ଜୁନିୟର ପୁରୁଷ ହକି ବିଶ୍ବକପ୍‌: ଜର୍ମାନି ପୁଲ୍‌ ‘ଡି’ ଟପ୍ପର୍‌

ଭୁବନେଶ୍ବର: ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ପୁଲ୍-ଡି’ରେ ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନି ଶୀର୍ଷ ସ୍ଥାନରେ ରହିଛି। ୩ ମ୍ୟାଚ୍‌ରୁ ୩ ବିଜୟ ସହ ପୂରା ୯ ପଏଣ୍ଟ୍‌ ଅର୍ଜନ କରି ଅପରାଜେୟ ଭାବେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଜର୍ମାନି ତାର ପ୍ରଥମ ମ୍ୟାଚ୍‌ରେ ୫-୨ରେ ପାକିସ୍ତାନକୁ ହରାଇଥିଲା। ସେହିଭଳି ଦ୍ବିତୀୟରେ ଆର୍ଜେଣ୍ଟିନାକୁ ୩-୨ରେ ଏବଂ ରବିବାର ତୃତୀୟ ମୁକାବିଲାରେ ଇଜିପ୍ଟକୁ ୧୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଏହି ଗ୍ରୁପ୍‌ର ଦ୍ବିତୀୟ ସ୍ଥାନରେ ରହି ଆର୍ଜେଣ୍ଟିନା କ୍ବାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପାକିସ୍ତାନ ଓ ଇଜିପ୍ଟ ଶେଷ ଦୁଇ ସ୍ଥାନରେ ରହି କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଉଭୟ ଏବେ ନବମରୁ ଷୋଡ଼ଶ ସ୍ଥାନ ପାଇଁ ଖେଳିବେ।

ଇଜିପ୍ଟ ୭-୦ରେ ହାରିଲା
ଜର୍ମାନି-ଇଜିପ୍ଟ ମଧ୍ୟରେ ଖେଳାଯାଇଥିବା ଶେଷ ପୁଲ୍ ମ୍ୟାଚ୍‌ରେ ଜର୍ମାନି ଆଶାଜନକ ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ବାର୍ଟରରେ ଦୁଇଟି ଗୋଲ୍ ଦେବା ପରେ ଦ୍ବିତୀୟରେ ଆଉ ପାଞ୍ଚଟି ଗୋଲ୍ ଦେଇ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ଅନଭିଜ୍ଞ ଇଜିପ୍ଟ ମ୍ୟାଚ୍‌କୁ ଫେରିବାର କୌଣସି ସମ୍ଭାବନା ନଥିଲା ବେଳେ ଜର୍ମାନି ଗୋଲ୍ ପରେ ଗୋଲ୍ ଦେଇ ଚାଲିଥିଲା। ସେହିଭଳି ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଦୁଇଟି ଲେଖାଏଁ ଗୋଲ୍ ଦେଇ ୧୧-୦ରେ ଏକତରଫା ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଓଡ଼ିଶାର ବିଶ୍ବ ରଞ୍ଜନ ଷଡ଼ଙ୍ଗୀ ସ୍କୋରିଂ ଜଜ୍ ଦାୟିତ୍ବ ସଫଳତାର ସହ ତୁଲାଇଥିଲେ। ମ୍ୟାଚ୍ ପୂର୍ବରୁ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ଶେଷ ହେବା ପରେ ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍‌ ଶିବ ସୁନ୍ଦର ଦାସ ଅତିଥି ଭାବେ ଯୋଗ ଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜର୍ମାନିର ମାଇକେଲ ଷ୍ଟ୍ରଥଫ୍‌ଙ୍କୁ ପ୍ରଦାନ କରିଥିଲେ।

ଆର୍ଜେଣ୍ଟିନାଠୁ ହାରି ପାକିସ୍ତାନ କ୍ବାର୍ଟରରୁ ବାଦ୍
ରବିବାର ସଂଧ୍ୟାରେ ଖେଳାଯାଇଥିବା ପୁଲ୍‌-ଡି’ର ଆର୍ଜେଣ୍ଟିନା-ପାକିସ୍ତାନ ମ୍ୟାଚ୍‌ରେ ଉଭୟ ଦଳ କର ବା ମର ସ୍ଥିତିରେ ଥିଲେ। ଏହି ମ୍ୟାଚ୍ ମଧ୍ୟ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ତେବେ ଶେଷରେ ଆର୍ଜେଣ୍ଟିନା ଉନ୍ନତ ତାଳମେଳ ପାଇଁ ୪-୩ ଗୋଲ୍‌ରେ ବାଜି ମାରି ନେଇଥିଲା। ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ଆର୍ଜେଣ୍ଟିନା ଏହି ଗ୍ରୁପ୍‌ର ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଥିଲା। ଅନ୍ୟପକ୍ଷରେ ପୂର୍ବ ବିଜେତା ପାକିସ୍ତାନ ଲଢ଼ୁଆ ଖେଳ ଖେଳିବା ସତ୍ତ୍ବେ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟରୁ ବାଦ ପଡ଼ିଥିଲା।

ଆର୍ଜେଣ୍ଟିନା ଏହି ମ୍ୟାଚ୍‌ର ଦଶମ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲା। ଏହା ପରେ ୨୦, ୩୦ ଓ ୪୭ ମିନିଟ୍‌ରେ ଆଉ ୩ଟି ଗୋଲ୍ ଦେବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ପାକିସ୍ତାନ ୧୭, ୨୮ ଓ ୫୩ ମିନିଟ୍‌ରେ ଗୋଲ୍ ଦେଇଥିଲା। ମ୍ୟାଚ୍‌ସାରା ଆର୍ଜେଣ୍ଟିନା ଆଗୁଆ ରହିଥିଲା। ପାକିସ୍ତାନ କେବଳ ଏହି ଲାଟିନ୍ ଆମେରିକୀୟ ଦଳ ଦେଇଥିବା ଗୋଲ୍‌କୁ ଶୁଝାଇବାକୁ ଚେଷ୍ଟା କରି ପରାଜିତ ହୋଇଥିଲା। ଆର୍ଜେଣ୍ଟିନାର ବାତସ୍ତା କାପୁରୋ, ଇଗ୍ନାସିଓ ନାର୍ଦୋଲିଲୋ, ରୁଇଜ୍ ଫ୍ରାନସିସ୍କୋ ଏବଂ ଇବାରା ଇଗ୍ନିସିଓ ଗୋଲ୍ ଦେଇଥିଲେ। ପାକିସ୍ତାନ ପକ୍ଷରୁ ଅଧିନାୟକ ରାଣା ଅବଦୁଲ, ରିଜୱାନ ଅଲ୍ଲୀ ଓ ଅକିଲ ଅହମ୍ମଦ ଗୋଲ୍ କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ଓଡ଼ିଶା ବାସ୍କେଟବଲ୍ ସଂଘର ସଂପାଦକ ଅଶୋକ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଅନ୍ୟପକ୍ଷରେ ମ୍ୟାଚ୍ ଶେଷ ପରେ ଅନ୍ତର୍ଜାତୀୟ ଆଥଲେଟ୍‌ ସୁଷମା ବେହେରା ଅତିଥି ଭାବେ ଯୋଗଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଆର୍ଜେଣ୍ଟିନାର ମାତିଓ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର