କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ସ୍ପେନ୍‌କୁ ସୁଟଆଉଟ୍‌ କଲା ଜର୍ମାନି

ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଚଳିତ ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ର ବୁଧବାରଠାରୁ ଆରମ୍ଭ ହୋଇଥିବା କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟାୟର ଅତି ଉତ୍କଣ୍ଠାପୂର୍ଣ୍ଣ ପ୍ରଥମ ମୁକାବିଲାରେ ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନି (୬ ଟ୍ରଫି ବିଜୟୀ) ସୁଟ୍‌ଆଉଟ୍‌ରେ ୩-୧ (୨-୨) ଗୋଲ୍‌ରେ ସ୍ପେନ୍‌କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଏହି ବିଜୟ ସହ ଜର୍ମାନି ଦଶମ ଥର ପାଇଁ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ସ୍ପେନ୍ ଦ୍ବିତୀୟ ଥର ପାଇଁ ସେମିଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଛି।

ଆଜିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସ୍ପେନ୍ ତୁଳନାତ୍ମକ ଭାବେ ଅଧିକ ଆକ୍ରମଣାତ୍ମକ ହକି ଖେଳିଥିଲା। ଏହି ଦଳ ଜର୍ମାନି ସର୍କଲକୁ ଅଧିକ ଥର ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା। ହେଲେ ଗୋଲ୍ ରୂପାନ୍ତରରେ ପଛୁଆ ରହି ଜିତିବା ମ୍ୟାଚ୍‌କୁ ହାରିଥିଲା। ତଥାପି ନିର୍ଦ୍ଧାରିତ ୬୦ ମିନିଟ୍ ଖେଳରେ ଚତୁର ଓ କୁଶଳୀ ଜର୍ମାନିକୁ ରୋକିବାକୁ ସକ୍ଷମ ହୋଇଥିଲା।

ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଅବଶ୍ୟ କ୍ରିଷ୍ଟୋଫର କୁଟର ପ୍ରଥମ ଗୋଲ୍ ଦେଇ ଜର୍ମାନିକୁ ଆଗୁଆ କରି ଦେଇଥିଲେ। ୬ ମିନିଟ୍ ପରେ ସ୍ପେନ୍‌ର ପ୍ରତିଭାବାନ୍ ଯୁବ ତାରକା ଇଗ୍ନାସିଓ ଆବାଜୋ ଏହି ଗୋଲ୍‌ଟିକୁ ସଫଳତାର ସହ ଶୁଝି ଦେଇଥିଲେ। ପରବର୍ତ୍ତୀ ୩୮ ମିନିଟ୍ ପର୍ଯ୍ୟନ୍ତ କିନ୍ତୁ ଆଉ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ହେଲେ ଶେଷ ଦୁଇ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ମ୍ୟାଚ୍‌କୁ ୨-୨ ଗୋଲ୍‌ରେ ଶେଷ କରିଥିଲେ। ଫଳରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା।

ଏଥିରେ ଗୋଲ୍‌ରକ୍ଷକ ଜିନ୍ ଡାନେବର୍ଗଙ୍କ ଜବରଦସ୍ତ ପ୍ରୟାସ ବଳରେ ଜର୍ମାନି ୩-୧ରେ ବାଜି ମାରି ନେଇଥିଲା। ଜର୍ମାନି ପକ୍ଷରୁ ମିଚେଲ ଷ୍ଟ୍ରଥଫ, ହାନ୍ସ ମୁଲର, ପଲ୍ ସ୍ମିଥ୍ ଗୋଲ୍ କରିବାକୁ ସକ୍ଷମ ହୋଇଥିଲେ। ସ୍ପେନ୍ ପାଇଁ ଜେରାଡ୍ କ୍ଲେପ୍ସ ସଫଳ ହୋଇଥିଲେ। ତେବେ ଏଡୁୱାର୍ଡ ଡି’ ଇଗ୍ନାସିଓ ସିମୋ, ଇଗ୍ନାସିଓ ଆବାଜୋ ଓ ଗୁଲେର୍ମୋ ଫର୍ତୁନୋଙ୍କ ପ୍ରୟାସକୁ ଡାନେବର୍ଗ କୌଶଳର ସହ ନିଷ୍ଫଳ କରି ଦେଇ ଜର୍ମାନିକୁ ସେମିଫାଇନାଲ୍‌ରେ ପହଞ୍ଚାଇ ଦେଇଥିଲେ। ଆଶା ଜନକ ଭାବେ ସେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କଠାରୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହା ପୂର୍ବରୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂହ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଏହି ମ୍ୟାଚ୍‌ରେ ଓଡ଼ିଶାର ବିଶ୍ବରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇଥିଲେ।

ଅଟକିଲା ଅପରାଜେୟ ନେଦରଲାଣ୍ଡ୍ସ

ପୁଲ୍ ପର୍ଯ୍ୟାୟର ତିନିଟି ଯାକ ମ୍ୟାଚ୍‌ରେ ଆଧିପତ୍ୟଭରା ବିଜୟ ହାସଲ କରିଥିବା ଶକ୍ତିଶାଳୀ ନେଦରଲାଣ୍ଡ୍ସର ପ୍ରଥମ କନିଷ୍ଠ ପୁରୁଷ ବିଶ୍ବକପ୍ ଜିତିବା ସ୍ବପ୍ନ ପୁଣି ଥରେ ମଉଳି ଯାଇଛି। ପୁଲ୍‌-ସିର ପ୍ରଥମ ସ୍ଥାନରେ ରହି କ୍ବାର୍ଟର ଫାଇନାଲ୍‌ ଯାଇଥିବା ନେଦରଲାଣ୍ଡ୍ସ ବୁଧବାରର ତୀବ୍ର ସଂର୍ଘପୂର୍ଣ୍ଣ ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ ପୁଲ-ଡି’ର ଦ୍ବିତୀୟ ସ୍ଥାନ ଦଳ ଆର୍ଜେଣ୍ଟିନାଠାରୁ ୧-୨ ଗୋଲ୍‌ରେ ହାରି ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି। ଅନ୍ୟପକ୍ଷରେ ମ୍ୟାଚ୍ ୧-୧ରେ ଥାଇ ସୁଟ୍‌ଆଉଟ୍ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଲାଟିନ୍ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଶେଷ ଦୁଇ ମିନିଟ୍‌ରେ ଦେଇଥିବା ଗୋଲ୍ ବଳରେ ରୋମାଞ୍ଚକର ବିଜୟ ହାସଲ କରିବା ସହ ସେମିଫାଇନାଲ୍ ଟିକେଟ୍‌ ହାସଲ କରି ନେଇଛି। ତା ସହ ନିଜ ଦ୍ବିତୀୟ କନିଷ୍ଠ ବିଶକପ୍ ଜିତିବା ଦିଗରେ ଅଗ୍ରସର ହୋଇଛି।

ଏହି ଘଟଣା ବହୁଳ ମୁକାବିଲାର ପ୍ରଥମ କ୍ବାର୍ଟରରେ ଉଭୟ ଦଳ ପରସ୍ପରର ବଳ ତଉଲିବାରେ କଟାଇଥିଲେ। ଫଳରେ ଏଥିରେ ଗୋଟିଏ ହେଲେ ବି ଗୋଲ୍ ଦେଖିବାକୁ ମିଳି ନଥିଲା। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ଉଭୟ ଦଳ ଦୁଇ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ଆର୍ଜେଣ୍ଟିନା ମ୍ୟାଚ୍‌ର ପ୍ରଥମ ଗୋଲ୍ ଫିଲ୍ଡ ଗୋଲ୍ ମାଧ୍ୟମରେ ୨୪ ମିନିଟ୍‌ରେ ଦେଇଥିଲା।

ଏହି ଗୋଲ୍‌ଟିକୁ ଜୋଆକିନ୍ କ୍ରୁଗର କରିଥିଲେ। ୨୫ ମିନିଟ୍‌ରେ ପ୍ରତିଆକ୍ରମଣରୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ନେଦରଲାଣ୍ଡ୍ସର ତାରକା ଖେଳାଳି ମାଇଲ୍ସ ବୁକେନ୍ସ ସ୍ଥିତି ବରାବର କରି ନେଇଥିଲେ। ତୃତୀୟ କ୍ବାର୍ଟର ପୁଣି ଥରେ ଗୋଲ୍ ଶୂନ୍ୟ ରହିଥିଲା। ତେବେ ୫୯ ମିନିଟ୍‌ରେ ଫ୍ରାଙ୍କୋ ଅଗସ୍ତିନିଙ୍କ ଫିଲ୍ଡ ଗୋଲ୍ ବଳରେ ଆର୍ଜେଣ୍ଟିନା ମ୍ୟାଚ୍ ଜିତିନେବା ସହ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ମ୍ୟାଚ୍ ପୂର୍ବରୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କି ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ପରେ ସୂଚନା ପ୍ରଯୁକ୍ତି ଏବଂ ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଅତିଥି ଭାବେ ଯୋଗଦେଇ ଆର୍ଜେଣ୍ଟିନାର ଟାଡିଓ ମାର୍ଗୋସିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ତିମୋଥିଙ୍କ ହ୍ୟାଟ୍ରିକ୍‌ରେ ମାଲେସିଆକୁ ମାତ୍ ଦେଲା ଫ୍ରାନ୍ସ

ବୁଧବାରର ତୃତୀୟ କ୍ବାର୍ଟର ଫାଇନାଲ୍ ମୁକାବିଲାରେ ଫ୍ରାନ୍ସ-ମାଲେସିଆ ମୁହାଁମୁହିଁ ହୋଇଥିଲେ। ଏଥିରେ ଫ୍ରାନ୍ସ ୪-୦ ଗୋଲ୍‌ର ଆଧିପତ୍ୟଭରା ବିଜୟ ହାସଲ କରି ୮ ବର୍ଷ ପରେ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହି ଏକତରଫା ମ୍ୟାଚ୍‌ରେ ଫ୍ରାନ୍ସ ପ୍ରଥମ କ୍ବାର୍ଟରର ଚତୁର୍ଦଶ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରକୁ ‌ ଗୋଲ୍‌ରେ ରୂପାନ୍ତର କରି ନିଜ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ୨୪, ୨୧ ଓ ୬୦ ମିନିଟ୍‌ରେ ଆଉ ତିନିଟି ଗୋଲ୍ ଦେଇ ଆତ୍ମବିଶ୍ବାସର ସହ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଫ୍ରାନ୍ସର ସବୁ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା।

ଅନ୍ୟପକ୍ଷରେ ମାଲେସିଆ ଏକାଧିକ ସୁଯୋଗ ହାତଛଡ଼ା କରି ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଥିଲା। ତାଳମେଳର ଅଭାବ ପାଇଁ ଏହି ଦଳ ଗୋଟିଏ ହେଲେ ବି ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲା। ଫ୍ରାନ୍ସ ପକ୍ଷରୁ ଗୋଲ୍‌ଗୁଡ଼ିକ ଅଧିନାୟକ ତିମୋଥି କ୍ଲେମେଣ୍ଟ (ହ୍ୟାଟ୍ରିକ୍ ଗୋଲ୍) ଓ ମାଥିସ୍ କ୍ଲେମେଣ୍ଟ ଦେଇଥିଲେ। ଆୟୋଜକ ଭାରତ ବିପକ୍ଷ ପ୍ରଥମ ପୁଲ୍‌ ମ୍ୟାଚ୍‌ରେ ମଧ୍ୟ ତିମୋଥି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ୨୦୧୮ ବରିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ମଧ୍ୟ ସେ ନିଜ ଯାଦୁ ଦେଖାଇଥିଲେ। ବୁଧବାର ଏହି ମ୍ୟାଚ୍‌ରେ ମଧ୍ୟ ଓଡ଼ିଶାର ବିଶ୍ବ ରଞ୍ଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇଥିଲେ।

ମ୍ୟାଚ୍ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମର କମିସନର ସଂଜୟ କୁମାର ସିଂହ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ମ୍ୟାଚ୍ ଶେଷରେ ଭୁବନେଶ୍ବର-କଟକ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅତିଥି ଭାବେ ଯୋଗ ଦେଇ ତିମୋଥିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର