଓନାନା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରିବା ପରେ ବେଲ୍‌ଜିୟମ ୩-୦ରେ ଆଗୁଆ ହୋଇଥିଲା। ପୂରା ୬୦ ମିନିଟ୍‌ର ସଂଘର୍ଷ ସତ୍ତ୍ବେ ଚିଲି ଗୋଟିଏ ହେଲେ ବି ଗୋଲ୍ ଦେଇ ନପାରିବାରୁ ବେଲ୍‌ଜିୟମ ସେହି ୩-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ୍ ପୂର୍ବରୁ ଉତ୍କଳ କରାଟେ ସଂଘର ସଂପାଦକ ହରିପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି ଓଡ଼ିଶା ଟେବୁଲ ଟେନିସ୍ ସଂଘର ସଂପାଦକ ରବୀନ୍ଦ୍ର ପରିଡ଼ା ଅତିଥି ଭାବେ ଯୋଗଦେଇ ଥିବିୟୁ ଷ୍ଟକବ୍ରୋକ୍ସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ଭୁବନେଶ୍ବର: ପୁଲ-ବି’ର ଶୀର୍ଷ ସ୍ଥାନରେ ରହି କ୍ବାର୍ଟର ଫାଇନାଲ୍ ଯାଇଥିବା ଫ୍ରାନ୍ସ କଳିଙ୍ଗ ଷ୍ଟାଡିୟମ୍ ନୀଳ ଜର୍ସିରେ ପୁଣି ଥରେ ଗୋଲ୍ ବର୍ଷା କରିଥିଲା। ନିଜ ତୃତୀୟ ମୁକାବିଲାରେ ୱାଇଲ୍ଡ କାର୍ଡ ପାଇ ବିଶ୍ବକପ୍ ଖେଳିବାର ସୁଯୋଗ ଲାଭ କରିଥିବା କାନାଡାକୁ ଶନିବାର ୧୧-୧ ଗୋଲ୍‌ରେ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ପାଇଥିଲା। ଫ୍ରାନ୍ସ ଏବେ ପୂରା ୯ ପଏଣ୍ଟ୍‌ ଅର୍ଜନ କରି ଅନ୍ୟତମ ଟ୍ରଫି ଦାବିଦାର ଭାବେ ଉଭା ହୋଇଛି। ସେହିଭଳି ଆତ୍ମବିଶ୍ବାସରେ ଭରପୁର ଏହି ୟୁରୋପୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ତଥା ଗତଥରର ବିଜେତା ଭାରତକୁ ୫-୪ ଗୋଲ୍‌ରେ ହରାଇଥିଲା। ଏହି ଦମ୍‌ଦାର ଫର୍ମକୁ ବଜାୟ ରଖି ଦ୍ବିତୀୟ ମ୍ୟାଚ୍‌ରେ ପୋଲାଣ୍ଡକୁ ୭-୧ରେ ପରାସ୍ତ କରିଥିଲା। ଶନିବାର ତୃତୀୟ ମୁକାବିଲାରେ ନିଜ ବିଜୟ ବ୍ୟବଧାନକୁ ଆହୁରି ବଢ଼ାଇ ଅନଭିଜ୍ଞ କାନାଡାକୁ ୧୦ ଗୋଲ୍ ବ୍ୟବଧାନରେ ଧରାଶାୟୀ କରିଥିଲା।

ଅନ୍ୟପକ୍ଷରେ କାନାଡା ଲଗାତାର ତୃତୀୟ ପରାଜୟ ବରଣ କରିଥିଲା। ହେଲେ ଏହି ଦଳର ଖେଳାଳିମାୟନେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବକପ୍ ଖେଳିବାର ଅନନ୍ୟ ଅଭିଜ୍ଞତା ଲାଭ କରିଥିଲେ। କାନାଡା ତା’ର ପ୍ରଥମ ମ୍ୟାଚ୍‌ରେ ପୋଲାଣ୍ଡଠାରୁ ୦-୧ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ଭାରତଠାରୁ ୧-୧୩ ଗୋଲ୍‌ରେ ହାରିଯାଇଥିଲା। ଫ୍ରାନ୍ସ ପାଇଁ ଆଜି ତିମୋଥି କ୍ଲେମେଣ୍ଟ ପୁଣି ଥରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। କାନାଡା ପକ୍ଷରୁ ଏକମାତ୍ର ଗୋଲ୍ ଡେଭିଡ୍ ସିନ୍ ୪୮ ମିନିଟ୍‌ରେ ଦେଇଥିଲେ। ମ୍ୟାଚ୍ ପୂର୍ବରୁ ଅନ୍ତର୍ଜାତୀୟ ହକି ତାରକା ରୋଶନ ମିଞ୍ଜ୍ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ‌ହୋଇଥିଲେ। ସେହିଭଳି ମ୍ୟାଚ୍ ଶେଷରେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହକି ତାରକା ପିଟର ତିର୍କି ଅତିଥି ଭାବେ ଯୋଗଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଆଣ୍ଟୋନିନ୍‌ ଇଗାଉଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର