ଜୁଭେନାଇଲ୍‌ ଜିତିଲା ମହାରାଜା ଟ୍ରଫି

କଟକ: ଭୁବନେଶ୍ୱର ପାତ୍ରପଡାସ୍ଥିତ ମହାରାଜା କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ଶେଷ ହୋଇଥିବା ତୃତୀୟ ମହାରାଜା ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ କଟକର ଜୁଭେନାଇଲ୍‌ କ୍ଲବ୍‌ ବିଜେତା ହୋଇଛି। ଫାଇନାଲ୍‌ରେ ଜୁଭେନାଇଲ୍‌ ୭୩ ରନ୍‌ରେ ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଜୁଭେନାଇଲ୍‌ ନିର୍ଧାରିତ ୩୦ ଓଭରରେ ୬ ଓ୍ଵିକେଟ ହରାଇ ୨୧୨ ରନ୍‌ କରିଥିଲା। ମହମ୍ମଦ ଆକ୍ରମ ୫୨ ଓ ରାମଚନ୍ଦ୍ର ବେହେରା ୪୩ ରନ୍‌ କରିଥିଲେ। ଜବାବରେ ରାମେଶ୍ୱର ୨୩.୩ ଓଭରରେ ୧୩୯ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ବିଶ୍ୱଜିତ ଭୂୟାଁ ୫୪ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଜୁଭେନାଇଲ୍‌ର ରାମଚନ୍ଦ୍ର ବେହେରା ୪ ଓ୍ଵିକେଟ ଅକ୍ତିଆର କରିଥିଲେ। ମ୍ୟାଚକୁ ପ୍ରଦୀପ ଜେନା ଓ ଶରତ କୁମାର ସାହୁ ପରିଚାଳନା କରିଥିଲେ। ବିଜେତା ଦଳର ମହମ୍ମଦ ଆକ୍ରମ ମ୍ୟାଚର ଶ୍ରେଷ୍ଠ ଖେଳାଳି, ସିଦ୍ଧାନ୍ତ ଜେନା ପ୍ରତିଯୋଗିତାର ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଥିଲେ। ବିଜେତାକୁ ୨୦ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତାକୁ ୧୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସୂର୍ଯ୍ୟକାନ୍ତ ମିଶ୍ର, ରୋହନ ରାଜୁ ଓ କଳିଙ୍ଗ କେଶରୀ ସୁରଜୀତ ମଙ୍ଗରାଜ, ଜୟଦର୍ଶୀ ନାୟକ, ଅଶୋକ କୁମାର ମିଶ୍ର, ସ୍ମୃତିରଂଜନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଛୋଟରାୟ, ବିରଞ୍ଚି ନାରାୟଣ ମିଶ୍ର, ଜ୍ୟୋତି ରଂଜନ ଦାଶ, ସୁଧୀର ପଟ୍ଟନାୟକ, ସ୍ମୃତିରଂଜନ ମିଶ୍ର, ସୁଶାନ୍ତ କୁମାର ପଣ୍ଡା, ସଙ୍ଗୀତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର