କନିଷ୍ଠ ପୁରୁଷ ହକି: ମଞ୍ଚ ପ୍ରସ୍ତୁତ, ମହାଯୁଦ୍ଧକୁ ଅପେକ୍ଷା

ସମସ୍ତଙ୍କୁ ସୁହାଇଲା ଭଳି ଫର୍ମାଟ୍, ବରିଷ୍ଠ ଦଳ ବିପକ୍ଷ ଅଭ୍ୟାସ ମ୍ୟାଚ୍ ‌ଢେର ମୂଲ୍ୟବାନ: ରିଡ୍

ଭୁବନେଶ୍ବର: ଇଜିପ୍ଟ ସୋମବାର ଶେଷ ଦଳ ଭାବେ ଭୁବନେଶ୍ବର ପହଞ୍ଚିବା ସହ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଲାଗି ମଞ୍ଚ ପ୍ରସ୍ତୁତି ଶେଷ ହୋଇଛି। କେବଳ ଯାହା ବୁଧବାରଠାରୁ ଆରମ୍ଭ ହେଉଥିବା ବିଶ୍ବଯୁଦ୍ଧକୁ ଅପେକ୍ଷା। ପ୍ରଥମ ଥର ପାଇଁ ଅବଶ୍ୟ କଳିଙ୍ଗ ଷ୍ଟାଡିୟମ୍‌ରେ ବିନା ଦର୍ଶକରେ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ତଥାପି ଚିର ସବୁଜ କଳିଙ୍ଗ ବୋହୁ ବେଶରେ ସଜେଇ ହୋଇଛି। ପ୍ରବେଶ ପଥରେ ଖେଳାଳିଙ୍କୁ ସ୍ବାଗତ କରୁଛନ୍ତି ନାନା ରକମର ପୁଷ୍ପର ସମ୍ଭାର। ୧୬ଟି ଯାକ ଦେଶର ପତାକା କଳିଙ୍ଗ ହକି କଂପ୍ଲେକ୍ସ ଉପରେ ସଗର୍ବେ ଉଡ଼ୁଛନ୍ତି। ଖେଳାଳିମାନେ ଘନ ଘନ ପ୍ରସ୍ତୁତି କରି ମହାଲଢ଼େଇ ପୂର୍ବରୁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାରେ ଲାଗିଛନ୍ତି। ଆକର୍ଷଣର କେନ୍ଦ୍ରବିନ୍ଦୁ କିନ୍ତୁ ଅଛି ଭାରତୀୟ ଦଳ। ୬ ବର୍ଷ ତଳେ ଲକ୍ଷ୍ନୌ‌ରେ ଆୟୋଜିତ କନିଷ୍ଠ ପୁରୁଷ ବିଶ୍ବକପ୍‌ରେ ଭାରତ ବିଜେତା ‌ହୋଇଥିଲା। କଳିଙ୍ଗରେ ସେହି କମାଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଭିନ୍ନ ଗ୍ରୁପ୍‌ରେ ଥିଲେ ମଧ୍ୟ ପ୍ରତିଯୋଗିତାର କୌଣସି ପର୍ଯ୍ୟାୟରେ ଉଭୟ ମୁହାଁମୁହିଁ ହୁଅନ୍ତୁ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ବେଲଜିୟମ, ଆର୍ଜେଣ୍ଟିନା, ଚିଲି, ନେଦରଲାଣ୍ଡ, ଫ୍ରାନ୍ସ, କାନାଡା, ପୋଲାଣ୍ଡ, ସ୍ପେନ୍, ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ସହ ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନି, କେହି କାହାରିକୁ କମ ନୁହନ୍ତି। ଏଣୁ ଏହି ପ୍ରତିଯୋଗିତା (ନଭେମ୍ବର ୨୪ରୁ ଡିସେମ୍ବର ୫)୧୨ ଦିନ ପର୍ଯ୍ୟନ୍ତ ଓଡ଼ିଶା, ଭାରତ ଓ ସର୍ବୋପରି ବିଶ୍ବ ହକିପ୍ରେମୀଙ୍କ ହୃତସ୍ପନ୍ଦନ ପାଲଟିବ ବୋଲି ଆଶା କରାଯାଉଛି।

ସମସ୍ତଙ୍କୁ ସୁହାଇଲା ଭଳି ଫର୍ମାଟ୍
କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ଏଥରର ଫର୍ମାଟ୍ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି। ୧୬ ଦଳକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ତିନିଟି ଲେଖାଏଁ ମ୍ୟାଚ୍ ଖେଳିବେ। ଶ୍ରେଷ୍ଠ ୨ ଦଳ କ୍ବାର୍ଟର ଫାଇନାଲ୍‌କୁ ଉନ୍ନୀତ ହେବେ। ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳ ନବମରୁ ଷୋଡ଼ଶ ସ୍ଥାନ ପାଇଁ ବିଭିନ୍ନ କ୍ଲାସିଫିକେସନ୍ ମ୍ୟାଚ୍ ଖେଳିବେ। କ୍ବାର୍ଟର ଫାଇନାଲ୍‌ର ଚାରିଟି ବିଜୟୀ ଦଳ ସେମିଫାଇନାଲ୍ ଏବଂ ସେମିଫାଇନାଲ୍‌ର ବିଜେତା ଦଳଙ୍କୁ ‌ନେଇ ମେଗା ଫାଇନାଲ ଖେଳାଯିବ। ଭାରତ ପୁଲ-ବି’ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହ ରହିଛି। ସେପଟେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ପୁଲ୍-ଡି’ର ଶୋଭା ବଢ଼ାଉଛି। ଏହି ପୁଲ୍‌ର ଅନ୍ୟ ୩ ଦଳ ହେଲେ ଜର୍ମାନି, ଆର୍ଜେଣ୍ଟିନା ଓ ଇଜିପ୍ଟ। ପ୍ରତିଯୋଗିତା କିନ୍ତୁ ବେଲଜିୟମ-ଦକ୍ଷିଣ ଆଫ୍ରିକା ପୁଲ୍‌ ଏ’ ମ୍ୟାଚ୍‌ରୁ ଆରମ୍ଭ ହେବ। ନଭେମ୍ବର ୨୪ରୁ ୨୮ର ପୁଲ୍ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ୫ ମ୍ୟାଚ୍ ଖେଳାଯିବ।

