ବନ୍ଧୁକଚାଳନା କନିଷ୍ଠ ବିଶ୍ୱକପ୍‌:ମନୁ-ଅନ୍‌ମୋଲ୍‌ଙ୍କୁ ସ୍ୱର୍ଣ୍ଣ, ଭାରତକୁ ୧୭ ପଦକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ସିଡ୍‌ନିରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ କନିଷ୍ଠ ବିଶ୍ୱକପ୍‌ରେ ମନୁ ଭାକେରଙ୍କ ପଦକ ଜିତିବାର ଧାରା ଲମ୍ବି ଚାଲିଛି। ବ୍ୟକ୍ତିଗତ ବର୍ଗରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମନୁ ମଙ୍ଗଳବାର ନିଜ ନାମରେ ଆଉ ଏକ ସ୍ୱର୍ଣ୍ଣିମ ସଫଳତା ଯୋଡ଼ିଛନ୍ତି। ଏଥର ଅନ୍‌ମୋଲ୍‌ ଜୈନ୍‌ଙ୍କୁ ସାଥୀ କରି ମନୁ ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ସ୍ୱର୍ଣ୍ଣ ପଦକ ହାତେଇ ନେଇଛନ୍ତି। ସବୁଠୁ ଅଧିକ ଯୋଗ୍ୟତାପର୍ଯ୍ୟାୟ ସ୍କୋର୍‌ ସାଙ୍ଗକୁ ନୂଆ ବିଶ୍ୱ କୀର୍ତିମାନ ସହ ମନୁ ଓ ଅନ୍‌ମୋଲ୍‌ ଫାଇନାଲ୍‌ ପ୍ରବେଶ କରିଥିଲେ। ଫାଇନାଲ୍‌ ଶେଷରେ ଏହି ଭାରତୀୟ ଯୋଡ଼ି ୪୭୮.୯ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ରହି ଦେଶ ପାଇଁ ସପ୍ତମ ସ୍ୱର୍ଣ୍ଣ ହାସଲ କରିଥିଲେ। ଅବଶ୍ୟ ମନୁ-ଅନ୍‌ମୋଲ୍‌ ଯୋଡ଼ି ମାତ୍ର ୧.୮ ପଏଣ୍ଟ୍‌ ପାଇଁ ବିଶ୍ୱ କୀର୍ତିମାନଠୁ ପଛରେ ରହିଯାଇଥିଲେ।

ଏହି ବର୍ଗରେ ଗୌରବ ରାଣା ଓ ମହିମା ତୁର୍‌ହି ଅଗ୍ରଓ୍ଵାଲ୍‌ (୩୭୦.୨ ପଏଣ୍ଟ୍‌) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ମିଶ୍ରିତ ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ୧୭ ବର୍ଷ ବୟସ୍କା ଶ୍ରେୟା ଅଗ୍ରଓ୍ଵାଲ୍‌ ଏବଂ ୧୯ ବର୍ଷ ବୟସ୍କ ଅର୍ଜୁନ ବବୁତା ତୃତୀୟ ସ୍ଥାନ (୪୩୨.୮ ପଏଣ୍ଟ୍‌)ରେ ଅଭିଯାନ ଶେଷ କରି ଭାରତ ପାଇଁ କାଂସ୍ୟ ପଦକ ଜିତିଥିଲେ। ହେଲେ ଅନ୍ୟତମ ଭାରତୀୟ ଯୋଡ଼ି ଇଲାଭେନିସ୍‌ ଭାଲାରିଭାନ୍‌ ଓ ତେଜାସ୍‌ କୃଷ୍ଣା ୩୯୮.୧ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ସେହିପରି ଗେନେମାତ୍‌ ସେଖୋନ୍‌ କନିଷ୍ଠ ମହିଳା ସ୍କିଟ୍‌ ବ୍ୟକ୍ତିଗତ ବର୍ଗରେ କାଂସ୍ୟ ଜିତିଥିଲେ।
ଏହା ପୂର୍ବରୁ ସୋମବାର ପୁରୁଷ ୨୫ ମିଟର ରାପିଡ୍‌ ପିସ୍ତଲରେ ୧୫ ବର୍ଷୀୟ ଅନିସ ଭନଓ୍ଵାଲ୍‌ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟ ଦୁଇ ଭାରତୀୟ ଖେଳାଳି ଆନଦ ଜଓ୍ଵାନ୍ଦା ଓ ରାଜକଁଓ୍ଵର୍‌ ସିଂହ ସାନ୍ଧୁ ଯଥାକ୍ରମେ ଚତୁର୍ଥ ସପ୍ତମରେ ରହି ଅଭିଯାନ ଶେଷ କରିଥିଲେ। ଦଳଗତ ପ୍ରତିଯୋଗିତାରେ ଭାରତ ରୌପ୍ୟ ଓ କାଂସ୍ୟ ପଦକ ଜିତି ନେଇଥିଲା ବେଳେ ଚୀନ୍‌ ସ୍ୱର୍ଣ୍ଣ ପାଇଥିଲା। ଅନିସଙ୍କ ସହ ଆନଦ ଏବଂ ଆଦର୍ଶ ସିଂହ ରୌପ୍ୟ ଜିତିଥିଲା ବେଳେ ସାନ୍ଧୁ, ଜାପତେସ ସିଂହ ଜସପାଲ ଓ ମନଦୀପ ସିଂହ କାଂସ୍ୟ ଜିତିଥିଲେ। ଭାରତ ଏହି ପ୍ରତିଯୋଗତାରେ ମଙ୍ଗଳବାର ସୁଦ୍ଧା ୭ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ କାଂସ୍ୟ ସହ ମୋଟ ୧୭ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହଥିଲା ବେଳେ ଚୀନ୍‌ ୮ ସ୍ୱର୍ଣ୍ଣ ସହ ମୋଟ ୨୧ ପଦକ ଜିତି ଶୀର୍ଷରେ ରହିଛି।

ସମ୍ବନ୍ଧିତ ଖବର