କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ : ଅଟକିଲା ଅପରାଜେୟ ଫ୍ରାନ୍ସ

ଭୁବନେଶ୍ବର: ଚଳିତ ଏଫ୍‌ଆଇଏଚ୍‌ କନିଷ୍ଠ ହକି ବିଶ୍ବକପ୍‌ର ଶୁକ୍ରବାର ଫ୍ରାନ୍ସ ଓ ଆର୍ଜେଣ୍ଟିନା ପ୍ରଥମ ସେମିଫାଇନାଲ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ତେଣୁ ଫଳାଫଳ ସୁଟ୍‌ଆଉଟ୍‌ରେ ବାହାରିଥିଲା। ଏଥିରେ ୨୦୦୫ ସଂସ୍କରଣ ବିଜେତା ଆର୍ଜେଣ୍ଟିନା ୩-୧ (୦-୦)ରେ ଚଳିତ ବିଶ୍ବକପ୍‌ର ଅପରାଜେୟ ଫ୍ରାନ୍ସକୁ ହରାଇ ତୃତୀୟ ଥର ଲାଗି ଫାଇନାଲ୍‌ରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଫ୍ରାନ୍ସର ଦ୍ବିତୀୟ ଥର ଲାଗି ଫାଇନାଲ୍‌ ପହଞ୍ଚିବାର ‌ସ୍ବପ୍ନ ଭାଙ୍ଗିଯାଇଛି। ଶେଷ ଥର ଲାଗି ୨୦୦୩ରେ ଫ୍ରାନ୍ସ ଫାଇନାଲ୍‌ ଖେଳିଥିଲା ଏବଂ ଜର୍ମାନିଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା ଏବେ ଏହି ଦଳ ରବିବାର ତୃତୀୟ ସ୍ଥାନ ପାଇଁ ଖେଳିବ।

ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ଫ୍ରାଙ୍କୋ ଆଗୋ‌ଷ୍ଟିନି, ଲୁସିଓ ମେଣ୍ଡିସ୍‌, ବୌତିସା କାପୁରୋ ଗୋଲ୍‌ ଦେଇଥିଲା ‌ବେଳେ ଅଧିନାୟକ ଫାକୁଣ୍ଡୋ ଜାରାଟେ ବିଫଳ ହୋଇଥିଲେ। ଗ୍ରୁପ୍‌-ବି’ ବିଜେତା ଫ୍ରାନ୍ସ ପକ୍ଷରୁ ଟିମୋଥି କ୍ଲେମେଣ୍ଟ ଗୋଲ୍‌ ଦେବାରେ ସଫଳ ହୋଇଥିଲା ବେଳେ ଆଣ୍ଟୋନିନି ଇଗାଉ, କୋରେଣ୍ଟିନ ବ୍ରାନିକି ଓ ଲୁକାସ ମୋଣ୍ଟେ‌କଟ ‌ବିଫଳ ହୋଇଥିଲେ। ଅତିଥି ଭାବେ ଯୋଗଦେଇ ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅଧିନାୟକ କ୍ଲେମେଣ୍ଟଙ୍କୁ ପ୍ରଦାନ କରିଥିଲେ। ମ୍ୟାଚ୍‌ ଆରମ୍ଭ ବେଳେ ଓଡ଼ିଶା ପୁଲିସ ମହା‌ନିର୍ଦେଶକ ଅଭୟ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।

ପଡ଼ିଆ ମଧ୍ୟରେ ଲୁକାସଙ୍କୁ ଧକ୍କା
ଏହି ମ୍ୟାଚ୍‌ ଶେଷ ବେଳେ ଏକ ଅଘଟଣ ଦେଖିବାକୁ ମିଳିଥିଲା। ସୁଟ୍‌ଆଉଟ୍‌ର ଶେ‌ଷ ସୁଯୋଗରେ ଲୁକାସ ମୋଣ୍ଟେ‌କଟ ବିଫଳ ହେବାରୁ ଆର୍ଜେଣ୍ଟିନା ଖେଳାଳି ଉତ୍ସବ ମନାଇଥିଲେ। ପଡ଼ିଆ ମଧ୍ୟକୁ ଉତ୍ସବ ମନେଇବାକୁ ଆସୁଥିବା ବେଳେ ଲୁକାସଙ୍କୁ ଆର୍ଜେଣ୍ଟିନାର ଟ୍ରାଡିଓ ମାର୍କୁସି ଧକ୍କା ମାରିଥିଲେ। ଏହା ଦେଖି ଫ୍ରାନ୍ସ ଖେଳାଳି ଆର୍ଜେଣ୍ଟିନା ଖେଳାଳିଙ୍କୁ ପ୍ରତିଆକ୍ରମଣ କରିଥିଲେ। ଅମ୍ପାୟାରଙ୍କ ହ‌ସ୍ତକ୍ଷେପ ପରେ ଉଭୟ ଦଳ ଶାନ୍ତ ପଡ଼ିଥିଲେ। ଏନେଇ ପଡ଼ିଆ ମଧ୍ୟରେ କିଛି ସମୟ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହି ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି।

ଫ୍ରାନ୍ସ-ଆର୍ଜେଣ୍ଟିନା ଖେଳାଳିଙ୍କ ଧସ୍ତାଧସ୍ତି
ବାତ୍ୟା ଜୱାଦର ପ୍ରଭାବରେ ଶୁକ୍ରବାରର ଫ୍ରାନ୍ସ-ଆର୍ଜେଣ୍ଟିନା ସେମିଫାଇନାଲ୍ ଆରମ୍ଭ ହେବାର କିଛି କ୍ଷଣ ପରେ ଝିପି ଝିପି ବର୍ଷା ଆରମ୍ଭ ହୋଇଯାଇଥିଲା। ପ୍ରଥମାର୍ଦ୍ଧ ପରେ ଯାହାର ମାତ୍ରା ଟିକିଏ ବଢ଼ି ଯାଇଥିଲା। ଫଳରେ ପାଗ ପୂରା କୋହଲା ହୋଇ ଯାଇଥିଲା। ହେଲେ ମ୍ୟାଚ୍ ଯେତେବେଳେ ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇ ସୁଟଆଉଟ୍‌କୁ ଗଲା ଗ୍ୟାଲେରିରେ ଥିବା ହାତଗଣତି ଦର୍ଶକଙ୍କ ଉତ୍ସାହ ହଠାତ୍ ବଢ଼ି ଯାଇଥିଲା। ଦୁଇ ଦଳର ଖେଳାଳି ମଧ୍ୟ ଉନ୍ମାଦରେ ଭରି ଯାଇଥିଲେ। ହେଲେ ଫ୍ରାନ୍ସର ଶେଷ ସଟ୍ ପରେ ଦୁଇ ଦଳର ଖେଳାଳି ଧସ୍ତାଧସ୍ତି ହେବା ମାହୋଲରେ ଉଷ୍ମତା ଭରି ଦେଇଥିଲା। ଉଭୟ ଦଳର ଖେଳାଳି ଢେର କିଛି ସମୟ ପର୍ଯ୍ୟନ୍ତ ପରସ୍ପରକୁ ପେଲା ଠେଲା କରିଥିଲେ।

ହାତାହାତି ହେବା ପୂର୍ବରୁ ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ଯାଇ ମାମଲା ଶାନ୍ତ ପଡ଼ିଥିଲା। ଫ୍ରାନ୍ସ ଖେଳାଳି ପରାଜୟର ଘୋର ଦୁଃଖକୁ ନେଇ ନିଜ ଡଗଆଉଟ୍‌କୁ ଫେରିଥିଲେ। ଜଣେ ଦୁଇ ଜଣ ଖେଳାଳି ଆର୍ଜେଣ୍ଟିନା ଖେଳାଳିଙ୍କ ସହ ହାତ ମିଳାଇଥିଲେ। ଅନ୍ୟମାନେ ଆର୍ଜେଣ୍ଟିନା ଖେଳାଳିଙ୍କୁ ଅଣଦେଖା କରିଥିଲେ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଖେଳାଳିମାନେ ପଡ଼ିଆ ଭିତରେ ଉଗ୍ର ବିଜୟ ଉତ୍ସବ ପାଳନ କରିଥିଲେ।

ସମ୍ବନ୍ଧିତ ଖବର