କନିଷ୍ଠ ମହିଳା ବିଶ୍ବକପ୍‌ ହକିରେ ୧୪ ଓଡ଼ିଆ

ରାଉରକେଲା: କନିଷ୍ଠ ମହିଳା ହକି ବିଶ୍ବ କପ୍‌ର ନବମ ସଂସ୍କରଣ ଦକ୍ଷିଣ ଆଫ୍ରିକାର ପଶ୍ଚଷ୍ଟ୍ରୁମ୍‌ ସହରରେ ଏପ୍ରିଲ୍‌‌ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଗତବର୍ଷ ଡିସେମ୍ବର ମାସରେ ହେବାର ଥିଲା। କିନ୍ତୁ କୋଭିଡ ମହାମାରୀ କାରଣରୁ ଏହାର ଆୟୋଜନକୁ ସ୍ଥଗିତ ରଖାଯାଇଥିଲା। ଏହି ପ୍ରତିଯୋଗିତା ପାଇଁ ଭାରତର ୨୦ ଜଣିଆ ଦଳର ଘୋଷଣା କରାଯାଇଛି। ଝାଡ଼ଖଣ୍ଡର ଅଲିମ୍ପିଆନ ସଲିମା ଟେଟେଙ୍କୁ ଦଳର ଅଧିନାୟିକା ଦାୟିତ୍ବ ଦିଆଯାଇଛି। ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ଆଜମିନା କୁଜୁର ଓ ଜୀବନକିଶୋରୀ ଟପ୍ପୋ ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ମନୋନୟନ ସହିତ ଏପର୍ଯ୍ୟନ୍ତ କନିଷ୍ଠ ମହିଳା ବିଶ୍ବ କପ୍‌ ହକିରେ ଖେଳିଥିବା ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ୧୯୮୯ରେ ୨୧ ବର୍ଷରୁ କମ୍ ବର୍ଗର ମହିଳାଙ୍କ ପାଇଁ ପ୍ରଥମ କନିଷ୍ଠ ବିଶ୍ବକପ୍‌ର ଆୟୋଜନ ଆରମ୍ଭ କରାଯାଇଥିଲା। ଏଯାଏ ହୋଇଥିବା ୮ଟି ସଂସ୍କରଣ ଭିତରୁ ଭାରତ କେବଳ ୪ଟିରେ ଅଂଶ ଗ୍ରହଣ କରିଛି। ୧୯୮୯‌ ଜୁଲାଇ ମାସରେ କାନାଡ଼ାରେ ଅନୁଷ୍ଠିତ ପ୍ରଥମ କନିଷ୍ଠ ମହିଳା ବିଶ୍ବ କପ୍‌ ହକିରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ, ସେଥିରେ ଭାରତ ନଥିଲା। ସେହିପରି ୧୯୯୩ରେ ସ୍ପେନ ଓ ୧୯୯୭ରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ପ୍ରତିଯୋଗିତାରେ ମଧ୍ୟ ଭାରତୀୟ ଦଳ ସାମିଲ ନଥିଲା। ତେବେ ୨୦୦୧ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁର୍ଥ କନିଷ୍ଠ ମହିଳା ବିଶ୍ୱକପ୍‌କୁ ଭାରତ ପ୍ରଥମ ଥର ପାଇଁ ଦଳ ପଠାଇଥିଲା। ସେଥର ଭାରତୀୟ ଦଳରେ ୫ ଜଣ ଓଡ଼ିଆ ଖେଳାଳି ଥିଲେ। କନିଷ୍ଠ ମହିଳା ବିଶ୍ବକପ ହକିରେ ଭାରତୀୟ ଦଳରେ ଏହା ହେଉଛି ସର୍ବାଧିକ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ୱ। ଦଳରେ ଥିଲେ ନିଳିମା କୁଜୁର, ଏଗ୍ନେସିୟା ଲୁଗୁନ, ଆନ୍ନାରୀତା କେର୍କେଟା, ଆଶ୍ରିତା ଟପୋ ଓ ସୁଭଦ୍ରା ପ୍ରଧାନ। ଉଲ୍ଲେଖଯୋଗ୍ୟ, ସେଥର ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ପି ମଧୁକରଣ ଥିଲେ। ଶ୍ରୀ ମଧୁକରଣ ସେତେବେଳେ ରାଉରକେଲାସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେଥର ଭାରତୀୟ ଦଳ ନବମ ସ୍ଥାନରେ ରହିଥିଲା।
୨୦୦୫ରେ ଚିଲିରେ ଅନୁଷ୍ଠିତ ପଞ୍ଚମ ସଂସ୍କରଣରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଥିଲେ। ସେମାନେ ଥିଲେ ସୁଭଦ୍ରା ପ୍ରଧାନ, ସରିତା ଲାକଡ଼ା ଓ ଅଞ୍ଜନା ବାର୍ଲା। ସେଥର ଭାରତ ଏକାଦଶ ସ୍ଥାନରେ ରହିଥିଲା। ୨୦୦୯ରେ ଆମେରିକାରେ ଅନୁଷ୍ଠିତ ଷଷ୍ଠ କନିଷ୍ଠ ମହିଳା ବିଶ୍ୱ କପକୁ ଯାଇଥିବା ଭାରତୀୟ ଦଳରେ ଥିଲେ ଓଡ଼ିଶାର ୨ ଜଣ ଖେଳାଳି- ସୁଲୋଚନା କିଷାନ ଓ ରୋଜଲିନ ଡୁଙ୍ଗଡୁଙ୍ଗ। ସେଥର ବି ଭାରତୀୟ ଦଳ ଖାଲି ହାତରେ ଫେରିଥିଲା।

କିନ୍ତୁ ୨୦୧୩ରେ ଜର୍ମାନୀରେ ଅନୁଷ୍ଠିତ ପରବର୍ତୀ ସଂସ୍କରଣରେ ଭାରତ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସୁଶୀଳା ଚାନୁଙ୍କ ନେତୃତ୍ୱରେ କାଂସ୍ୟ ପଦକ ଜିଣି ସମସ୍ତଙ୍କୁ ଚମତ୍କୃତ କରିଥିଲା। ଇତିହାସ ରଚିଥିବା ଏଇ ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସାମିଲ ଥିଲେ- ଦୀପଗ୍ରେସ ଏକ୍କା, ନମିତା ଟପୋ, ଲିଲିମା ମିଞ୍ଜ ଓ ଅନୁପା ବାର୍ଲା। ଅଗଷ୍ଟ ୪ ତାରିଖରେ କାଂସ୍ୟ ପଦକ ପାଇଁ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇଂଲଣ୍ଡକୁ ପେନାଲଟିରେ ୩-୨ ଗୋଲ୍‌ରେ ଭାରତ ପରାସ୍ତ କରିଥିଲା। ନିର୍ଧାରିତ ସମୟରେ ମ୍ୟାଚ ୧-୧ରେ ଅମିମାଂସିତ ରହିବାପରେ ପେନାଲଟି ସୁଟ୍ ଆଉଟ୍ ଜରିଆରେ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ହୋଇଥିଲା। ପ୍ରଥମ ୫ ପେନାଲଟିରେ ଉଭୟ ଦଳ ୧-୧ ଗୋଲ୍‌ ହିଁ କରିପାରିଥିଲେ। ଦ୍ବିତୀୟ ୫ ପେନାଲଟିରେ ଭାରତ ୨ଟି ଗୋଲ୍‌ କରିବାରେ ସମର୍ଥ ହୋଇଥିବା ବେଳେ ଇଂଲଣ୍ଡ ଗୋଟିଏ ଗୋଲ୍‌ କରିଥିଲା। ଦଳର ଉପଅଧିନାୟିକା ରାଣୀ ରାମପାଲ ଏହି ମ୍ୟାଚ୍‌ରେ ୩ଟି ଗୋଲ୍‌ କରିଥିଲେ। ତାଙ୍କୁ ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ତେବେ ୨୦୧୬ରେ ଚିଲିରେ ଅନୁଷ୍ଠିତ ପରବର୍ତୀ ସଂସ୍କରଣକୁ କିନ୍ତୁ ଭାରତ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା।

୨ଟି କନିଷ୍ଠ ମହିଳା ବିଶ୍ବକପ ଖେଳିଥିବା ସୁଭଦ୍ରା ପ୍ରଧାନ ‘ସମ୍ବାଦ’ ସହ କଥା ହେବା ବେଳେ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ୨ ଖେଳାଳିଙ୍କୁ ଶୁଭେଚ୍ଛା ଜଣେଇବା ସହ ଭାରତୀୟ ଦଳ ପାଇଁ ମଙ୍ଗଳକାମନା କରି କହିଛନ୍ତି ‘‘ମୁଁ ଆଶା କରୁଛି ଯେ ୨୦୧୩ ଭଳି ଏଥରେ ମଧ୍ୟ ଦଳ ପଦକ ଜିଣି ଫେରିବ’’। ଦଳରେ ଓଡ଼ିଶାର ଖେଳାଳିଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରି ସୁଭଦ୍ରା କହିଲେ ‘‘ରାଜ୍ୟରେ କ୍ରୀଡ଼ା, ବିଶେଷ କରି ହକି ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ହ୍ରାସ ପାଇବାରୁ ଦୁଃଖ ଲାଗୁଛି। ଜାତୀୟ ଦଳରେ ଆମ ଖେଳାଳିଙ୍କ ସଂଖ୍ୟା କେମିତି ବଢ଼ିବ, ତା’ ଉପରେ ଧ୍ୟାନ ଦେବା ଆବଶ୍ୟକ’’। ୮ ବର୍ଷ ପରେ ଭାରତ ପୁନର୍ବାର କନିଷ୍ଠ ମହିଳା ବିଶ୍ୱ କପରେ ଖେଳିବାର ସୁଯୋଗ ପାଇଛି। ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳର ଉଚ୍ଚମାନର ପ୍ରଦର୍ଶନ ପରେ ଲୋକଙ୍କ ଆଶା ବଢ଼ିଯାଇଛି। ଏଣୁ ଦଳ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିବ। କନିଷ୍ଠ ପୁରୁଷ ବିଶ୍ୱ କପରେ ଭାରତ ଚତୁର୍ଥ ସ୍ଥାନରେ ରହି ଥିଲା। ହକିପ୍ରେମୀମାନେ ନିଶ୍ଚିତ ଭାବେ ମହିଳା ଦଳଠାରୁ ପଦକ ଆଶା ରଖିବେ।

ସମ୍ବନ୍ଧିତ ଖବର