ଭୁବନେଶ୍ବର: ପୂର୍ବ, ପଶ୍ଚିମ ସହ ଉତ୍ତର ଓ ଦକ୍ଷିଣ ଗ୍ୟାଲେରି ବି ପୂରା ଖାଲି ପଡ଼ିଥିଲା। ନଥିଲା ଦର୍ଶକଙ୍କ କୋଳାହଳ କି କରତାଳି। ଦ୍ବିତୀୟ ମହଲାରେ ଥିଲେ ସିଧା ପ୍ରସାରଣ କରୁଥିବା କ୍ୟାମେରାମ୍ୟାନ୍ ଆଉ ତଳେ ପଇଁତରା ମାରୁଥିଲେ କିଛି ସୁରକ୍ଷାକର୍ମୀ। ଖେଳାଳି ଖେଳରେ ମାତିଥିଲେ। ହେଲେ ଟର୍ଫ ଚାରିପଟେ ନିୟୋଜିତ ବଲ୍ ବୟ ଉତ୍ସାହିତ ଥିଲା ଭଳି ଆଦୌ ଲାଗୁ ନଥିଲେ। ଆଉ ଡଗଆଉଟ୍ରେ ଥିବା ସଂରକ୍ଷିତ ଖେଳାଳି ସମ୍ଭବତଃ ଥିଲେ ସର୍ବାଧିକ ଦର୍ଶକ। ଚିରାଚରିତ ଭାବେ ଦକ୍ଷିଣ ପଶ୍ଚିମ କୋଣରେ ବସୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବି ନଥିଲା ପୂର୍ବର ସେହି ପୁରୁଣା ଉନ୍ମାଦନା।
ପୂରା ଷ୍ଟାଡିୟମ୍ ଯେମିତି ତା’ର ପ୍ରିୟ ହକି ପାଗଳ ପ୍ରଶଂସକଙ୍କୁ ଘୁମୁରିଘୁମୁରି ଝୁରୁଥିଲା। ହକି ଇଣ୍ଡିଆ, ଏଫ୍ଆଇଏଚ୍, କ୍ରୀଡ଼ା ବିଭାଗ ଅଧିକାରୀ, ଅମ୍ପାୟାର, ବୈଷୟିକ ଅଧିକାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମିଶାଇ ପାଖାପାଖି ୫୦୦ ଲୋକ ହିଁ ଷ୍ଟାଡିୟମ୍ ଭିତରେ ଥିଲେ। ଏଭଳି ଏକ ନିରାଶ ତଥା ନିରାଡ଼ମ୍ବର ପରିବେଶ ଭିତରେ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ବୁଧବାର ଆରମ୍ଭ ହୋଇଛି କନିଷ୍ଠ ପୁରୁଷ ହକି ବିଶ୍ବକପ୍। କରୋନା ପାଇଁ ଯେମିତି ବିଗିଡ଼ି ଯାଇଛି। ହକି ପ୍ରତିଯୋଗିତା ବେଳେ କମ୍ପୁଥିବା କଳିଙ୍ଗ ଷ୍ଟାଡିୟମ୍ ଆଜି ପୂରା ଶାନ୍ତ ପଡ଼ିଯାଇଛି।
ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ଭିତରେ ଚାଲୁଥିଲେ ମଧ୍ୟ ଷ୍ଟାଡିୟମ୍ ବାହାର ପରିବେଶ ଥିଲା ଆହୁରି ଖାଁଖାଁ। ଛୋଟ ହେଉ କି ବଡ଼, ଜାତୀୟ ଅଥବା ଅନ୍ତର୍ଜାତୀୟ ସବୁ ହକି ପ୍ରତିଯୋଗିତାକୁ ଅଜସ୍ର ଭଲ ପାଇବା ଅଜାଡ଼ି ଦେଉଥିବା ଓଡ଼ିଶା ହକିପ୍ରେମୀ ଭିତରେ ବିଶ୍ବକପ୍ ଚାଲୁଛି ବୋଲି ଯେମିତି ଜାଣି ନଥିଲେ। ଟିକେଟ କାଉଣ୍ଟର ନଥିଲା। ଟିକେଟ୍ କାଉଣ୍ଟରରେ ମୁଣ୍ଡ ଛିଣ୍ଡି ଗଲା ଭଳି ଗହଳି ବି ନଥିଲା। ଉତ୍ସାହୀ ପ୍ରଶଂସକଙ୍କୁ ନିୟନ୍ତ୍ରଣ କରିବା ଲାଗି ନାକେଦମ ହେଉଥିବା ସୁରକ୍ଷାକର୍ମୀ ବେଶ୍ ଆରାମରେ ଛିଡ଼ା ହୋଇଥିଲେ। ଷ୍ଟାଡିୟମ୍ ସାମ୍ନା ରାସ୍ତା ବି ବେଶ୍ ସ୍ବାଭାବିକ ଥିଲା। କଟକଣା କିମ୍ବା ଟ୍ରଫିକର କୌଣସି ସମସ୍ୟା ନଥିଲା। ଭୁବନେଶ୍ବର କନିଷ୍ଠ ପୁରୁଷ ବିଶ୍ବକପ୍ କିନ୍ତୁ ପ୍ରଥମ ଓ ଏକମାତ୍ର ଦର୍ଶକ ବିହୀନ ବିଶ୍ବକପ୍ ହେବାର ବିଡ଼ମ୍ବିତ କୀର୍ତ୍ତିମାନ କରିଥିଲା।
ଖାଲି ଗ୍ୟାଲେରି, ଖାଁ ଖାଁ ପରିବେଶ
କରୋନା କଟକଣା ପାଇଁ ଦର୍ଶକଙ୍କ ପ୍ରବେଶ ଉପରେ ଅଙ୍କୁଶ ଜାରି ହୋଇଛି। ଅର୍ଥାତ୍ ବିନା ଦର୍ଶକରେ କଳିଙ୍ଗ ଷ୍ଟାଡିୟମରେ ବିଶ୍ବକପ୍ ଆୟୋଜିତ ହେଉଛି। ସେଥିପାଇଁ ସବୁ ମ୍ୟାଚ୍ରେ ଆପାତତଃ ଖଚାଖଚ୍ ଭରି ରହୁଥିବା କଳିଙ୍ଗ ହକି ଷ୍ଟାଡିୟମ୍ର ଚାରିଟି ଯାକ ଗ୍ୟାଲେରି ଖାଲି ପଡ଼ିଥିଲା। ଲାଲ ରଙ୍ଗର ଚୌକି ହିଁ ଦର୍ଶକସାଜିଥିଲେ। ସେହିଭଳି ନା ଥିଲା ବାଜା ବାଣର ଆସର ନା ବଲିଉଡ୍ ଗୀତର ସମ୍ଭାର। ମଝିରେ ମଝିରେ କିଛି ଗୀତ ବାଜୁଥିଲା। ପରେ ଯାହା ବନ୍ଦ ହୋଇଯାଇଥିଲା। ଦର୍ଶକ ନଥିବାରୁ ମାହୋଲ ବି ପୂରା ଖାଁ ଖାଁ ଥିଲା। ବିଭିନ୍ନ ବ୍ୟବସ୍ଥାରେ ବି ତାଳମେଳ ନଥିଲା ବୋଲି ଲାଗୁଥିଲା। ତେବେ ଶେଷ ସମୟର ନୋଟିସ୍ ଏବଂ କରୋନା କାଳରେ ଓଡ଼ିଶା ସରକାର ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ସାହସ ଦେଖାଇଥିବାରୁ ବାହାରୁ ଆସିଥିବା ହକି ଇଣ୍ଡିଆ ଅଧିକାରୀ, ଏଫ୍ଆଇଏଚ୍ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ତେବେ ଭିତରେ ମ୍ୟାଚ୍ ଚାଲୁଥିଲା ବେଳେ ବାହାରେ ହକିପ୍ରେମୀ ଖେଳ ଦେଖିବା ଲାଗି ଡହଳ ବିକଳ ହେଉଥିବା ଲକ୍ଷ୍ୟ କରାଯାଇଥିଲା। କିଛି ଉତ୍ସାହୀ ଦର୍ଶକ ଷ୍ଟାଡିୟମ୍ ଫାଟକ ବାହାରେ ଟିକେଟ୍ ପାଇଁ ଏବଂ ବିଶ୍ବକପ୍ ସଂପର୍କିତ ଖବର ନେଇ ପଚରା ଉଚରା କରୁଥିବାର ସୂଚନା ବି ମିଳିଥିଲା।
ଜୟପୁର, ରାଞ୍ଚିରେ ଖୋଲା, ଭୁବନେଶ୍ବରରେ ତାଲା
କରୋନା ସତର୍କତା ଓ ସୁରକ୍ଷା ପାଇଁ ଓଡ଼ିଶା ସରକାର, ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଥଆଇଏଚ୍) ବିନା ଦର୍ଶକରେ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ନିଷ୍ପତ୍ତିକୁ ଓଡ଼ିଶା ହକିପ୍ରେମୀ ଆଦୌ ପସନ୍ଦ କରୁନଥିଲା ଭଳି ଲାଗୁଛି। ପୂରା କ୍ଷମତା ନହେଲେ ନାଇ ସାମାଜିକ ଦୂରତା ଏବଂ ଅନ୍ୟ କରୋନା ସତର୍କତାକୁ ଅନୁସରଣ କରି ଅନ୍ୟୂନ କିଛି ଦର୍ଶକଙ୍କୁ ଷ୍ଟାଡିୟମ୍ ଯାଇ ମ୍ୟାଚ୍ ଦେଖିବାର ସୁଯୋଗ ଦେଇଥିଲେ ଭଲ ହୋଇଥା’ନ୍ତା ବୋଲି ସେମାନେ ଦାବି କରିଛନ୍ତି। ଏହିକ୍ରମରେ ହକିପ୍ରେମୀ ନିକଟରେ ଶେଷ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ କ୍ରିକେଟ୍ ଶୃଙ୍ଖଳାର ଉଦାହରଣ ଦେଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୟପୁର, ରାଞ୍ଚି ଓ କୋଲକାତାରେ ଖେଳାଯାଇଥିଲା ବେଳେ ସେଠାରେ ଷ୍ଟାଡିୟମ୍ର ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଖେଳାଯାଇଥିଲା। ଅର୍ଥାତ୍ ଦର୍ଶକଙ୍କ ଷ୍ଟାଡିୟମ୍ ପ୍ରବେଶ ଏବଂ ଗ୍ୟାଲେରିରେ ବସି ମ୍ୟାଚ୍ ଦେଖିବାରେ କୌଣସି କଟକଣା ନଥିଲା। ଯଦିଓ ଏହି ତିନିଟି ଯାକ ଷ୍ଟାଡିୟମରେ ଦର୍ଶକ କ୍ଷମତା କୌଣସି ହକି ଷ୍ଟାଡିୟମ୍ଠାରୁ ଅଧିକ। ଏଣୁ ଯଦି ଜୟପୁର ଓ ରାଞ୍ଚିରେ ଦର୍ଶକ ଷ୍ଟାଡିୟମ୍ ଯାଇ ମ୍ୟାଚ୍ ଦେଖି ପାରୁଛନ୍ତି, ତାହେଲେ ଭୁବନେଶ୍ବରରେ କାହିଁକି ନୁହେଁ ବୋଲି ଅନେକ ଅସନ୍ତୁଷ୍ଟ ହକିପ୍ରେମୀ ପ୍ରଶ୍ନ କରିଛନ୍ତି। କେହି କେହି ଜୟପୁର, ରାଞ୍ଚିରେ ଖୋଲା ଭୁବନେଶ୍ବରରେ କାହିଁକି ତାଲା ବୋଲି କ୍ଷୋଭର ସହ କହିଥିଲେ।
ଶ୍ରଦ୍ଧାଞ୍ଜଳି ଆରମ୍ଭ କଲେ, ବୀରୁ ଟ୍ରଫି ଦେଲେ
ବୁଧବାର ସକାଳର ବେଲଜିୟମ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ଭାରତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମସ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ହକି ଇଣ୍ଡିଆ ଅଧିକାରୀଙ୍କ ଗହଣରେ ପଡ଼ିଆ ଭିତରକୁ ଆସି ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଏହା ପରେ ଦୁଇ ଦଳର ଜାତୀୟ ସଂଗୀତ ଗାନ ସହ ବିଶ୍ବକପ୍ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ମ୍ୟାଚ୍ ଶେଷ ହେବା ପରର ମୁଖ୍ୟ ଆକର୍ଷଣ ଥିଲେ ଅଲିମ୍ପିକ୍ସ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା। ବୀରେନ୍ଦ୍ର ଏହି ମ୍ୟାଚ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ବେଲଜିୟମର ୧୩ ନମ୍ବର ଖେଳାଳି ଦୁଭେକୋଟ ରୋମନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଟ୍ରଫି ପ୍ରଦାନ କରିଥିଲେ।