ପ୍ରାଦେଶିକ ଜନଜାତି କ୍ରୀଡ଼ା ୭ରୁ: କବାଡ଼ି, ତୀରନ୍ଦାଜିରେ ହେବ ପ୍ରତିଯୋଗିତା

ଭୁବନେଶ୍ବର: ବନବାସୀ କଲ୍ୟାଣ ଆଶ୍ରମ ଆନୁକୂଲ୍ୟରେ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନ ଧରି ୨୨ତମ ପ୍ରାଦେଶିକ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଭୁବନେଶ୍ବର ନିଳାଦ୍ରୀ ବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହେବ। ଉଭୟ କନିଷ୍ଠ ଓ ଉପକନିଷ୍ଠ ବର୍ଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୨୨ ଜିଲ୍ଲାରୁ ପ୍ରାୟ ୪୦୦ (ବାଳିକା ଓ ବାଳକ) ପ୍ରତିଯୋଗୀ ଭାଗ ନେବାର ସମ୍ଭାବନା ରହିଛି। କବାଡ଼ି ଓ ତୀରନ୍ଦାଜିରେ ଖେଳାଳିମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନେ ଡିସେମ୍ବର ୨୬ରୁ କାନପୁରଠାରେ ଆରମ୍ଭ ହେବାକୁ ଥିବା ଅଖିଳ ଭାରତୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ଲାଗି ଚୟନ ହେବେ। ପୂର୍ବରୁ ଏହି ପ୍ରତିଯୋଗିତାରୁ ବହୁ ପ୍ରତିଭା ସାଇ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ବୋଲି ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବନବାସୀ କଲ୍ୟାଣ ଆଶ୍ରମର ପ୍ରାଦେଶିକ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ମିଶ୍ର। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ସଂଯୋଜକ ତଥା ମହାନଗର ସଭାପତି ଶୁଭ୍ରାଂଶୁ ପଟ୍ଟନାୟକ, ପ୍ରାଦେଶିକ ସଂଗଠନ ସମ୍ପାଦକ ବିଶ୍ବାମିତ୍ର ମହାନ୍ତ, ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶ ଏବଂ ଅୟୋଜନ ସମିତିର ସୁରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର