ହାଇଦ୍ରାବାଦ : ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ଜ୍ବାଳା ଗୁଟ୍ଟା ଏବେ ଦକ୍ଷିଣୀ ଅଭିନେତା ବିଷ୍ଣୁ ବିଶାଳଙ୍କ ପ୍ରେମରେ ଉବୁଟୁବୁ। ଉଭୟ ପରସ୍ପରକୁ ଜୀବନଠାରୁ ମଧ୍ୟ ଅଧିକ ଭଲ ପାଉଛନ୍ତି। ବିଷ୍ଣୁଙ୍କ ସହ ପ୍ରେମ ସଂପର୍କ ଥିବା ଜ୍ବାଳା ଏକ ସାକ୍ଷାତକାର ଅବସରରେ ଖୋଲା ଖୋଲି ଭାବେ ସ୍ବୀକାର କରି ସାରିଛନ୍ତି। ବିଷ୍ଣୁ ମଧ୍ୟ ଜ୍ବାଳା ତାଙ୍କ ଜୀବନର ସବୁଠାରୁ ମହତ୍ବପୂର୍ଣ୍ଣ ମଣିଷ ବୋଲି କହିଛନ୍ତି। କିଛି ମାସର ପ୍ରେମ ସଂପର୍କ ପରେ ଉଭୟ ଚଳିତ ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯୋଜନା କରିଥିଲେ। ହେଲେ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନର ଗୃହାବଦ୍ଧ ଘୋଷଣା କରିବା ପରେ ସେମାନଙ୍କର ଏହି ଯୋଜନା ଫସର ଫାଟି ଯାଇଥିଲା। ଚଳିତ ମାସ ୧୪ ତାରିଖରେ ଗୃହାବଦ୍ଧ କାର୍ଯ୍ୟକାଳ ଶେଷ ହେବା ପରେ ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ୩୬ ବର୍ଷୀୟା ଜ୍ବାଳାଙ୍କର ଏହା ଦ୍ବିତୀୟ ବିବାହ ହେବ। ପୂର୍ବରୁ ସେ ସାଥୀ ଖେଳାଳି ଚେତନ ଆନନ୍ଦଙ୍କୁ ୨୦୦୫ ମସିହାରେ ବିବାହ କରିଥିଲେ। ହେଲେ ୨୦୧୧ରେ ଛାଡ଼ପତ୍ର ଦେଇ ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ। ନିଜ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇଁ ପରିଚିତ ଜ୍ବାଳାଙ୍କ ନାଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସହ ମଧ୍ୟ ଯୋଡ଼ା ହୋଇଥିଲା। ଏପରିକି ଆଝାର ତାଙ୍କୁ ଏକ ମର୍ସିଡିଜ୍ କାର୍ ଉପହାର ଦେଇଥିଲେ। ହେଲେ କଥା ଆଉ ଆଗକୁ ବଢ଼ି ନଥିଲା। ସେପଟେ ୩୫ ବର୍ଷୀୟ ବିଷ୍ଣୁ ୨୦୧୧ରେ ଅଭିନେତା କେ ନଟରାଜଙ୍କ ଝିଅ ତଥା କଲେଜ ସାଙ୍ଗ ରଜିନୀ ନଟରାଜଙ୍କୁ ବିବାହ କରିଥିଲେ। ତେବେ ୨୦୧୮ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଆର୍ଯ୍ୟନ ନାମରେ ତାଙ୍କର ପୁଅଟିଏ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/jwala-gutta.jpg)