ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ

ଉଦ୍‌ଘାଟନୀ ମ୍ୟାଚ୍‌ ଜିତିଲା ମହାରାଷ୍ଟ୍ର

ଯୋକଡ଼ିଆ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଖଣ୍ଡିତରଠାରେ ୬୩ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ବୁଧବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ମହାରାଷ୍ଟ୍ର ୩୩-୨୨ ପଏଣ୍ଟ୍‌ରେ ଛତିଶଗଡ଼କୁ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ଓଡ଼ିଶାର ୯ ଦଳ ଓ ରାଜ୍ୟ ବାହାରୁ ୧୨ ଦଳ ଅଂଶ ଗ୍ରହଣ କରିଛନ୍ତି। ସେହିପରି ରାଜ୍ୟର ୬ ମହିଳା ଦଳ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ଯାଜପୁର କବାଡ଼ି ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉଦ୍‌ଘାଟନ କରିବା ସହିତ ଖେଳାଳିମାନଙ୍କୁ ଶପଥ ପାଠ କରାଇଥିଲେ। ଯାଜପୁର ସଂଘ ଉପସଭାପତି ନିଗମାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ସମ୍ମାନିତ ଅତିଥି ଭାବେ ରସୁଲପୁର ତହସିଲ୍‌ଦାର ପ୍ରତାପ ଚନ୍ଦ୍ର ରାଉତ, ରସୁଲପୁର ପଞ୍ଚାୟତର ସରପଞ୍ଚ ଗୋଲକ ପଣ୍ଡା ଯୋଗଦେଇଥିଲେ। ସଂଘର ସହସମ୍ପାଦକ ସମରେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର ପୃଷ୍ଟି ବିବରଣୀ ପାଠ କରିଥିଲେ। ପ୍ରମୋଦ ଦାଶଙ୍କ ସଂଯୋଜନାରେ ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ଖଣ୍ଡିତର ସାଇ ସଂଗଠନର ସଦସ୍ୟାମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ସଂଘର ଉପସଭାପତି ସନ୍ତୋଷ କୁମାର ପୃଷ୍ଟି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର