କନିଷ୍ଠ ମହିଳା ହକି ବିଶ୍ବକପ୍: ଭାରତୀୟ ଦଳରେ ଜୀବନକିଶୋରୀ, ଆଜମିନା

ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାରେ ୧୬ ଦଳକୁ ନେଇ ଡିସେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା କନିଷ୍ଠ ମହିଳା ହକି ବିଶ୍ବକପ୍‌ରେ ଭାଗନେବ ୧୮ ଜଣିଆ ଭାରତୀୟ ଦଳ। ମିଜୋରାମର ଲାଲରେମସିଆମିଙ୍କ ନେତୃତ୍ବରେ ଗଠିତ ଏହି ଦଳରେ ଦୁଇ ଜଣ ଓଡ଼ିଆ ଝିଅ ଜୀବନକିଶୋରୀ ଟପ୍ପୋ ଓ ଆଜମିନା କୁଜୁର ସ୍ଥାନ ପାଇଛନ୍ତି। ଈଶିକା ଚୌଧୁରୀ ଦଳର ଉପଅଧିନାୟିକା ପଦ ପାଇଛନ୍ତି। ପ୍ରୀତି ଓ ପ୍ରଭଲିନ କୌର ସଂରକ୍ଷିତ ଖେଳାଳି ଅଛନ୍ତି। ୧୮ ଜଣିଆ ଦଳର କୌଣସି ଖେଳାଳି ଆହତ ହେଲେ ଏହି ଦୁଇ ଜଣ ଖେଳିବାର ସୁଯୋଗ ପାଇବେ। ଭାରତୀୟ ଦଳ ଏଥର ବହୁତ ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍ ଆଶାପ୍ରକାଶ କରିଛନ୍ତି। ଭାରତ ପୁଲ-ସିରେ ସ୍ଥାନ ପାଇଥିଲା ବେଳେ ଡିସେମ୍ବର ୬ ତାରିଖରେ ରୁଷିଆ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ।

୭ ତାରିଖରେ ଭାରତୀୟ ଦଳ ଗତଥର ବିଜେତା ଆର୍ଜେଣ୍ଟିନାକୁ ଭେଟିବ। ଏହା ପରେ ୯ ତାରିଖରେ ଜାପାନର ମୁକାବିଲା କରିବ। ଡିସେମ୍ବର ୧୦ରୁ ନକଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ। ୨୦୧୩ ମସିହାରେ ଜିତିଥିବା କାଂସ୍ୟ ପଦକ ବିଶ୍ବକପ୍‌ରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଆସିଛି। ଏଣୁ ଏଥର ଏହି ସଫଳତା ‌ଦୋହରାଇବା କିମ୍ବା ତାଠାରୁ ଭଲ କରିବା ଭାରତର ଲକ୍ଷ୍ୟ ହେବ। ଭାରତୀୟ ଦଳ: ବିଚୁ ଦେବୀ ଖରିବମ୍, ଖୁସବୁ, ଅକ୍ଷତା‌ ଅବାସୋ ଢେକାଲେ, ଈଶିକା ଚୌଧୁରୀ (ଉପଅଧିନୟିକା), ପ୍ରିୟଙ୍କା, ମାରିନା ଲାଲରମନଘାକି, ଆଜମିନା କୁଜୁର, ବଲଜିତ କୌର, ରିତ୍, ବୈଷ୍ଣବୀ ବିଠଲ ଫାଲକେ, ସଲିମା ଟେଟେ, ଲାଲରେମସିଆମି (ଅଧିନାୟିକା), ବିଉଟୀ ଡୁଙ୍ଗଡୁଙ୍ଗ, ଦୀପିକା, ମୁମତାଜ ଖାନ୍, ସଙ୍ଗୀତା କୁମାରୀ, ଜୀବନକିଶୋରୀ ଟପ୍ପୋ।

ସମ୍ବନ୍ଧିତ ଖବର