ଭୁବନେଶ୍ବର: ୧୧ ଦିନ ଓ ୪୭ ମ୍ୟାଚ୍ ପରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଉଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍ର ମେଗାଫାଇନାଲ୍ ରବିବାର ଖେଳାଯିବ। ଏହି ପ୍ରତୀକ୍ଷିତ ଓ ହାଇଭୋଲଟେଜ୍ ଟ୍ରଫି ଟକ୍କରରେ ୟୁରୋପୀୟ ଶକ୍ତି ତଥା ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନିକୁ ଲାଟିନ୍ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଭେଟିବ।
ଜର୍ମାନି ସପ୍ତମ ବିଶ୍ବକପ୍ ଟ୍ରଫି ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଦ୍ବିତୀୟ ଥର ବିଶ୍ବକପ୍ ଟ୍ରଫି ତୋଳି ଧରିବାକୁ ଚେଷ୍ଟା କରିବ। ଉଭୟ ଦଳ ଭିନ୍ନ ରଣନୀତି ଓ କୌଶଳରେ ଖେଳୁଥିବାରୁ ଫାଇନାଲ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ତେବେ ସବୁକିଛି ପାଗ ଉପରେ ନିର୍ଭର କରିବ। ଅପରାଜେୟ ଜର୍ମାନି କିନ୍ତୁ ଫେବରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଜର୍ମାନି ପଛକୁ ପୁଲ୍-ଡି’ର ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟରକୁ ଯାଇଥିବା ଆର୍ଜେଣ୍ଟିନା ପାଖରେ ଟ୍ରଫି ବିଜୟ ସହ ଜର୍ମାନିଠାରୁ ପ୍ରତିଶୋଧ ନେବାର ସୁଯୋଗ ରହିବ।
କାରଣ ପୁଲ୍ ପର୍ଯ୍ୟାୟରେ ଏହି ଦଳକୁ ଜର୍ମାନି ହିଁ ୩-୨ ଗୋଲ୍ରେ ପରାସ୍ତ କରିଥିଲା। ଜର୍ମାନି ୧୯୮୨, ୧୯୮୫, ୧୯୮୯, ୧୯୯୩, ୨୦୦୯, ୨୦୧୩)ରେ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୫ ମସିହାରେ ଶେଷ ଥର ପାଇଁ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଜିତିଥିଲା। ଜର୍ମାନି ତାର ପ୍ରଥମ ମ୍ୟାଚ୍ରେ ୫-୨ରେ ପାକିସ୍ତାନକୁ, ଦ୍ବିତୀୟରେ ୩-୨ରେ ଆର୍ଜେଣ୍ଟିନାକୁ, ତୃତୀୟରେ ୧୧-୦ରେ ଇଜିପ୍ଟକୁ, କ୍ବାର୍ଟରରେ ସ୍ପେନ୍କୁ ସୁଟଆଉଟ୍ରେ ୩-୧ (୨-୨) ଏବଂ ସେମିଫାଇନାଲ୍ରେ ୪-୨ରେ ଭାରତକୁ ହରାଇଥିଲା।
ଅନ୍ୟପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମୁକାବିଲାରେ ୧୪-୦ରେ ଇଜିପ୍ଟକୁ ପରାସ୍ତ କରିବା ପରେ ଦ୍ବିତୀୟରେ ଜର୍ମାନିଠାରୁ ୩-୨ ଗୋଲ୍ରେ ହାରିଥିଲା। ତୃତୀୟ ମ୍ୟାଚ୍ରେ ୪-୩ରେ ପାକିସ୍ତାନକୁ, କ୍ବାର୍ଟରରେ ନେଦରଲାଣ୍ଡ୍ସକୁ ୨-୧ରେ ଏବଂ ସେମିଫାଇନାଲ୍ରେ ଫ୍ରାନ୍ସକୁ ସୁଟ୍ଆଉଟ୍ରେ ୩-୧ (୦-୦)ରେ ହରାଇଥିଲା।
ପାକିସ୍ତାନ ଏକାଦଶ
ଶନିବାର ସଂଧ୍ୟାରେ ପୂର୍ବ ବିଜେତା ପାକିସ୍ତାନ ଅନଭିଜ୍ଞ ପୋଲାଣ୍ଡ ବିପକ୍ଷ ମ୍ୟାଚ୍କୁ ଏକତରଫା ଭାବେ ୫-୦ ଗୋଲ୍ରେ ଜିତି ଏକାଦଶ ସ୍ଥାନ ସହ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଅଭିଯାନ ଶେଷ କରିଛି। ଅନ୍ୟଏକ କ୍ଲାସିଫିକେସନ୍ ମ୍ୟାଚ୍ରେ ଚିଲିକୁ ୨-୧ ଗୋଲ୍ରେ ପରାସ୍ତ କରି କାନାଡା ତ୍ରୟୋଦଶ ସ୍ଥାନ ଅଧିକାର କରିଥିଲା। ୱାଇଲ୍ଡ କାର୍ଡ ପାଇ ବିଶ୍ବକପ୍ ଖେଳିବାର ସୁଯୋଗ ଲାଭ କରିଥିବା ଅନଭିଜ୍ଞ ଆମେରିକା ପେନାଲ୍ଟି ସୁଟଆଉଟ୍ରେ ୩-୦ (୨-୨) ଗୋଲ୍ରେ ଇଜିପ୍ଟକୁ ପରାସ୍ତ କରି ୧୫ତମ ସ୍ଥାନରେ ଅଭିଯାନ ଶେଷ କରିଛି। ବିଶ୍ବକପ୍ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଇଜିପ୍ଟ ସବାଶେଷ ୧୬ତମ ସ୍ଥାନରେ ରହିଛି। ଶନିବାରର ସବାଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ୪-୦ ଗୋଲ୍ରେ କୋରିଆକୁ ପରାସ୍ତ କରି ନବମ ସ୍ଥାନରେ ରହିଥିଲା। କୋରିଆ ଦଶମ ସ୍ଥାନରେ ଅଭିଯାନ ଶେଷ କରିଥିଲା।
ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ସହ ଲଢ଼ିବ ଭାରତ
ହକିପ୍ରେମୀଙ୍କ ସବୁ ନଜର ଗତଥରର ବିଜେତା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚ୍ ଉପରେ ରହିବ। ଉତ୍ସାହୀ ଫ୍ରାନ୍ସ ଚମତ୍କାର ହକି ଖେଳି ସେମିଫାଇନାଲ୍ରେ ପ୍ରବେଶ କରିବା ପରେ ସେଠାରେ ଆର୍ଜେଣ୍ଟିନାଠାରୁ ହାରିଥିଲା। ଅନ୍ୟପକ୍ଷରେ ଭାରତ ଫାଇନାଲିଷ୍ଟ ଜର୍ମାନିଠାରୁ ୨-୪ ଗୋଲ୍ରେ ହାରି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା। ପ୍ରତିଯୋଗିତାର ପ୍ରଦର୍ଶନକୁ ତର୍ଜମା କଲେ କିନ୍ତୁ ରବିବାର ମୁକାବିଲାରେ ଫ୍ରାନ୍ସ ଅପେକ୍ଷା ଭାରତ ଟିକିଏ ଅଧିକ ଚାପରେ ରହିବ। କାରଣ ପ୍ରତିଯୋଗିତାର ଉଦ୍ଘାଟନୀ ଦିବସରେ ଫ୍ରାନ୍ସ ୫-୪ ଗୋଲ୍ରେ ଭାରତକୁ ହରାଇ ଅଭିଯାନ ଆରମ୍ଭ କରିଥିଲା।
ଆୟୋଜକ ଭାରତ ପ୍ରଥମ ଥର ପାଇଁ ୨୦୦୧ରେ ବିଜେତା ହୋଇଥିଲା। ୧୫ ବର୍ଷ ପରେ ଘରୋଇ ପରିବେଶରେ ଲକ୍ଷ୍ନୌଠାରେ ଏହି ସଫଳତାକୁ ଦୋହରାଇଥିଲା। ଅନ୍ୟପକ୍ଷରେ ୨୦୧୩ ମସିହାରେ ଉପବିଜେତା ହେବା କନିଷ୍ଠ ପୁରୁଷ ହକି ବିଶ୍ବକପ୍ରେ ଫ୍ରାନ୍ସର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହି ଆସିଛି। ଭାରତ ଶେଷ ଥର ପାଇଁ ୨୦୦୫ ମସିହାରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଲଢ଼ି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏଥର କିନ୍ତୁ ଫ୍ରାନ୍ସଠାରୁ ମଧୁର ପ୍ରତିଶୋଧ ସହ ଅନ୍ତତଃ ତୃତୀୟ ସ୍ଥାନରେ ରହିବ ବୋଲି ସମର୍ଥକ ଆଶା ରଖିଛନ୍ତି।
ନାନା ଘାତ ପ୍ରତିଘାତ, ପ୍ରତିକୂଳ ପାଗ ଏବଂ କରୋନା ଆତଙ୍କର ଭୟ ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଚଳିତ କନିଷ୍ଠ ହକି ବିଶ୍ବକପ୍ର ଉଦ୍ଯାପନୀ ଦିବସର ଅପରାହ୍ନ ୪ଟା ୩୦ରେ ଭାରତ-ଫ୍ରାନ୍ସ ଏବଂ ରାତି ୭ଟା ୩୦ରେ ଜର୍ମାନି-ଆର୍ଜେଣ୍ଟିନା ମ୍ୟାଚ୍ ଖେଳାଯିବ। ବାତ୍ୟା ଜୱାଦ କ୍ରମଶଃ ଦୁର୍ବଳ ହେଉଥିବାରୁ ରବିବାର ଦୁଇଟି ଯାକ ମ୍ୟାଚ୍ ବିନା ବ୍ୟାଘାତରେ ଖେଳାଯିବାର ସମ୍ଭାବନା ହକି ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।
ଗୋନେସା ନିଲମ୍ବିତ, ଭାରତ ବିପକ୍ଷରେ ଖେଳିବେନି
ଶୁକ୍ରବାର ଆର୍ଜେଣ୍ଟିନା-ଫ୍ରାନ୍ସ ସେମିଫାଇନାଲ୍ ମ୍ୟାଚ୍ ବେଳେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି ମାମଲାରେ ଅନ୍ତର୍ଜାତୀୟ ହକି ମହାସଂଘ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍ଜେଣ୍ଟିନା ଖେଳାଳିଙ୍କୁ ଆକ୍ରମଣ କରି ବିଶ୍ବକପ୍ ଆଚରଣ ସଂହିତା ଉଲ୍ଲଘନ ଅଭିଯୋଗରେ ଏଫ୍ଆଇଏଚ୍ ଆଜି ଫ୍ରାନ୍ସର ୧୪ ନମ୍ବର ଖେଳାଳି ରାଇଫେ ଗୋନେସାଙ୍କୁ ନିଲମ୍ବିତ କରିଛି। ଫଳରେ ରବିବାରର ଭାରତ ବିପକ୍ଷ ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ରେ ଖେଳି ସେ ଖେଳି ପାରିବେ ନାହିଁ। ଯାହା ଫ୍ରାନ୍ସ ପାଇଁ ଏକ ଶକ୍ତ ଧକ୍କା ହୋଇଛି। ଏଫ୍ଆଇଏଚ୍ର ଅଷ୍ଟ୍ରେଲୀୟ ବୈଷୟିକ ପ୍ରତିନିଧି ଆଡାମ ୱେବଷ୍ଟର ମାମଲାର ଭିଡିଓ ଫୁଟେଜକୁ ତର୍ଜମା କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଭାରତକୁ ଖେଳର ସ୍ତର ବଢ଼ାଇବାକୁ ହେବ
ତୃତୀୟ ଥର ପାଇଁ ବିଶ୍ବକପ୍ ଜିତିବା ସ୍ବପ୍ନ ଭାଙ୍ଗି ଚୂରମାର ହେବା ପରେ ଭାରତୀୟ ଖେଳାଳି ଟିକିଏ ନିରାଶ ଅଛନ୍ତି। ହେଲେ ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ଜିତି ସମ୍ମାନ ଓ ଆତ୍ମବିଶ୍ବାସର ସହ ପ୍ରତିଯୋଗିତା ଶେଷ କରିବାକୁ ହେଲେ ସେମାନଙ୍କୁ ନିଜ ଖେଳର ସ୍ତର ଆହୁରି ବଢ଼ାଇବାକୁ ହେବ। କାରଣ ଘରୋଇ ପରିବେଶ ସତ୍ତ୍ବେ ଭାରତୀୟ ଦଳ ବିଶ୍ବକପ୍ ଆରମ୍ଭ ହେବା ପରେ ନିଜ ପ୍ରଦର୍ଶନରେ ସ୍ଥିରତା ରଖିପାରୁନି। ଆଉ ଏହା ହିଁ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବେଲଜିୟମ ବିପକ୍ଷରେ ଭାରତୀୟ ରକ୍ଷଣଭାଗ ଚମତ୍କାର ପ୍ରଦର୍ଶନ କରିଥିଲା।
ଜର୍ମାନି ବିପକ୍ଷରେ କିନ୍ତୁ ପୂରା ଫ୍ଲପ୍ ରହିଥିଲା। ୟଶଦୀପ ସିୱାଚ, ଉପଅଧିନାୟକ ସଞ୍ଜୟ କୁମାର, ଶରଦାନନ୍ଦ ତିୱାରୀ ଓ ସ୍ଥାନୀୟ ତାରକା ଅଭିଷେକ ଲାକ୍ରା ଦୁର୍ବଳ ପ୍ରଦର୍ଶନ କରିଥିଲେ। ପେନାଲ୍ଟି କର୍ଣ୍ଣର ଅର୍ଜନ କରିବା ପରିବର୍ତ୍ତେ ଭାରତୀୟ ଖେଳାଳିମାନେ ଜର୍ମାନି ଆକ୍ରମଣକୁ ଅଟକାଇବାରେ ଅଧିକ ସମୟ କଟାଇଥିଲେ। ଭାରତୀୟ ଦଳ ପାଖରେ କୌଣସି ପ୍ଲାନ୍-ବି ମଧ୍ୟ ନଥିଲା। ଯାହାର ଫଳ ଦଳ ପାଇଥିଲା। ଏଣୁ ଫ୍ରାନ୍ସକୁ ହରାଇବାକୁ ହେଲେ ଭାରତୀୟ ଦଳକୁ ତାର ଖେଳର ସ୍ତର ବଢ଼ାଇବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।