ରାମେଶ୍ବର କପ୍‌ କ୍ବାର୍ଟରରେ ଜୁଭେନାଇଲ୍‌

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ରାମେଶ୍ବର କପ୍‌ କନିଷ୍ଠ (୧୯ ବର୍ଷରୁ କମ୍‌) କ୍ରିକେଟ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲରେ ପହଞ୍ଚିଯାଇଛି କଟକର ଜୁଭେନାଇଲ୍ କ୍ଲବ୍‌। ସୋମବାର ଅନୁଷ୍ଠିତ ଏକ ପ୍ରି-କ୍ବାର୍ଟର ଫାଇନାଲ୍ ମ୍ୟାଚ୍‌ରେ ଜୁଭେନାଇଲ୍ ଦଳ ୧୧ ରନ୍‌ରେ ଭୁବନେଶ୍ବରର ପାରାମାଉଣ୍ଟ୍ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ବିନିତ ମହାନ୍ତି (୩୧, ୧୮ ବଲ), ପଙ୍କଜ ସେନାପତି (୨୦, ୩୯ ବଲ)ଙ୍କ ବଳରେ ଜୁଭେନାଇଲ୍‌ ୨୭.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୦ ରନ୍ କରିଥିଲା। ପ୍ରତିପକ୍ଷର ସ୍ବୟଂ ସାର୍ଥକ ରାଉତରାୟ (୩/୫), ଆଶୁତୋଷ ନାୟକ (୨/୨୨) ପ୍ରଭାବୀ ବୋଲିଂ କରିଥିଲେ। ଜବାବରେ ଆୟୂଷ ଚୌଧୁରୀ (୩୮, ୩୮ ବଲ) ଏବଂ ଏମ୍ ଜ୍ଞାନେନ୍ଦ୍ର କୁମାରର (୨୮, ୯୪ ବଲ)ଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ବେ ପାରାମାଉଣ୍ଟ୍‌ ୩୬.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୯ ରନ୍ କରିଥିଲା। ସୁଧାଂଶୁ ସେନାପତି (୨/୮), ବି ବଜରଙ୍ଗୀ (୨/୯), ବିନିତ ମହାନ୍ତି (୨/୨୦) ଭଲ ବୋଲିଂ କରି ଦଳକୁ ରୋମାଞ୍ଚକ ବିଜୟ ଦେଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ବିନିତ ମହାନ୍ତି (୩୧, ୨/୨୦)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପୂର୍ବତନ ରଣଜୀ ଖେଳାଳି ତଥା ବିସିସିଆଇ ମ୍ୟାଚ୍‌ ରେଫରି ପ୍ରଶାନ୍ତ ମହାପାତ୍ର ଏବଂ ବର୍ତମାନର ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପରେଶ ପଟେଲ୍‌, ସାର୍ଥକ ଶିବା ମହାପାତ୍ର ଅମ୍ପାୟାର୍ ଥିଲେ। ବିଶ୍ବଜିତ୍ ମଲ୍ଲିକ, ମହେଶ ପ୍ରଧାନ ସ୍କୋରର୍ ଦାୟିତ୍ବ ତୁଲାଇଥିଲେ। ମଙ୍ଗଳବାର ଅନ୍ତିମ ପ୍ରିକ୍ବାର୍ଟରଫାଇନାଲ୍‌ ଦୁଇ କଟକ ଦଳ ୟୁନିଅନ୍‌ ସ୍ପୋର୍ଟିଂ ଓ ନିମପୁର କ୍ରିକେଟ କ୍ଲବ୍‌ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର