କନିଷ୍ଠ ମହିଳା ହକି ବିଶ୍ବକପ୍‌: ଭାରତ-କୋରିଆ କ୍ବାର୍ଟର ମୁକାବିଲା ଆଜି

ପୋଚେ‌ଷ୍ଟ୍ରୁମ୍‌: ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଭାରତୀୟ କନିଷ୍ଠ ମହିଳା ହକି ଦଳ ଆସନ୍ତାକାଲି ଏଠାରେ ବିଶ୍ବକପ୍‌ କ୍ବାର୍ଟର ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ଭେଟିବ। ଏହି ପର୍ଯ୍ୟ‌ାୟ‌ରେ ୱେଲ୍‌ସକୁ ୫-୧, ଜମାନିକୁ ୨-୧ ଏବଂ ମାଲେସିଆକୁ ୪-୦ ଗୋଲ୍‌ରେ ପରାସ୍ତ କରି ଭାରତ ଅପରାଜେୟ ସହ ଦୃଢ଼ ଆତ୍ମବିଶ୍ବାସରେ ରହିଛି। ଏହି ଦଳ ପୁଲ୍‌-ଡି’ରେ ମୋଟ ଉପରେ ୧୧-୨ ଗୋଲ୍‌ ବ୍ୟବଧାନରେ ରହି ପ୍ରଥମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଫଳରେ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟ ଭାରତ ବିଜୟୀ ହେବାର ସମ୍ଭାବନା ରଖିଛି। ଭାରତଠୁ ନିମ୍ନ ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆ ଅନ୍ୟପକ୍ଷରେ ପୁଲ୍‌-ସି’ରେ ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଏହି ଦଳ ମାତ୍ର ୩ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ଗୋଲ୍‌ ବ୍ୟବଧାନରେ କ୍ବାର୍ଟର ଫାଇନାଲ୍‌ ଯୋଗ୍ୟତା ହାସଲ କରିଥିଲା। କୋରିଆ ଥିବା ଗ୍ରୁପ୍‌ରେ ଆର୍ଜେଣ୍ଟିନା (୯ ପଏଣ୍ଟ) ଶୀର୍ଷରେ ରହିଥିଲା ବେଳେ ଦକ୍ଷିଣ କୋରିଆ ସହ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଉଭୟ ଉରୁଗୁଏ ଏବଂ ଅଷ୍ଟ୍ରିଆ ଗୋଲ୍‌ ବ୍ୟବଧାନରେ ପଛରେ ପଡ଼ିଯାଇ କ୍ବାର୍ଟର ଫାଇନାଲ୍‌ରୁ ବାଦ୍‌ ପଡ଼ିଥିଲେ।

ଭାରତୀୟ ଦଳରେ ତିନି ଅଲିମ୍ପିଆନ (ଅଧିନାୟିକା ସାଲିମା ଟେଟେ, ଷ୍ଟ୍ରାଇକର ଶର୍ମିଳା ଦେବୀ ଓ ଲାଲରେମ୍‌ସିଆମି) ଥିବାରୁ ‌ସେମାନଙ୍କ ଅଭିଜ୍ଞତା କ୍ବାର୍ଟର ଫାଇନାଲ୍‌ରେ ଦକ୍ଷିଣ କୋରିଆ ବିପକ୍ଷରେ ଆଧିପତ୍ୟ ବିସ୍ତାର କରିବାର ସମ୍ଭାବନା ରଖିଛି। ଏହା ବ୍ୟତୀତ ଚଳିତ ବିଶ୍ବକପ୍‌ରେ ଯୁବା ଷ୍ଟ୍ରାଇକର ମୁମତାଜ ଖାନ୍‌ ଚମତ୍କାର ପ୍ରଦର୍ଶନ ଜରିଆରେ ଭାରତର ତାରକା ଖେଳାଳି ବନିଯାଇଛନ୍ତି। ମାଲେସିଆ ବିପକ୍ଷରେ ହ୍ୟାଟ୍ରିକ୍‌ ସହିତ ସେ ଚଳିତ ବିଶ୍ବକପ୍‌ରେ ୩ ମ୍ୟାଚ୍‌ରୁ ମୋଟ ୫ ଗୋଲ୍‌ କରିସାରିଛନ୍ତି। ମୁମତାଜଙ୍କ ବ୍ୟତୀତ ଉଭୟ ଲାଲରେମ୍‌ସିଆମି ଏବଂ ଲାଲରିନ୍ଦିକି ୨ ଲେଖାଏଁ ଗୋଲ୍‌ କରିଥିଲା ବେଳେ ସଂଗୀତା ଓ ଡ୍ରାଗ୍‌ଫ୍ଲିକର ଦୀପିକା ଗୋଟିଏ ଲେଖାଏଁ ଗୋଲ୍‌ କରିଛନ୍ତି। ଏହାସତ୍ତ୍ବେ ଦକ୍ଷିଣ କୋରିଆକୁ ହାଲ୍‌କା ଭାବେ ନେବେନି ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟିକା ସାଲିମା ଟେଟେ। ଆମ ନିକଟରେ ଗତିଶୀଳ ଖେଳାଳି ଅଛନ୍ତି। ଆମେ ଦକ୍ଷିଣ କୋରିଆକୁ ପରାସ୍ତ କରିବାକୁ ଚାହୁଁ। ମାତ୍ର କୋରିଆ ଏକ ଉନ୍ନତ ଦଳ। ସେଥିପାଇଁ ଆମକୁ ଦଳଗତ ଭାବେ ଲଢ଼େଇ କରିବାକୁ ପଡ଼ିବ ବୋଲି ଟେଟେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଭାରତ ୪ ଥର ବିଶ୍ବକପ୍‌ରେ ଅବତୀର୍ଣ୍ଣ ହୋଇଥିଲା ବେଳେ ୨୦୧୩ରେ ଜିତିଥିବା କାଂସ୍ୟ ପଦକ ହିଁ ଏପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ସଫଳତା ରହିଛି। ଆସନ୍ତାକାଲିର ଅନ୍ୟ ‌କ୍ବାର୍ଟର ଫାଇନାଲ୍‌ରେ ନେଦରଲାଣ୍ଡ୍‌ସ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର