କନିଷ୍ଠ ହକି ବିଶ୍ବକପ୍‌ର: କ୍ବାର୍ଟରରେ ନେଦରଲାଣ୍ଡ୍ସ, ଜର୍ମାନି, ସଂଘର୍ଷ କରି ହାରିଲା ସ୍ପେନ୍‌

ଆମେରିକାକୁ ହରାଇଲା କୋରିଆ, ଆର୍ଜେଣ୍ଟିନାକୁ ଅଟକାଇଲା ଜର୍ମାନି, ପଏଣ୍ଟ୍‌ ବାଣ୍ଟିଲେ ମାଲେସିଆ-ବେଲ୍‌ଜିୟମ

ଭୁବନେଶ୍ବର: ନେଦରଲାଣ୍ଡ୍ସ ଚଳିତ ପୁରୁଷ ଏଫ୍‌ଆଇଏଚ୍‌ ହକି କନିଷ୍ଠ ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛି। ଗ୍ରୁପ୍‌-ସି’ର ଶୁକ୍ରବାର ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୩-୨ ଗୋଲ୍‌ରେ ସ୍ପେନ୍‌କୁ ହରାଇ ଦେଇଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ନବମ ମିନିଟ୍‌ରେ ନେଦରଲାଣ୍ଡ୍ସକୁ ମିଳିଥିଲା ପେନାଲ୍‌ଟି ଷ୍ଟ୍ରୋକ୍‌। ଏହାକୁ ଶ୍ଚୌତେନ ସେଲଡନ୍‌ ସଫଳତାର ସହ ସ୍ପେନ୍‌ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ନେଦରଲାଣ୍ଡ୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ବାର୍ଟରରେ ୧-୦ରେ ଆଗୁଆ ରହିଥିବା ନେଦରଲାଣ୍ଡ୍ସ ପକ୍ଷରୁ ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ ଜାନସେନ ଗୁସ (୧୬ ମିନିଟ୍‌) ଗୋଲ୍‌ ଦେଇ ସ୍ଥିତି ୨-୦ କରିଥିଲେ। ଗତ ମ୍ୟାଚ୍‌ରେ ୧୭ ଗୋଲ୍‌ ଦେଇ କୀର୍ତ୍ତିମାନ ରଚିଥିବା ସ୍ପେନ୍‌ ପ୍ରଥମାର୍ଦ୍ଧରେ ହିଁ ୦-୨ରେ ପଛୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଲୟକୁ ଫେରି ସ୍ପେନ୍‌ ଏହି ଦୁଇଟି ଗୋଲ୍‌ ଶୁଝି ଦେଇଥିଲା। ସ୍ପେନ୍‌ ପକ୍ଷରୁ ଲାକାଲି ବୋରା (୩୮ ମିନିଟ୍‌) ଓ କୁନିଲ ପାଉ (୩୮ ମିନିଟ୍‌) ଏହି ଦୁଇ ଗୋଲ୍‌ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ କେହି କାହାକୁ ବାଟ ଛାଡ଼ି ନଥିଲେ। ତେବେ ଶେଷ ମିନିିଟ୍‌ରେ ନେଦରଲାଣ୍ଡ୍ସକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣିତ କରି ଫର୍ଚୁନୋ ଗୁଇଲେର୍ମୋ ଦଳକୁ ବିଜୟ ଭେଟି ଦେଇଥିଲେ। ୨ ମ୍ୟାଚ୍‌ରୁ ୨ ବିଜୟ ସହ ନେଦରଲାଣ୍ଡ୍ସ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ସ୍ପେନ୍‌ ୨ରୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟରୁ ୩ ପଏଣ୍ଟ୍‌ ପାଇ ଗ୍ରୁପ୍‌-ସି’ରେ ଦ୍ବିତୀୟ ସ୍ଥାନରେ ରହିଛି। ଚମତ୍କାର ପ୍ରଦର୍ଶନ କରିଥିବା ଡୋମରସୁଜେନ ଲୁକେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅତିଥି ଅନ୍ତର୍ଜାତୀୟ ଆଥ୍‌ଲେଟ୍‌ ଅମିୟ କୁମାର ମଲ୍ଲିକ ଏହି ପୁରସ୍କାର ପ୍ରଦାନ କରିଥିଲେ। ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ସଂଘ ସମ୍ପାଦକ ନିଲୀନ କୁମାର।

ଆମେରିକାକୁ ହରାଇଲା କୋରିଆ
ଶୁକ୍ରବାରର ଦ୍ବିତୀୟ ମ୍ୟାଚ୍‌ରେ ‌ଦକ୍ଷିଣ କୋରିଆ ବିଜୟୀ ହୋଇଛି। ଗ୍ରୁପ୍‌-ସି’ର ଏହି ମ୍ୟାଚ୍‌ରେ କୋରିଆ ୫-୧ ଗୋଲ୍‌ରେ ଆମେରିକାକୁ ହରାଇ ଚଳିତ ବିଶ୍ବକପ୍‌ରେ ପ୍ରଥମ ବିଜୟ ହାସଲ କରିଛି। ନିଜର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ନେଦରଲାଣ୍ଡ୍ସଠୁ ୫-୧୨ ଗୋଲ୍‌ର ବଡ଼ ବ୍ୟବଧା‌ନରେ ପରାସ୍ତ ହୋଇଥିଲା। ସେହିପରି ପ୍ରଥମ ମ୍ୟାଚ୍‌ରେ ‌ସ୍ପେନ୍‌ଠୁ ୧୭-୦ ଗୋଲ୍‌ରେ ହାରିଥବା ଆମେରିକା ଲାଗାତାର ଦ୍ବିତୀୟ ପରାଜୟ ବରଣ କରି କ୍ବାର୍ଟର ଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। ମ୍ୟାଚ୍‌ର ଚତୁର୍ଥ ମନିଟ୍‌ରେ କୋରିଆର ଲି ସିଓଙ୍ଗଉଙ୍କ ଗୋଲ୍‌ରେ କୋରିଆ ଆଗୁଆ ହୋଇଥିଲା। ଜିଓଙ୍ଗ ଜୁନ୍‌ ସିଅଙ୍ଗ (୧୨ ମିନିଟ୍‌) ଦଳ ପାଇଁ ଦ୍ବିତୀୟ ଗୋଲ୍‌ ‌ଦେଇଥିଲେ। ତେଣୁ ପ୍ରଥମ କ୍ବାର୍ଟରରେ କୋରିଆ ୨-୦ରେ ଅଗ୍ରଣୀ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ହ୍ବାଙ୍ଗ ଜିଉଡଙ୍ଗ (୨୭ ମିନିଟ୍‌) କୋରିଆକୁ ୩-୦ରେ ଅଗ୍ରଣୀ କରାଇଥିଲେ। ତୃତୀୟ କ୍ବାର୍ଟରରେ କୋରିଆର କିମ ତାଏହୋ (୩୬ ଓ ୩୯ ମିନିଟ୍‌) ଦୁଇଟି ଗୋଲ୍‌ ଦେଇଥିଲା ବେଳେ ଆମେରିକାର କାଜ୍‌ ୱାଟ୍‌ (୩୭ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଦେଇଥିଲେ। ଶେଷ କ୍ବାର୍ଟରରେ କେହି ‌କାହାରିକୁ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ। ଫଳରେ ମ୍ୟାଚ୍‌କୁ ୫-୧ ଗୋଲ୍‌ରେ ଜିତି କୋରିଆ ପୂରା ୩ ପଏଣ୍ଟ କରାୟତ୍ତ କରିଥିଲା। ଦୁଇଟି ଗୋଲ୍‌ ଦେଇଥିବା କିମ ତାଏହୋଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ସିପିଡିଓ ଯୁଗ୍ମ ସଚିବ ବିକେ ମଲ୍ଲିକ ପ୍ରଦାନ କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ଭୁବନେଶ୍ବର ଆପୋଲୋ ହସ୍‌ପିଟାଲ୍‌ ସିଇଓ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।

ଆର୍ଜେଣ୍ଟିନାକୁ ଅଟକାଇଲା ଜର୍ମାନି
ୟୁରୋପୀୟ ଦେଶ ଜର୍ମାନି ଏବଂ ଦକ୍ଷିଣ ଆମେରିକୀୟ ଆ‌ର୍ଜେଣ୍ଟିନା ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆଜିର ଏହି ଚତୁର୍ଥ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୩-୨ ଗୋଲ୍‌ରେ ହରାଇ ଦେଇଛି ଜର୍ମାନି। ଏହି ବିଜୟ ସହ ଜର୍ମାନି ଗ୍ରୁପ୍‌-ଡି’ରୁ ପ୍ରଥମ ଦଳ ଭାବେ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛି। ସଂପ୍ରତି ଜର୍ମାନି ୨ରୁ ୨ ଜିତି ଶେଷ ମ୍ୟାଚ୍‌ ପୂର୍ବରୁ ଏହି ସ୍ଥାନ ନିଶ୍ଚିତ କରିନେଇଛି। ଅନ୍ୟପକ୍ଷରେ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପାଇଁ ଆର୍ଜେଣ୍ଟିନାକୁ ଶେ‌ଷ ଲିଗ୍‌ ମ୍ୟାଚ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି। ୧୧ତମ ମିନିଟ୍‌ରେ ପୋଲଜାରିକ ମାତିଓଙ୍କ ଫିଲ୍ଡ ଗୋଲ୍‌ ଜରିଆରେ ଜର୍ମାନି ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧରେ ବିଶ୍ବକପ୍‌ର ସଫଳ ଦଳ ଜର୍ମାନି ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଜର୍ମାନି ଅଧିନାୟକ ସ୍ବର୍ଜଉପ୍ତ ବେନେଡିକ୍ତ (୩୨ ମିନିଟ୍‌) ପେନାଲ୍‌ଟି ଜରିଆରେ ଦଳ ପାଇଁ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ଆର୍ଜେଣ୍ଟିନାକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଷ୍ଟିଲାତୋ ବ୍ରୁନୋ (୩୮ ମିନିଟ୍‌) ଗୋଲ୍‌ରେ ପରିଣତ କରି ସ୍ଥିତି ୧-୨ କରିଥିଲେ। ତେବେ ୪୪ତମ ମିନିଟ୍‌ରେ ଜର୍ମାନିକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମୁଲେର ହାନେସ ଗୋଲ୍‌ରେ ପରିଣତ କରି ସ୍ଥିତି ୩-୧କୁ ଆଣିଥିଲେ। ଏହାପରେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଫାଣ୍ଡ ମାସି (୫୪ ମିନିଟ୍‌) ଆର୍ଜେଣ୍ଟିନା ପଇଁ ଗୋଟିଏ ଗୋଲ୍‌ ଶୁଝି ବିଜୟ ବ୍ୟବଧାନକୁ ହ୍ରାସ କରିଥିଲେ। ଜର୍ମାନି ଅଧିନାୟକ ବେନେଡିକ୍ତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଭାବେ ଯୋଗ ଦେଇଥିବା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଖେଳରତ୍ନ ପ୍ରମୋଦ ଭଗତ ପ୍ର‌ଦାନ କରିଥିଲେ। ମ୍ୟାଚ୍‌ ଆରମ୍ଭରେ ଅତିଥି ଭାବେ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ।

ପଏଣ୍ଟ୍‌ ବାଣ୍ଟିଲେ ମାଲେସିଆ-ବେଲ୍‌ଜିୟମ
ଚଳିତ କନିଷ୍ଠ ହକି ବିଶ୍ବକପ୍‌ରେ ପ୍ରଥମ ଅମୀମାଂସିତ ମ୍ୟାଚ୍‌ ଶୁକ୍ରବାର ଦେଖିବାକୁ ମିଳିଛି। ଉପବିଜେତା ବେଲ୍‌ଜିୟମ ଓ ମାଲେସିଆ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌-ଡି’ର ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଶେଷ ହୋଇଛି। ଫଳରେ ଉଭୟ ଦଳ ୧-୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଟେବୁଲରେ ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ଓ ଅମୀମାଂସିତରୁ ସମାନ ୪ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ବେଲ୍‌ଜିୟମ ଶୀର୍ଷରେ ଏବଂ ମାଲେସିଆ ଦ୍ବିତୀୟରେ ରହିଛି।

ଆରମ୍ଭରୁ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ମାଲେସିଆର ଦୃଢ଼ ‌ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇଥିଲା ବେଲ୍‌ଜିୟମ। ଫଳରେ ପ୍ରଥମ କ୍ବାର୍ଟରରେ ଗୋଲ୍‌ ଦେଖିବାକୁ ମିଳିନଥିଲା। ତେବେ ଦ୍ବିତୀୟ କ୍ବାର୍ଟର‌ର ଶେଷ ସମୟରେ ମାଲେସିଆ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିନେଇଥିଲା। ଏହାକୁ ଆଝାର ଆମିରୁଲ (୨୯ ମିନିଟ୍‌) ଗୋଲ୍‌ରେ ପରିଣତ କରି ପ୍ରଥମାର୍ଦ୍ଧରେ ଦଳକୁ ଅଗ୍ରଣୀ ‌କରାଇଥିଲେ। ତୃତୀୟ କ୍ବାର୍ଟରରେ ମଧ୍ୟ ବେଲ୍‌ଜିୟମ ବଲ୍‌ ନିଜ ପକ୍ଷରେ ଏକାଧିକ ସମୟ ରଖିଥିଲା। ହେଲେ ମାଲେସିଆର ରକ୍ଷଣ ଭାଗକୁ ପୁଣି ଥରେ ଭେଦ କରିବାରେ ବିଫଳ ହୋଇଥିଲା। ତେବେ ଶେଷ କ୍ବାର୍ଟରରେ ବେଲ୍‌ଜିୟମକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୧ କରିଥିଲା। ଏହି ଗୋଲ୍‌ଟି ଷ୍ଟକବ୍ରୋଇକ୍ସ ଥିବିଉ ଦେଇଥିଲେ। ଏକାଧିକ ଗୋଲ୍‌ ବଞ୍ଚାଇବାରେ ସଫଳ ହୋଇଥିବା ମାଲେସିଆର ସୌପି ସାରୁଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ପୁରସ୍କାର ଓଡ଼ିଶା ଫୁଟ୍‌ବଲ୍‌ ସଂଘର ସମ୍ପାଦକ ଆଶୀର୍ବାଦ ବେହେରା ପ୍ରଦାନ କରିଥିଲେ। ଜାତୀୟ ଯୋଗାସନ କ୍ରୀଡ଼ା ମହାସଂଘ ଓଡ଼ିଶା ୟୁନିଟ୍‌ର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଆରମ୍ଭରୁ ଅତିଥି ଥିଲେ।

ସମ୍ବନ୍ଧିତ ଖବର