ଯୋଡ଼ା/କେନ୍ଦୁଝର: ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ସପ୍ତମ ବିଶ୍ୱ କନିଷ୍ଠ ଉଷୁ ପ୍ରତିଯୋଗିତାରେ ଯୋଡ଼ାର ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ସୁନାମ ଆଣିଛନ୍ତି। ଏହି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉପକନିଷ୍ଠ ବିଭାଗରେ ସେ ଏହି ପଦକ ପାଇଥିଲେ। କ୍ୱାର୍ଟର ଫାଇନାଲ୍ ଓ ସେମିଫାଇନାଲ୍ରେ ଯଥାକ୍ରମେ ପେରୁ ଓ ଇରାନ ପ୍ରତିଯୋଗୀଙ୍କୁ ମାତ୍ ଦେଇଥିଲେ। ରବିବାର ଫାଇନାଲ୍ରେ ଇଜିପ୍ଟର ପ୍ରତିଯୋଗୀଙ୍କଠୁ ପରାଜୟ ବରଣ କରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ଏହି ପ୍ରତିଯୋଗିତାରେ ଭାରତରୁ ୨୧ ଜଣ ଅଂଶଗ୍ରହଣ କରିଥିଲା ବେଳେ ୪ ରୌପ୍ୟ ଏବଂ ୫ କାଂସ୍ୟ ପଦକ ମିଳିଥିଲା।
କେନ୍ଦୁଝର ଜଲ୍ଲା ଯୋଡା ବ୍ଲକର ଦେଓଝର ଗ୍ରାମ ପଞ୍ଚାୟତ ସିଆଳିଯୋଡା ଗ୍ରାମର ବବୁଲୁ ବର୍ତ୍ତମାନ ବଡ଼ବିଲ୍ ସରକାରୀ ନୋଡାଲ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର।
ପଙ୍କଜ କୁମାର ମହାନ୍ତଙ୍କଠୁୁ ମାତ୍ର ୬ ବର୍ଷ ବୟସରୁ ସେ ଉଷୁ ପ୍ରଶିକ୍ଷଣ ନେଇଥିଲେ। ୨୦୧୧ରେ ରାଜ୍ୟସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ। ବ୍ରାଜିଲରେ ରୌପ୍ୟ ପଦକ ପାଇବା ପୂର୍ବରୁ ୧୨ କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ୭ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ ପଦକ ହାସଲ କରି ସାରିଛନ୍ତି। ସଫଳତା ପାଇଁ ବବୁଲୁଙ୍କୁ ଜେଏସ୍ପିଏଲ୍ ଫାଉଣ୍ଡେସନର ଉପାଧ୍ୟକ୍ଷା ଶାଲୁ ଜିନ୍ଦଲ ଅଭିନନ୍ଦନ ଜଣାଇଛନ୍ତି।