ବରିଷ୍ଠ ଦଳ ବିପକ୍ଷ ଅଭ୍ୟାସ ମ୍ୟାଚ୍ ‌ଢେର ମୂଲ୍ୟବାନ: ରିଡ୍

କୋଭିଡ୍ କଟକଣା ପାଇଁ ବିଶ୍ବକପ୍ ପୂର୍ବରୁ ଭାରତୀୟ କନିଷ୍ଠ ପୁରୁଷ ହକି ଦଳ ଅନ୍ୟଦେଶଗୁଡ଼ିକ ବିପକ୍ଷରେ ପ୍ରସ୍ତାବିତ ଅଭ୍ୟାସ ଶୃଙ୍ଖଳା ଖେଳିବାରୁ ବଞ୍ଚିତ ହୋଇଥିଲା। ବିଦେଶ ଗସ୍ତରେ ବି ଯାଇ ପାରିନଥିଲା। ତେବେ ଏଥିପାଇଁ ଭାରତୀୟ କନିଷ୍ଠ ଦଳର ହାତ ପାହାନ୍ତାରେ ଆଉ ଏକ ସୁବର୍ଣ୍ଣ ସୁଯୋଗ ପହଞ୍ଚିଯାଇଥିଲା। ଭୁବନେଶ୍ବରରେ ଭାରତୀୟ ବରିଷ୍ଠ ଦଳର ପ୍ରଶିକ୍ଷଣ ଶିବିର ଚାଲୁ ରହିଥିବାରୁ ଏହି ଦଳ ବିପକ୍ଷରେ କିଛି ଅଭ୍ୟାସ ‌ମ୍ୟାଚ୍ ଖେଳିବାର ଅନନ୍ୟ ସୁଯୋଗ ଲାଭ କରିଛି ଭାରତୀୟ କନିଷ୍ଠ ଦଳ। ଆଉ ଏହି ଅଭ୍ୟାସ ମ୍ୟାଚ୍‌ଗୁଡ଼ିକ ବିଶ୍ବକପ୍ ବେଳେ ଭାରତୀୟ କନିଷ୍ଠ ଦଳକୁ ବେଶ୍ ସହାୟ ହେବ। ସେତେବେଳେ ‌ଆମେ ଏହାର ମୂଲ୍ୟ ବୁଝିପାରିବା ବୋଲି ଭାରତୀୟ ବରିଷ୍ଠ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରହାମ ରିଡ୍ କହିଛନ୍ତି। ରିଡ୍‌ଙ୍କ ପ୍ରଶିକ୍ଷଣ ଓ ମାର୍ଗଦର୍ଶନରେ ଭାରତୀୟ ବରିଷ୍ଠ ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିଥିଲା। କନିଷ୍ଠ ଦଳ ମଧ୍ୟ ତାଙ୍କ ଉପସ୍ଥିତିରେ ତୃତୀୟଥର ବିଶ୍ବବିଜେତା ହେବାକୁ ଆଶା ରଖିଛି।
‘‘ଆମେ ବିଦେଶ ଗସ୍ତରେ ଯାଇ ପାରିନୁ। ହେଲେ ଭାରତୀୟ କନିଷ୍ଠ ଦଳ ବରିଷ୍ଠ ଦଳ ବିପକ୍ଷରେ କେତେକ ଅଭ୍ୟାସ ମ୍ୟାଚ୍ ଖେଳିଛି। ଯାହା ଅତ୍ୟନ୍ତ ମୂଲ୍ୟବାନ। ଭୁବନେଶ୍ବରରେ ପହଞ୍ଚିବା ପରେ ଆମେ କଳିଙ୍ଗ ଷ୍ଟାଡିୟମ ସହ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରୁଛୁ। କଳିଙ୍ଗ ଷ୍ଟାଡିୟମ୍‌ ସତରେ ଏକ ଐତିହାସିକ ଷ୍ଟାଡିୟମ୍‌। ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଆମେ ଏଠାରେ ଅଭ୍ୟାସ କରିବାର ସୁଯୋଗ ପାଇବା ସୌଭାଗ୍ୟର ବିଷୟ। ଅଧିନାୟକ ତଥା ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ବିବେକ ସାଗର ପ୍ରସାଦ ଭାରତ ଘରୋଇ ପରିବେଶରେ ପୁନର୍ବାର ଟ୍ରଫି ବଜାୟ ରଖିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‘‘ଆମ ଦଳ ୨୦୧୬ରେ ବିଜେତା ହୋଇଥିଲା। ଆମ ଲକ୍ଷ୍ୟ ହେଉଛି ଚଳିତ ଥର ମଧ୍ୟ ସେହି ସଫଳତା ଜାରି ରଖିବା’’ ବୋଲି କହିଛନ୍ତି ସେ।

ସମ୍ବନ୍ଧିତ ଖବର