କ୍ୱାର୍ଟର ଫାଇନାଲ୍‌ରେ ଜୁଭେନାଇଲ୍‌: ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍‌

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ଶନିବାର ମ୍ୟାଚ୍‌ରେ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରି କଟକର ଜୁଭେନାଇଲ କ୍ଲବ୍‌ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି।

ଟାଉନ୍‌ କ୍ଲବ୍‌ ପଡ଼ିଆରେ ଶନିବାର ଦ୍ୱିତୀୟ ଦିବସ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଜୁଭେନାଇଲ୍‌ ୫୦ ରନ୍‌ରେ ପ୍ରଗତିକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଜୁଭେନାଇଲ୍‌ ସୁବାସ ସିଂ (୮୪ ରନ୍‌, ୬୦ ବଲ୍‌)ଙ୍କ ଅର୍ଧଶତକ, ଗିରିଜା ମିଶ୍ରଙ୍କ ୨୧ ସାଙ୍ଗକୁ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ୪ ବଲ୍‌ରୁ ୨୦ ରନ୍‌ ସହାୟତାରେ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ କରିଥିଲା ୧୭୬ ରନ୍‌। ସୁବାସ ଓ ଗିରିଜା ତୃତୀୟ ଓ୍ଵିକେଟ୍‌ରେ ୭୬ ରନ୍‌ ଯୋଡ଼ିଥିଲେ। ପ୍ରଗତି ପକ୍ଷରୁ ନିଲ ହୋତା ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଅଚ୍ୟୁତାନନ୍ଦ ଦାସ (୪୫), ଅସିତ୍‌ ପଟ୍ଟନାୟକ (୧୬) ଓ ସମ୍ବିତ ହରିଚନ୍ଦନ (୧୭) କିଛି ସମୟ ଲଢ଼ିଥିଲେ ମଧ୍ୟ ପ୍ରଗତି ୫ ଓ୍ଵିକେଟ୍‌ ବିନିମୟରେ ୧୨୬ ରନ୍‌ କରିବାକୁ ସମର୍ଥ ହୋଇଥିଲା। ବିଜୟୀ ଜୁଭେନାଇଲ୍‌ ପକ୍ଷରୁ ସୁରଜ ସିଂହ, ପବିତ୍ର ରାଉତରାୟ, ପ୍ରସନ୍ନଜିତ୍‌ ସେଠୀ ଓ ମନୋଜ ଦାସ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ସୁବାସ ସିଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରଣଜୀ ତାରକା ବସନ୍ତ ମହାନ୍ତିଙ୍କଠାରୁ ଗ୍ରହଣ କରିଥିଲେ। ନିର୍ମଳ ମିଶ୍ର ଓ ପ୍ରଦୀପ ଜେନା ମ୍ୟାଚ୍‌ ପରିଚାଳନା କରିଥିଲେ। ରବିବାର ବିଶ୍ୱଭାରତୀ କ୍ଲବ୍‌ (କଟକ) ଓ ପାୟୋନିଅର୍‌ (ପୁରୀ) ମଧ୍ୟରେ ପ୍ରଥମ କ୍ୱାର୍ଟର ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର