ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟ୍‌ରେ ଭାରତର ବିଜୟର ନାୟକ ପାଲଟିଥିବା ଧ୍ରୁବ ଜୁରେଲ୍‌ ମ୍ୟାଚ୍‌ ବିଜୟୀ ଖେଳ ଯୋଗୁଁ ଏବେ ସମସ୍ତ ଭାରତୀୟଙ୍କ ପସନ୍ଦର ଖେଳାଳି ପାଲଟି ଯାଇଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ୯୦ ଓ ଦ୍ବିତୀୟ ପାଳିରେ ୩୯* ରନ୍‌ କରି ଦଳକୁ ଜିତାଇଥିଲେ। ଯେଉଁଥିପାଇଁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହାବାଦ୍‌ ରାଜକୋଟ୍‌ରେ ଖେଳିଥିବା ପଦାର୍ପଣ ଟେଷ୍ଟ୍‌ରେ ସେ ୪୬ ରନ୍‌ ସଂଗ୍ରହ କରିଥିଲେ। କିନ୍ତୁ ଚତୁର୍ଥ ଟେଷ୍ଟ୍‌ ଶେଷ ହେବା ପରେ ଜୁରେଲ୍‌ ସାରା ରାତି ଅନିଦ୍ରା ରହିଥିଲେ ବୋଲି କହିଛନ୍ତି।

Advertisment

ଜୁରେଲ୍‌ କହିଛନ୍ତି, ମ୍ୟାଚ୍‌ର ଦ୍ବିତୀୟ ଦିନ ପରଠୁ ଆଉ ଶୋଇ ପାରିନାହିଁ। ପିଚ୍‌ରେ କିପରି ଅଧିକ ସମୟ ପର୍ଯ୍ୟନ୍ତ ଖେଳିପାରିବି, କେବଳ ସେହି ବିଷୟରେ ଚନ୍ତା କରୁଥିଲି। ଯେତେ ଅଧିକ ରନ୍‌ ‌ସ୍କୋର କରିପାରିବି, ପଶ୍ଚାତ୍‌ଧାବନ ସମୟରେ ଦଳକୁ ଛୋଟ ଲକ୍ଷ୍ୟ ହାସଲ କରିବାକୁ ସୁବିଧା ହୋଇପାରିବ। କିନ୍ତୁ ସବୁଠୁ ବଡ଼ ‌କଥା ହେଉଛି ତଳ ଭାଗରେ ବ୍ୟାଟିଂ ପାଇଁ ଆସୁଥିବା ବ୍ୟାଟର୍‌ଙ୍କ ଉପରେ ଭରସା ରଖିବା। ସେମାନଙ୍କର ବ୍ୟାଟିଂ ଉପରେ ନିଜନିଜର ଆତ୍ମବିଶ୍ବାସ ରହିବା ଉଚିତ ବୋଲି ଜୁରେଲ୍‌ କହିଛନ୍ତି। ଶେଷ ମ୍ୟାଚ୍‌ର ପ୍ରଥମ ପାଳିରେ କୁଲଦୀପ ଯାଦବଙ୍କ ସହ ମିଶି ଜୁରେଲ୍‌ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଗୋଟିଏ ସମୟରେ ଭାରତ ୧୭୭/୭ରେ ସଂଘର୍ଷ କରୁଥିଲାବେଳେ ଜୁରେଲ-କୁଲଦୀପ ଯୋଡ଼ି ଏହାକୁ ୨୧୯/୭ରେ ପହଞ୍ଚାଇଥିଲେ। କୁଲଦୀପ ୨୮ରନ୍‌ରେ ଆଉଟ୍‌ ହେବା ଯୋଗୁଁ ଇଂଲଣ୍ଡର ପ୍ରଥମ ପାଳି ସ୍କୋରଠୁ ୪୬ ରନ୍‌ ପଛରେ ଭାରତ ରହିଯାଇଥିଲା। ତଥାପି ଏହା ପରବର୍ତ୍ତୀ ସମୟରେ ଭାରତକୁ ଭଲ ସ‌ହାୟତା ଦେଇଥିଲା।

ନୂଆଦିଲ୍ଲୀ: ଆହତ ଯୋଗୁଁ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ଠୁ ବାହାରେ ଥିବା ୱିକେଟ୍‌ ରକ୍ଷକ ବ୍ୟାଟର୍‌ କେଏଲ୍‌ ରାହୁଲ ପଞ୍ଚମ ‌ମ୍ୟାଚ୍‌ରେ ଖେଳିବା ଆଶଙ୍କା ରହିଛି। ଧର୍ମଶାଳାରେ ଶୃଙ୍ଖଳାର ଶେଷ ମ୍ୟାଚ୍‌ ମାର୍ଚ୍ଚ ୭ ତାରିଖରୁ ଖେଳାଯିବ। ଯଦିଓ ବିସିସିଆଇ ତାଙ୍କୁ ୯୦ ପ୍ରତିଶତ ଫିଟ୍‌ ବୋଲି କହିଥିଲା କିନ୍ତୁ ଅଧିକ ଚିକତ୍ସା ପାଇଁ ରାହୁଲ୍‌ ଲଣ୍ଡନ୍ ଗସ୍ତ କରିଛନ୍ତି। ଭାରତ ଶୃଙ୍ଖଳା ଜିତିସାରିଥିବାରୁ ରାହୁଲ୍‌ଙ୍କ ବିନା ଘରୋଇ ଦଳ ପଞ୍ଚମ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେଉଛି। ରାହୁଲ୍‌ଙ୍କ ବଦଳରେ ରଜତ ପଟିଦାର ୱିକେଟ୍‌ କିପିଂ କରୁଛନ୍ତି। କିନ୍ତୁ ଲଗାତାର ଖରାପ ପ୍ରଦର୍ଶନ ଦେଉଥିବାରୁ ପଞ୍ଚମ ମ୍ୟାଚ୍‌ର ଏକାଦଶରେ ସେ ସ୍ଥାନ ପାଇବେ କି କାହିଁ ତାହା ସନ୍ଦେହ ଭିତରେ ଅଛି। ଧର୍ମଶାଳାରେ ଦେବୀଦତ୍ତ ପଡ଼ିକଲ୍‌ ଏହି ସ୍ଥାନ ନେଇପାରନ୍ତି ବୋଲି ଆକଳନ କରାଯାଉଛି।