‘କେଏଲ୍ ରାହୁଲ୍‌ ୩୬୦ ଡିଗ୍ରି ବ୍ୟାଟର୍‌’

ମୁମ୍ବାଇ: କ୍ରିକେଟର୍‌ ମୌଳିକ ସଟ୍‌ ତଥା ଟେକ୍ଟବୁକ୍‌ ଷ୍ଟ୍ରୋକ୍‌ ଖେଳି ଉନ୍ନତ ପ୍ରଦର୍ଶନ କରୁଥିବା କେଏଲ୍ ରାହୁଲଙ୍କୁ ପ୍ରଶଂସାରେ ପୋତିଛନ୍ତି ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର।‌ କୌଣସି ସୃଜନଶୀଳ ସଟ୍‌ର ଉଦ୍ଭାବନ ବିନା ରାହୁଲ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିପାରୁଛନ୍ତି। ‘ରାହୁଲ ଚମତ୍କାର ଖେଳୁଛନ୍ତି। ତାଙ୍କ ବ୍ୟାଟିଂର ସବୁଠୁ ଭଲ ଦିଗଟି‌ ହେଉଛି ସେ କୌଣସି କ୍ରିକେଟିଂ ସଟ୍‌ରେ ପରିବର୍ତନ କରି ଖେଳନ୍ତି ନାହିଁ। ତାଙ୍କର ପ୍ରତିଟି ସଟ୍‌ ଟେକ୍ଟବୁକ୍ ଷ୍ଟ୍ରୋକ୍‌। ସେ ଏହା ପ୍ରମାଣିତ କରି ଦେଇଛନ୍ତି ଯେ ‌ପ୍ରଚୁର ରନ୍‌ ପାଇଁ କୌଣସି ନୂତନତ୍ବର ଆବଶ୍ୟକତା ନାହିଁ। ତୁମ ପାଖରେ ସଟ୍‌‌ ଖେଳିବା ଦକ୍ଷତା ଥିଲେ, ଏହାକୁ ବ୍ୟବହାର କରି ରନ୍‌ ସଂଗ୍ରହ କରିହେବ।’ ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ୍ ପିଟରସନ୍‌ ମଧ୍ୟ ରାହୁଲଙ୍କ ଦକ୍ଷତାରେ ଶତ ମୁଖ ହୋଇଛନ୍ତି।

‘ରାହୁଲଙ୍କ ବାହୁରେ ବିବିଧ ସଟ୍ ରହିଛି। ସେ ବ୍ୟାକ୍‌ଫୁଟ୍‌ ପଏଣ୍ଟ ଉପରେ ଖେଳି ପାରନ୍ତି, ସ୍ଲାଇସ୍‌ କରି ଛକା ମାରିପାରନ୍ତି, ଏକ୍ସଟ୍ରା କଭର୍‌ ଉପରେ ବି ସଟ୍‌ ଖେଳନ୍ତି, କିଜ୍‌ ଛାଡ଼ି ଆଗକୁ ଆସି ବଟ୍ ସଟ୍ ହିଟ୍ କରିପାରନ୍ତି, ସେ ମଧ୍ୟ ବୋଲରଙ୍କୁ ମିଡ୍ ୱିକେଟ୍‌ ଉପରେ ଛକା ମାରିପାରନ୍ତି’ ବୋଲି ପିଟରସନ୍‌ ପ୍ରକାଶ କରିଥିଲେ। ‌ରାହୁଲ ବାସ୍ତବରେ ଜଣେ ୩୬୦ ଡିଗ୍ରି ବ୍ୟାଟର୍‌। ତାଙ୍କ ବ୍ୟାଟିଂ ସତେଜତା ଭରିଦିଏ, ଆପଣ ଟିଭି ସୁଇଚ୍ ଅନ୍ କରି ଦିନତମାମ ତାଙ୍କ ବ୍ୟାଟିଂ ଦେଖିପାରିବେ’ ବୋଲି ପିଟରସନ୍‌ ପ୍ରକାଶ କରିଥିଲେ। ରାହୁଲ ମଧ୍ୟ ମ୍ୟାଚ୍‌ ସ୍ଥିତିକୁ ନେଇ ବ୍ୟାଟିଂ କରିପାରନ୍ତି ବୋଲି କହିଥିଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର୍‌ ଇର୍ଫାନ୍ ପଠାନ୍‌।

ସମ୍ବନ୍ଧିତ ଖବର