ଜୁଭେନାଇଲ ଜିତିଲା ରା‌ମେଶ୍ବର କପ୍‌

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍ (୧୯ ବର୍ଷରୁ କମ) ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍‌ରେ କଟକର ଜୁଭେନାଇଲ୍‌ ଦଳ ୨ ୱିକେଟ୍‌ରେ ଆୟୋଜକ ରାମେଶ୍ବର ସ୍ପୋର୍ଟିଂକୁ ହରାଇ ବିଜେତା ହୋଇଛି। ଟସ୍‌ ହାରି ବ୍ୟାଟିଂ କରିଥିବା ରାମେଶ୍ବର ନିର୍ଧାରିତ ୪୦ ଓଭରରେ ୮ ୱିକେଟ୍‌ ହରାଇ ୨୨୦ ରନ୍‌ କରିଥିଲା। ପ୍ରକାଶ କୁମାର ବାରିକ (୬୨, ୪୯ ବଲ୍‌) ଅର୍ଧଶତକ ହାସଲ କରିଥିଲା ବେଳେ ମଣିତେଜ ମହାନ୍ତି ୩୫ ରନ୍‌ର ପାଳି ଖେଳିଥିଲେ। ଜୁଭେନାଇଲ୍‌ ପକ୍ଷରୁ ପଙ୍କଜ ସେନାପତି ୨/୩୨ ବୋଲିଂ ସଫଳତା ପାଇଥିଲେ। ଜବାବରେ ଜୁଭେନାଇଲ୍‌ ଦଳ ଅନିଲ ପରିଡ଼ା (୧୨୧*, ୧୦୮ ବଲ୍‌)ଙ୍କ ଅପରାଜିତ ଶତକ ଓ ଜାଭେଦ ଖାନଙ୍କ ୨୫ ରନ୍‌ ବଳରେ ୮ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ତୋଫାନ ଗୌଡ଼ଙ୍କ ୪/୨୭ ଓ ପ୍ରକାଶ କୁମାର ବାରିକଙ୍କ ୩/୪୪ ବୋଲିଂ ସଫଳତା ବେକାର ଯାଇଥିଲା। ଅନିଲ ପରିଡ଼ା ଫ‌ାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିନିତ ମହାନ୍ତି ଶ୍ରେ‌ଷ୍ଠ ବ୍ୟାଟ୍ସମ୍ୟାନ୍‌, ତୋଫାନ ଗୌଡ଼ ଶ୍ରେଷ୍ଠ ବୋଲର, କୃଷ୍ଣଚନ୍ଦ୍ର ବାରିକ ଶ୍ରେଷ୍ଠ ୱିକେଟ୍‌ରକ୍ଷକ ‌ଏବଂ ପ୍ରକାଶ କୁମାର ବାରିକଙ୍କୁ ଶ୍ରେଷ୍ଠ ଛକା ପୁରସ୍କାର ମିଳିଥିଲା। ବିଜତା ଓ ଉପବିଜେତା ଦଳ ଯଥାକ୍ରମେ ୧୫,୦୦୦ ଓ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ କ୍ଲବ୍‌ର ସଭାପତି ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଦୌଡ଼କୁଦ ସଂଘର ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ଅବସରପ୍ରାପ୍ତ ପୁଲିସ ପ୍ରଶାସନିକ ଅଧିକାରୀ ଅରୂପ ପଟ୍ଟନାୟକ, ଓଡ଼ିଶା କ୍ରିକେଟ୍‌ ସଂଘର ସିଇଓ ବିଦ୍ୟୁତ କୁମାର ନାୟକ, ରଂଜିତ ମହାପାତ୍ର, ରାଧାନାଥ ମହାପାତ୍ର, ରାଜେନ୍ଦ୍ର ସମର୍ଥା, ପ୍ରମୋଦ ମହାପାତ୍ର, ସୂର୍ଯ୍ୟକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କ୍ଲବ୍‌ର ରାଜ୍ୟ ଖେଳାଳି ରାଜେଶ ମହାନ୍ତି, ବିଶ୍ବଜିତ ଭୂୟାଁ, ବିଶ୍ବଜିତ ମଲ୍ଲିକ, ଆଶୁତୋଷ ସାହୁ, ସନ୍ତୋଷ କୁମାରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଦୀପକ ମଙ୍ଗରାଜ, ପରେଶ ପଟେଲ, ପ୍ରିୟବ୍ରତ ପ୍ରଧାନ, ଆଲୋକ ଦାସ, ପୁର୍ଣ୍ଣ ମହାରଣା, ତନ୍ମୟ ମହାପାତ୍ର, ରାଜେଶ ମହାପାତ୍ର, ଦିବ୍ୟରଂଜନ ବେହେରା, ସୂର୍ଯ୍ୟ ନାୟକ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର