କଳିଙ୍ଗ ପୁଲ୍‌ରେ କନିଷ୍ଠ ମାଧବନଙ୍କ କମାଲ: ଅଲିମ୍ପିକ୍ସ ‌ସ୍ବପ୍ନକୁ କରୁଛନ୍ତି ଅନୁସରଣ

ଜାତୀୟ କନିଷ୍ଠ ଜଳକ୍ରୀଡ଼ାରେ ଅଭିନେତା ଆର୍‌. ମାଧବନଙ୍କ ପୁଅ ବେଦାନ୍ତ ମାଧବନ କମାଲ କରୁଛନ୍ତି। ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏକାଧିକ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିବା ସହ ଭାରତୀୟ ସନ୍ତରଣର ଭବିଷ୍ୟତ ଭାବେ ଉଭା ହୋଇଛନ୍ତି ସେ। ପିତା ଜଣେ ପ୍ରସିଦ୍ଧ ଅଭିନେତା ହୋଇଥିଲେ ମଧ୍ୟ ସନ୍ତରଣରେ ମନୋନିବେଶ କରି ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ସ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ୧୬ ବର୍ଷୀୟ ବେଦାନ୍ତ। ଏହି ସ୍ବପ୍ନକୁ ଅନୁସରଣ କରି ଦୁବାଇ ଯାଇ ସେଠାରେ ଭାରତୀୟ ସନ୍ତରଣର ଦ୍ରୋଣାଚାର୍ଯ୍ୟ ଏସ୍ ପ୍ରଦୀପ କୁମାରଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ମାଧବନ ଏବଂ ତାଙ୍କ ପତ୍ନୀ ସରିତା ବିର୍ଜେ ମଧ୍ୟ ବେଦାନ୍ତଙ୍କୁ ଏଥିରେ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ୪୮ତମ ଜାତୀୟ ଜଳକ୍ରୀଡ଼ାରେ ଅଂଶଗ୍ରଅହଣ କରିବାକୁ ଭୁବନେଶ୍ବର ଆସିଥିଲା ବେଳେ ବେଦାନ୍ତଙ୍କୁ ‘ସମ୍ବାଦ’ ତରଫରୁ ଭେଟିଥିଲେ ଦେବାଶିଷ ସୁନ୍ଦରାୟ।

-ସନ୍ତରଣକୁ କେବେ ଓ କେଉଁ ପରିସ୍ଥିତିରେ ଆସିଲେ?
-ସନ୍ତରଣକୁ ମୁଁ ମାତ୍ର ସାଢ଼େ ଚାରି ବର୍ଷ ପୂର୍ବରୁ ଆସିଛି। ପ୍ରଥମେ ସୌଖିନ ଭାବେ ପହଁରୁଥିଲି। ପରବର୍ତ୍ତୀ ସମୟରେ ପ୍ରଶିକ୍ଷକ ଏବଂ ଅନ୍ୟମାନଙ୍କ ପ୍ରେରଣାରେ ଏହାକୁ ଏକ ଖେଳ ଭାବେ ଗ୍ରହଣ କରିନେଲି। ଏବେ ମୁଁ ଏଥିନେଇ ବହୁତ ଖୁସି ଅଛି।

-୪୮ତମ ଜାତୀୟ ଜଳକ୍ରୀଡ଼ା ପ୍ରତିଯୋଗିତାର ୧୫୦୦ ମିଟର ଫ୍ରି-ଷ୍ଟାଇଲରେ ନୂ୍ଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଦାନିଶ ଓପନରେ ବି ଆପଣ ସ୍ବର୍ଣ୍ଣ ପଦକ ଜିତି ଚହଳ ସୃଷ୍ଟି କରିଥିଲେ। ଭୁବନେଶ୍ବରରେ ଏହି ଅନନ୍ୟ ସଫଳତା ଲାଭ କରି କେମିତି ଲାଗୁଛି? ଆପଣଙ୍କର ଆଗାମୀ ଯୋଜନା ଏବଂ ଲକ୍ଷ୍ୟ କ’ଣ ରହିଛି?
-ବହୁତ ଭଲ ଲାଗୁଛି। ୧୫୦୦ ମିଟରରେ ମୁଁ ଅଦ୍ବୈତ ପେଜଙ୍କ କୀର୍ତ୍ତିମାନ ଭାଙ୍ଗିଛି। ୧୦୦ ମିଟର ଫ୍ରି-ଷ୍ଟାଇଲ୍‌ରେ ବି ସ୍ବର୍ଣ୍ଣ ପଦକ ଜିତିଛି। ମୋ ପ୍ରଦର୍ଶନକୁ ନେଇ ବହୁତ ଖୁସି ଅଛି। ତେବେ ଆଗାମୀ ସମୟରେ ମୋତେ ଆହୁରି କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ଭାବୁଛି। କନିଷ୍ଠ ସ୍ତରରେ ପାଉଥିବା ସଫଳତାକୁ ବରିଷ୍ଠ ସ୍ତରକୁ ନେବାକୁ ‌ହେଲେ ମୋ ଟାଇମିଂରେ ମୋତେ ଆହୁରି ଉନ୍ନତି ଆଣିବାକୁ ହେବ। ଆଗାମୀ ସମୟରେ ମୁଁ ଆହୁରି ଭଲ ଟାଇମିଂ ପାଇବାକୁ କଠିନ ପରିଶ୍ରମ କରିବି। ମୋର ଏକମାତ୍ର ଲକ୍ଷ୍ୟ ହେଲା ମୋ ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିତିବା। ତେବେ ଏହା ଦୀର୍ଘମିଆଦୀ ଲକ୍ଷ୍ୟ ବୋଲି ଆପଣ କହି ପାରିବେ।

-ଆପଣଙ୍କ ପିତା ଜଣେ ପ୍ରସିଦ୍ଧ ଅଭିନେତା। ସନ୍ତରଣକୁ ଆପଣ ପେସା କରିବାକୁ ଲକ୍ଷ୍ୟ ରଖିବା କଥାକୁ ସେ କେତେ ଦୂର ଗ୍ରହଣ କରିଛନ୍ତି? ଆପଣଙ୍କ ସଫଳତାରେ ପିତା-ମାତାଙ୍କର କିଭଳି ସମର୍ଥନ ଓ ଅବଦାନ ରହିଛି?
-ହଁ ଏକଥା ସତ ଯେ ମୋ ପିତା ଜଣେ ଲୋକପ୍ରିୟ ଅଭିନେତା। ସେ ଧାରାବାହିକରେ ଅଭିନୟଠାରୁ ଚଳଚ୍ଚିତ୍ର ପ୍ରଯୋଜନା, ପଟ୍ଟକଥା ଲେଖିବା ସହ ଅନ୍ୟାନ୍ୟ କାମ ବି କରୁଛନ୍ତି। ନିକଟରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରକଟାରୀ’ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ମୋ ଉପରେ ସେ କେବେ କୌଣସି ଚାପ ପକାଇ ନାହାନ୍ତି। ମୋତେ ମୋ ବାଟ ବାଛିବାକୁ ସୁଯୋଗ ଦେଇଛନ୍ତି। ମୋ ସଫଳତାରେ ମୋ ପିତା-ମାତାଙ୍କର ବଳିଷ୍ଠ ଯୋଗଦାନ ରହିଛି। ମୁଁ ଭଲ ପ୍ରଶିକ୍ଷଣ ପାଇବା ଲାଗି ସେମାନେ ମୋ ସହ ଦୁବାଇକୁ ସ୍ଥାନାନ୍ତର ହୋଇଛନ୍ତି। ସେମାନେ ମୋ ପାଇଁ ଅନେକ କିଛି ତ୍ୟାଗ କରିଛନ୍ତି।

-ଆପଣଙ୍କର ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିବାର କୌଣସି ଯୋଜନା ଅଛି କି?
-ଭବିଷ୍ୟତ ବିଷୟରେ ମୁଁ ଏବେ କିଛି କହିପାରିବିନାହିଁ। ସଂପ୍ରତି ମୋର ଏକମାତ୍ର ପ୍ରେମ ହେଉଛି ସନ୍ତ୍ରରଣ। ଏହା ଉପରେ ହିଁ ମୁଁ ଅଧିକ ମନୋନିବେଶ କରିବାକୁ ଚାହୁଛି। ଅନ୍ୟ କୌଣସି କଥା ଭାବିବାକୁ ମୋ ପାଖରେ ସମୟ ନାହିଁ। ମୁଁ ଅନ୍ୟକଥା କଥା ଭାବିବାକୁ ବି ଚାହୁନି। ସନ୍ତରଣ ଦୁନିଆରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ହିଁ ମୋର ପରମ ଲକ୍ଷ୍ୟ।
-ସନ୍ତରଣ ଦୁନିଆରେ ଆପଣଙ୍କ ଆଦର୍ଶ କିଏ? ତାଙ୍କର କେଉଁ ଗୁଣ ଆପଣଙ୍କୁ ସବୁଠାରୁ ବେଶି ଭଲଲାଗେ।

-ମୋର ଆଦର୍ଶ ହେଉଛନ୍ତି ଆମେରିକୀୟ ସନ୍ତରଣ କିଂବଦନ୍ତି ମାଇକେଲ ଫେଲପ୍ସ। ତାଙ୍କର ସବୁ କଥାକୁ ମୁଁ ଅନୁସରଣ କରେ। ତାଙ୍କ ଭଳି ହେବାକୁ ସ୍ବପ୍ନ ଦେଖେ।
-ଆପଣଙ୍କ ପିତାଙ୍କ କେଉଁ ଚଳଚ୍ଚିତ୍ର ଆପଣଙ୍କୁ ସବୁଠୁ ବେଶି ଅନୁପ୍ରେରିତ କରିଥାଏ?
-ଚଳଚ୍ଚିତ୍ର ଅପେକ୍ଷା ମୋ ପିତାଙ୍କ ବ୍ୟକ୍ତିତ୍ବ ମୋତେ ଅଧିକ ଅନୁପ୍ରେରିତ କରିଥାଏ। ତାଙ୍କର ସମସ୍ତ ଗୁଣ ମୋତେ ଭଲ ଲାଗେ। ବିଶେଷ କରି ସେ ଯେଭଳି ଭାବେ ନିଜ ଗୋଡ଼ରେ ନିଜେ ଠିଆ ହୋଇଛନ୍ତି, ସେ କଥା ମୋତେ ସବୁଠୁ ବେଶି ପ୍ରେରଣା ଦେଇଥାଏ।

-ଆପଣ ଏବେ ଦୁବାଇରେ ରହି ପ୍ରଶିକ୍ଷଣ ନେଉଛନ୍ତି। ଭାରତ ବାହାରକୁ ଯିବାର ପ୍ରମୁଖ କାରଣଗୁଡ଼ିକ କ’ଣ? ଏଠାରେ ଅନ୍ତର୍ଜାତୀୟସ୍ତରର ଭିତ୍ତିଭୂମିର ଅଭାବ ରହିଛି ବୋଲି ଭାବୁଛନ୍ତି କି?
-ନା ନା ସେମିତି ନୁହେଁ। ଭିତ୍ତିଭୂମି ସବୁଠି ସମାନ। ତେବେ ଦୁବାଇର ସନ୍ତରଣ ବ୍ୟବସ୍ଥା ଟିକିଏ ଭଲ। ସେଠାରେ ମଧ୍ୟ ମୋ ପ୍ରଶିକ୍ଷକ ଏସ୍ ପ୍ରଦୀପ କୁମାର ରହୁଛନ୍ତି। ମୁଁ ତାଙ୍କ ଏକାଡେମିରେ ହିଁ ପ୍ରଶିକ୍ଷଣ ନେଉଛି। ଦୁବାଇରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଅଧିକ। ତା’ଛଡ଼ା ସେଠାରେ ରହି ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ମୋ ପାଇଁ ସହଜ ଏବଂ ସୁଗମ ହେଉଛି। ସତ କହିବାକୁ ଗଲେ କୋଭିଡ୍ ସମୟରେ ମୁଁ ଦୁବାଇରେ ଥିଲି। ସେଠାରୁ ଭାରତ ଆସି ପାରୁନଥିଲି। ଏଣୁ ସେଠାରେ ପ୍ରଶିକ୍ଷଣ ନେବା ଏବେ ବି ଜାରି ରଖିଛି।

-କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ସନ୍ତରଣ ଭିତ୍ତିଭୂମି ବିଷୟରେ କ’ଣ କହିବେ? ଏଠାକାର ପାଗ ଓ ପରିବେଶ ଆପଣଙ୍କୁ ପସନ୍ଦ ଆସୁଛି କି ନାହିଁ?
-ଏଠାରେ ବହୁତ ଭଲ ଭିତ୍ତିଭୂମି ରହିଛି। ସବୁପ୍ରକାର ସୁବିଧା ସୁଯୋଗ ବି ରହିଛି। ଭୁବନେଶ୍ବରରେ ଏକାଧିକ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିବାରୁ ବହୁତ ଖୁସି ଲାଗୁଛି। ମୁଁ ଦୁବାଇରେ ରହୁଥିବାରୁ ସେଠାକାର ପାଗ ଓ ପରିବେଶ ଭୁବନେଶ୍ବରଠାରୁ ସଂପୂର୍ଣ୍ଣ ଭିନ୍ନ। ତଥାପି ଏଠାକାର ଆତିଥେୟତା ତଥା ସଫଳତାକୁ ମୁଁ ମନଭରି ଉପଭୋଗ କରୁଛି।

ସମ୍ବନ୍ଧିତ ଖବର