କନିଷ୍ଠ ମହିଳା ହକି: ଦକ୍ଷିଣ କୋରିଆକୁ ହରାଇ ସେମିରେ ଭାରତ

ପୋଚ‌ଷ୍ଟ୍ରୁମ୍‌: ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତୀୟ କନିଷ୍ଠ ମହିଳା ହକି ଦଳ ଏହି ଧାରା ବଜାୟ ରଖି ଏଠାରେ ଚାଲିଥିବା ବିଶ୍ବକପ୍‌ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୩-୦ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ଶେଷ ଥର ଲାଗି ୨୦୧୩ରେ ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତ ପ୍ରବେଶ କରିଥିଲା ଏବଂ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ଆଜିର ଗୁରୁତ୍ବପୂର୍ଣ୍ଣ କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ମୁମତାଜ ଖାନ (୧୧ ମିନିଟ୍‌), ଲାଲରିନ୍ଦିକି (୧୫ ମିନିଟ୍‌) ଓ ସଙ୍ଗୀତା କୁମାରୀ (୪୧ ମିନିଟ୍‌)ଙ୍କ ଗୋଲ୍‌ ଏବଂ ଗୋଲ୍‌ରକ୍ଷକ ବିଚୁଦେବୀ ଖାରିବାମ ଏବଂ ରକ୍ଷଣଭାଗର ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ଏହି ଏକପାଖିଆ ବିଜୟ ହାସଲ କରିଥିଲା। ମୁମତାଜ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ରବିବାର ସେମିଫାଇନାଲ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ। ଶୁକ୍ରବାରର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ରେ ନେଦରଲାଣ୍ଡ୍ସ ୫-୦‌ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲା।

ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜିତ ଭାରତ ଶୁକ୍ରବାର ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇ ଆରମ୍ଭରୁ ହିଁ ଆଧିପତ୍ୟ ବିସ୍ତାର କରି କୋରିଆ ସର୍କଲ ମଧ୍ୟରେ ଘନଘନ ଅକ୍ରମଣ କରିଥିଲା। ୧୧ତମ ମିନିଟ୍‌ରେ ପ୍ରଥମ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରି ନେଇଥିଲା। ଅଧିନାୟିକା ସାଲିମା ଟେଟେଙ୍କ ସ୍ଲାପ୍‌ ସଟ୍‌କୁ ମୁମତାଜ ଖାନ କୌଣସି ଭୁଲ୍‌ ନକରି ଗୋଲ୍‌ରେ ପରିଣତ କରିଦେଇ ଭାରତକୁ ୧-୦ରେ ଅଗ୍ରଣୀ ଦେଇଥିଲେ। ୧୫ତମ ମିନିଟ୍‌ରେ ଦୀପିକାଙ୍କ ସୁନ୍ଦର ପାସ୍‌କୁ ଲାଲରିନ୍ଦିକି ଗୋଲ୍‌ ‌ଦେଇ ଭାରତକୁ ପ୍ରଥମ କ୍ବାର୍ଟରରେ ୨-୦ରେ ଆଗରେ ରଖିଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ସଙ୍ଗୀତାଙ୍କ ଗୋଲ୍‌ରେ ବ୍ୟବଧାନ ୩-୦ ହୋଇଯାଇଥିଲା। ଚତୁର୍ଥ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବାରୁ ସେହି ୩-୦ରେ ଭାରତ ବିଜୟୀ ହୋଇଥିଲା। ଭ‌ାରତ ଏହି ମ୍ୟାଚ୍‌ରେ ୨୮ ଥର କୋରିଆ ସର୍କଲ ମଧ୍ୟରେ ପ୍ରବେଶ କରିଥିଲା ବେଳେ ଗୋଲ୍‌ ଲାଗି ୧୫ ସଟ୍‌ ମାରିଥିଲା।

ସମ୍ବନ୍ଧିତ ଖବର