ତୀରନ୍ଦାଜି ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଜ୍ୟୋତିଙ୍କ ଯାଦୁ: ଦୁଇଟି ରୌପ୍ୟ ଜିତିବାରେ ପ୍ରଥମ ଭାରତୀୟ

ୟାଙ୍କ୍‌ଟନ୍‌ (ଆମେରିକା): ତୀରନ୍ଦାଜି ବିଶ୍ବ ଚାମ୍ପିଅନ୍‌ସିପ୍‌ର କମ୍ପାଉଣ୍ଡ ବର୍ଗରେ ଭାରତୀୟ ମହିଳା ଦଳ ଏବଂ ମିଶ୍ରିତ ଯୋଡ଼ି ସ୍ବର୍ଣ୍ଣ ପଦକ ମୁକାବିଲା ହାରିଯିବାରୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଉଭୟ ସମାନ ପ୍ରତିଦ୍ବନ୍ଦ୍ବୀ କଲମ୍ବିଆ ନିକଟରୁ ହାରିଯାଇଛନ୍ତି। ଭାରତର ଏହି ୨ ରୌପ୍ୟ ପଦକରେ ଜ୍ୟୋତି ସୁରେଖା ଭେନମ୍‌ଙ୍କ ଅବଦାନ ରହିଥିଲା। ଗୋଟିଏ ବିଶ୍ବ ପ୍ରତିଯୋଗିତାରେ ୨ ରୌପ୍ୟ ପଦକ ଜିତିବାରେ ଜ୍ୟୋତି ପ୍ରଥମ ଭାରତୀୟ ବିବେଚିତ ହୋଇ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ସେ ମଧ୍ୟ ବିଶ୍ବ ଚାମ୍ପିଅନ୍‌ସିପ୍‌ ଇତିହାସରେ ଏକମାତ୍ର ଭାରତୀୟ ଭାବେ ତିନିଟି ଭିନ୍ନ ଇଭେଣ୍ଟରେ ପଦକ ଜିତିବାର ଗୌରବ ବହନ କରିଛନ୍ତି। ଏବେସୁଦ୍ଧା ଜ୍ୟୋତି ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ୫ ପଦକ ଜିତି ସାରିଲେଣି। ସେଥିରେ ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ ସାମିଲ ରହିଛି। ଏଠାରେ ଚଳିତ ପ୍ରତିଯୋଗିତାରେ ସେ ଜିତିଥିବା ୨ ରୌପ୍ୟ ବ୍ୟତୀତ ୨୦୧୯ରେ ୨ କାଂସ୍ୟ (କମ୍ପାଉଣ୍ଡ ମହିଳା ଦଳ ଓ କମ୍ପାଉଣ୍ଡ ବ୍ୟକ୍ତିଗତ) ଏବଂ ୨୦୧୭ରେ ଗୋଟିଏ ରୌପ୍ୟ (କମ୍ପାଉଣ୍ଡ ମହିଳା ଦଳ) ପଦକ ଜିତିଥିଲେ। ପୁଣି କମ୍ପାଉଣ୍ଡ ମହିଳା ଦଳ ମୋଟ ୩ ବିଶ୍ବ ପଦକ ଜିତିଥିଲା ବେଳେ ଚଳିତ ପ୍ରତିଯୋଗିତାରେ ପ୍ରଥମ ଥିଲା। ଏହା ପୂର୍ବରୁ କମ୍ପାଉଣ୍ଡ ଦଳ ୨୦୧୭ରେ ରୌପ୍ୟ ଏବଂ ୨୦୧୯ରେ କାଂସ୍ୟ ଜିତିଥିଲା। ଫଳରେ ଗତ ତିନି ସଂସ୍କରଣ ଧରି ଭାରତ ଏହି ଇଭେଣ୍ଟରୁ ଲଗାତାର ପଦକ ଅମଳ କରିଚାଲିଛି। ଅନ୍ୟପକ୍ଷରେ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଭାରତ ମୋଟ ଜିତିଥିବା ୧୦ ପଦକ ମଧ୍ୟରୁ କେବଳ କମ୍ପାଉଣ୍ଡ ଇଭେଣ୍ଟରୁ ହିଁ ୬ ଜିତିଛି। ସେଥିରେ ଜ୍ୟୋତିଙ୍କ ଅବଦାନ ୫ ରହିଛି।

ଚଳିତ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଶୁକ୍ରବାର ଭାରତର ତାରକା ମିଶ୍ରିତ ଯୋଡ଼ି ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନମ୍‌ ରୌପ୍ୟ ଜିତିଛନ୍ତି। ରୢାଙ୍କିଙ୍ଗ୍‌ ରାଉଣ୍ଡରେ ଚତୁର୍ଥ ସ୍ଥାନରେ ରହିଥିବା ଏହି ଯୋଡ଼ି ଫାଇନାଲ୍‌ରେ କଲମ୍ବିଆର ଆଧିପତ୍ୟ ଆଗରେ ହାର୍‌ ମାନିଥିଲେ। ଏକ ସମୟରେ ୧ ପଏଣ୍ଟର ଅଗ୍ରଣୀ ପାଇଥିବା ସତ୍ତ୍ବେ ଶେଷରେ ୪ ପଏଣ୍ଟ (୧୫୦-୧୫୪) ବ୍ୟବଧାନରେ ହାରିଯାଇଥିଲେ। ଅନ୍ୟପକ୍ଷରେ ଜ୍ୟୋତି, ମୁସ୍‌କାନ କିରାର ଓ ପ୍ରିୟା ଗୁର୍‌ଜାରଙ୍କୁ ନେଇ ଗଠିତ ସପ୍ତମ ମାନ୍ୟତାପ୍ରାପ୍ତ ମହିଳା ଦଳ ଫାଇନ‌ାଲ୍‌ରେ ୫ ପଏଣ୍ଟ (୨୨୪-୨୨୯) ବ୍ୟବଧାନରେ ହାରି ସ୍ବର୍ଣ୍ଣ ପଦକରୁ ବଞ୍ଚିତ ରହିଥିଲା। ଏହି ଦୁଇଟି ପଦକ ବ୍ୟତୀତ ଭାରତ ମଧ୍ୟ ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରୁ ୩ ପଦକ ଦୌଡ଼ରେ ରହିଛି। ଅଭିଷେକ ଓ ଜ୍ୟୋତି କ୍ବାର୍ଟର ଫାଇନାଲ୍‌ ପହଞ୍ଚିଥିଲା ବେଳେ ରିକର୍ଭ ପ୍ରତିଯୋଗିତାରେ ଏକମାତ୍ର ଭାରତୀୟ ଭାବେ ଦୌଡ଼ରେ ସାମିଲ ଥିବା ଅଙ୍କିତା ଭକତ୍‌ କ୍ବାର୍ଟର ଫାଇନାଲ୍‌ ଖେଳିବେ।

ସମ୍ବନ୍ଧିତ ଖବର