ନିର୍ଦ୍ଧାରିତ ସମୟରେ କନିଷ୍ଠ ହକି ବିଶ୍ବକପ୍: ସଙ୍ଗରୋଧ ନିୟମ କୋହଳ ଅନୁରୋଧକୁ ଭାରତ ସରକାରଙ୍କ ଅନୁମତି

ବିଦେଶୀ ଖେଳାଳିଙ୍କୁ ଭାରତ ଆସିବା ଲାଗି ପାଞ୍ଚଟି ସର୍ତ୍ତ ମାନିବାକୁ ହେବ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍ ନିର୍ଦ୍ଧାରିତ ସମୟରେ ହେବ। ସଙ୍ଗରୋଧ ନିୟମ କୋହଳ ପାଇଁ ହକି ଇଣ୍ଡିଆ ତରଫରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ କରିଥିବା ଅନୁରୋଧକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁମତି ଦେବା ପରେ ଗୁରୁବାର ଏହା ସ୍ପଷ୍ଟ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ସଚିବ ଏଲ୍‌ ଏସ୍ ସିଂହଙ୍କ ପାଖକୁ ପଠାଯାଇଥିବା ପତ୍ରରେ କୋରିଆ, ମାଲେସିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ବେଲଜିୟମ, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନି, ନେଦରଲାଣ୍ଡ୍ସ, ସ୍ପେନ୍, ଆମେରିକା, କାନାଡା, ପୋଲାଣ୍ଡ, ଚିଲି ଓ ଆର୍ଜେଣ୍ଟିନା ଭଳି ଦଳର ଖେଳାଳିଙ୍କୁ ବାଧ୍ୟତାମୂଳକ ଘରୋଇ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି। ବିଶ୍ବକପ୍ ଅବସରରେ ଏମାନଙ୍କ ପାଇଁ ପ୍ରଚଳିତ ନିୟମକୁ କୋହଳ କରାଯିବ। ତେବେ ସଙ୍ଗରୋଧ ନିୟମ କୋହଳ କରିବା ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଛି।

ସେଗୁଡ଼ିକ ହେଲା ୧: ବିଦେଶୀ ଖେଳାଳିମାନଙ୍କୁ ଭାରତ ପାଇଁ ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର୍‌ କୋଭିଡ୍-୧୯ ପରୀକ୍ଷା କରିବାକୁ ପଡ଼ିବ। ୨: ୟୁରୋପ ଏବଂ ମଧ୍ୟପ୍ରାଚ୍ୟରୁ ଆସୁଥିବା ଖେଳାଳିଙ୍କର ଭାରତରେ ପହଞ୍ଚିବା ପରେ ପୁନର୍ବାର କୋଭିଡ୍ ପରୀକ୍ଷା ହେବ। ବିମାନବନ୍ଦର ଛାଡ଼ିବା ପୂର୍ବରୁ ସେମାନଙ୍କୁ ଏଥିଲାଗି ନମୁନା ଦେବାକୁ ହେବ। ୩: ସବୁ ଖେଳାଳି ନିଜ ନିଜର ସ୍ବାସ୍ଥ୍ୟାବସ୍ଥାର ନିଜେ ନିରୀକ୍ଷଣ କରିବେ। କୋଭିଡ୍-୧୯ ଲକ୍ଷଣ ପାଇଲେ ସଙ୍ଗେସଙ୍ଗେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା କରି ଏକଥା ଆୟୋଜକ, ନିକଟସ୍ଥ କୋଭିଡ୍ କେନ୍ଦ୍ର କିମ୍ବା ଜାତୀୟ ଅଥବା ରାଜ୍ୟ ହେଲ୍ପ ଲାଇନ୍‌ରେ ଜଣାଇବେ। ୪: ସମସ୍ତ ଖେଳାଳି ଭାରତରେ ରହିବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସହ ମିଶିବାଠାରୁ ଦୂରେଇ ରହିବେ ଏବଂ ପ୍ରଚଳିତ କୋଭିଡ୍ ନିର୍ଦ୍ଦେଶାବଳୀ (ସାମାଜିକ ଦୂରତା, ନିୟମିତ ହାତ ଧୋଇବା ଏବଂ ସ୍ବଚ୍ଛତା ଅବଲମ୍ବନ କରିବାକୁ ଅଗ୍ରାଧିକାର) ପାଳନ କରିବେ। ୫: କ୍ରୀଡ଼ା ବିଭାଗ ସମସ୍ତ ଅଂଶଗ୍ରହଣକାରୀଙ୍କ ଉପରେ କଡ଼ା ନଜର ରଖିବ। କୌଣସି ଖେଳାଳିଙ୍କଠାରେ କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେଲେ ସଂପୃକ୍ତ ଖେଳାଳିଙ୍କୁ ଅଲଗା କରି ତୁରନ୍ତ ସଙ୍ଗରୋଧକୁ ପଠାଇବ। ଏଭଳି ସ୍ଥିତିରେ ସେହି ଖେଳାଳିଙ୍କୁ ସଙ୍ଗରୋଧ ନିୟମ ପାଳନ କରିବାକୁ ହେବ।

ସୂଚନାଯୋଗ୍ୟ ‌ଯେ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବେ। କୋଭିଡ୍ ସଙ୍କଟ ପାଇଁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରୁ ଓହରି ଯାଇଛନ୍ତି। ସେମାନଙ୍କ ସ୍ଥାନରେ ଅନ୍ତର୍ଜାତୀୟ ହକି ମହାସଂଘ କାନାଡା, ପୋଲାଣ୍ଡ ଓ ଆମେରିକାକୁ ୱାଇଲ୍ଡ କାର୍ଡ ଦେଇଛି। ଆୟୋଜକ ଭାରତ ୱାଇଲ୍ଡ କାର୍ଡ ପାଇଥିବା ପୋଲାଣ୍ଡ , କାନାଡା ଓ ଫ୍ରାନ୍ସ ସହ ଗ୍ରୁପ୍ ବି’ରେ ରହିଛି। ଘରୋଇ ଦଳ ତା’ର ଅଭିଯାନ ଉଦ୍‌ଘାଟନୀ ଦିବସ ଅର୍ଥାତ୍ ନଭେମ୍ବର ୨୪ ତାରିଖରେ ଫ୍ରାନ୍ସ ବିପକ୍ଷରେ ଆରମ୍ଭ କରିବ।

ସମ୍ବନ୍ଧିତ ଖବର