ଭୁବନେଶ୍ୱର : ଶେଷ ପୁଲ୍ ମ୍ୟାଚ୍ରେ ପୋଲାଣ୍ଡକୁ ଏକତରଫା ଭାବେ ୮-୨ ଗୋଲ୍ରେ ପରାସ୍ତ କରି ଭାରତ କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍ର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। କ୍ବାର୍ଟର ଫାଇନାଲ୍ରେ ଆୟୋଜକ ଭାରତ ପୁଲ-ଏ’ ଟପ୍ପର ବେଲ୍ଜିୟମକୁ ଭେଟିବ। ଏହି ମ୍ୟାଚ୍ ଡିସେମ୍ବର ପହିଲାରେ ଖେଳାଯିବ।
ଭାରତ ତା’ର ଅଭିଯାନ ଗ୍ରୁପ୍-ବି ଟପର ଫ୍ରାନ୍ସଠାରୁ ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନରେ ହାରି ଆରମ୍ଭ କରିଥିଲା। ଏହା ପରେ କାନାଡାକୁ ୧୩-୧ରେ ପରାସ୍ତ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶନିବାର ତୃତୀୟ ତଥା ଶେଷ ପୁଲ୍ ମ୍ୟାଚ୍କୁ ଷ୍ଟାଇଲର ସହ ଜିତି ୩ ମ୍ୟାଚ୍ରୁ ୨ ବିଜୟ ସହ ୬ ପଏଣ୍ଟ ପାଇଛି। ତା ସହ ଗ୍ରୁପ୍ ବି’ର ଦ୍ବିିତୀୟ ସ୍ଥାନ ଦଳ ଭାବେ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଆଜି ଦୁଇଟି ଗୋଲ୍ ଦେଇ ଓଡ଼ିଆ ତାରକା ସୁଦୀପ ଚିର୍ମାକୋ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ସ୍ଥାନୀୟ ହକିପ୍ରେମୀଙ୍କୁ ଉଲ୍ଲସିତ କରିଛି। ପୁଲ୍ ବି’ରୁ ଭାରତ ସହ ଫ୍ରାନ୍ସ ମଧ୍ୟ କ୍ବାର୍ଟର ଫାଇନାଲ୍କୁ ଯାଇଛି। ଅନ୍ୟପକ୍ଷରେ ପୋଲାଣ୍ଡ ୩ ମ୍ୟାଚ୍ରୁ ମାତ୍ର ଗୋଟିଏ ବିଜୟ ହାସଲ କରି କ୍ବାର୍ଟର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ପର୍ବରୁ ତିନିଟି ପରାଜୟ ପାଇଁ ପୁଲ୍-ବି’ର ଅନ୍ୟତମ ଦଳ କାନାଡା ମଧ୍ୟ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିସାରିଛି।
କ୍ବାର୍ଟର ଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଥିଲା। ଭାରତୀୟ ଦଳ ମଧ୍ୟ ଏହି ଆଭିମୁଖ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଆରମ୍ଭରୁ ଘନ ଘନ ଆକ୍ରମଣ କରି ଅନଭିଜ୍ଞ ପୋଲାଣ୍ଡ ଉପରେ ଚାପ ସୃଷ୍ଟି କରିଥିଲା। ପୋଲାଣ୍ଡ ରକ୍ଷଣଭାଗ ଏହି ଚାପକୁ ସମ୍ଭାଳିନପାରି ଚତୁର୍ଥ ମିନିଟ୍ରେ ପ୍ରଥମ ଗୋଲ୍ ବରଣ କରିଥିଲା। ଏହି ଗୋଲ୍କୁ ଭାରତର ଅଗ୍ରଣୀ ଗୋଲ୍ ସ୍କୋରର ସଞ୍ଜୟ ଦେଇଥିଲେ। ତାଙ୍କ ସହ ଭାରତର ଗତ ମ୍ୟାଚ୍ରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଅରାଇଜିତ ସିଂ ହୁଣ୍ଡାଲ ମାତ୍ର ୪ ମିନିଟ୍ ପରେ ପୋଲାଣ୍ଡ ରକ୍ଷଣଭାଗକୁ ଚକ୍ମା ଦେବାକୁ ସକ୍ଷମ ହୋଇଥିଲେ। ଫଳରେ ଭାରତ ୮ ମିନିଟ୍ ଭିତରେ ୨-୦ ଗୋଲ୍ରେ ଆଗୁଆ ହୋଇଯାଇଥିଲା। ଦୁଇଟି ଯାକ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା। ତେବେ ସ୍ଥାନୀୟ ହକିପ୍ରେମୀଙ୍କ ପାଇଁ ସବୁଠୁ ଭଲ ଖବର ୨୪ ମିନିଟ୍ରେ ଆସିଥିଲା। ସ୍ଥାନୀୟ ତାରକା ତଥା ଓଡ଼ିଆ ପୁଅ ସୁଦୀମ ଚିର୍ମାକୋ ପାଖାପାଖି ୩୦ ଫୁଟ ଦୂରରୁ ବଲ୍କୁ ନିଜ ନିୟନ୍ତ୍ରଣକୁ ନେଇ ପ୍ରଥମେ ପ୍ରତିପକ୍ଷ ରକ୍ଷଣଭାଗ ଏବଂ ପରେ ଗୋଲ୍ ରକ୍ଷକଙ୍କୁ ଅତିକ୍ରମ କରି ଏକ ଆଖିଦୃଶିଆ ଫିଲ୍ଡ ଗୋଲ୍ ଦେଇଥିଲେ। ୩୪ ଓ ୩୮ ମିନିଟ୍ରେ ଯଥାକ୍ରମେ ଉତ୍ତମ ସିଂହ ଓ ଶାରଦା ନନ୍ଦ ତିୱାରୀ ଦୁଇଟି ଗୋଲ୍ ଦେବା ପରେ ସୁଦୀପ ୪୦ତମ ମିନିଟ୍ରେ ଆଉ ଏକ ସୁନ୍ଦର ଗୋଲ୍ ଦେଇ ଭାରତୀୟ ଶିବିରରେ ଉତ୍ସାହ ଓ ଉନ୍ମାଦନା ଭରି ଦେଇଥିଲେ।
ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍ ଦେଇ ଭାରତକୁ ସେ ତୃତୀୟ କ୍ବାର୍ଟର ସୁଦ୍ଧା ୬-୦ରେ ଆଗୁଆ କରି ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଅବଶ୍ୟ ପୋଲାଣ୍ଡ ୪ ମିନିଟ୍ ଭିତରେ ସେଥିମଧ୍ୟରୁ ଦୁଇଟି ଗୋଲ୍ ଶୁଝିବାକୁ ସକ୍ଷମ ହୋଇଥିଲା। ୫୦ ମିନିଟ୍ରେ ୱଜିକ ରୁତକାୱସ୍କି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରିବା ପରେ ୫୪ ମିନିଟ୍ରେ ରୋବାର୍ଟ ପାଓଲୋକ୍ ଏକ ଫିଲ୍ଡ ଗୋଲ୍ ଦେଇଥିଲେ। ଭାରତ ବି ସଞ୍ଜୟ ଓ ଅରାଇଜିତଙ୍କ ଗୋଲ୍ ବଳରେ ୮-୨ ଗୋଲ୍ରେ ମ୍ୟାଚ୍ ଏବଂ କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରି ନେଇଥିଲା। ସୁଦୀପଙ୍କ ସହ ସଞ୍ଜୟ ଓ ଅରାଇଜିତ ମଧ୍ୟ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ମ୍ୟାଚ୍ ପୂର୍ବରୁ ଭାରତୀୟ ବ୍ୟାଡମିଣ୍ଟନ୍ କିଂବଦନ୍ତି ପଦ୍ମଶ୍ରୀ ପୁଲେଲା ଗୋପୀଚାନ୍ଦ ଓ ମୁଖ୍ୟ ସୂଚନା କମିସନର, ଓଡ଼ିଶା ଜଳଦ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେହିଭଳି ପ୍ରମୁଖ ମହାଲେଖାକାର (ଅଡିଟ୍-୨), ଓଡ଼ିଶା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସୁଦୀପଙ୍କୁ ପୁରସ୍କୃତ କରିଥିଲେ।