ନାଟ୍‌ୱେଷ୍ଟ ବିଜୟକୁ କୈଫ୍‌ଙ୍କ ରୋମନ୍ଥନ ‘ଯୁବିଙ୍କ ଆଉଟ୍ ପରେ ଭାଙ୍ଗି ପଡ଼ିଥିଲି’

ଭାଷ୍ୟକାର ହେବାକୁ ଆଗ୍ରହ ନାହିଁ: ଯୁବି

ନୂଆଦିଲ୍ଲୀ: ୨୦୦୨ ମସିହାର ନାଟୱେଷ୍ଟ୍‌ ଶୃଙ୍ଖଳା ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତ ୩୨୬ ରନ୍‌ ଲକ୍ଷ୍ୟକୁ ହାସଲ କରିଥିଲା। ଏହି ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ଯୁବରାଜ ସିଂହ ଏବଂ ମହମ୍ମଦ କୈଫ। ଏହା ପରେ ଲର୍ଡସ ବାଲକୋନିରୁ ଅଧିନାୟକ ସୌରଭ ଗାଙ୍ଗୁଲି ନିଜ ଜର୍ସି ଖୋଲି ଉଡାଇବାର ଦୃଶ୍ୟ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଢେର ସ୍ମରଣୀୟ ରହିଛି। ‌ମଙ୍ଗଳବାର କିନ୍ତୁ କୈଫ କହିଥିଲେ, ଯୁବରାଜ ଆଉଟ୍ ହେବା ପରେ ମୁଁ ଭାଙ୍ଗିପଡିଥିଲି, ଭାବିଥିଲି ଭାରତ ହାରିଯିବ। ‘ଯୁବରାଜଙ୍କ ଆଉଟ୍ ବେଳେ ମୁଁ ଭାବିଥିଲି ମ୍ୟାଚ୍ ହାତରୁ ଚାଲିଗଲା। ତଥାପି ଭାବିଥିଲି ଶେଷ ପର୍ଯ୍ୟନ୍ତ ରହିଲେ ନିଶ୍ଚିତ ଭାରତ ଜିତିଯିବ’ ବୋଲି ଭାବବିହ୍ବଳ କୈଫ ପ୍ରକାଶ କରିଥିଲେ। ଯୁବରାଜଙ୍କ ପ୍ରଶଂସା କରି କୈଫ ମଧ୍ୟ ଆଇସିସି କନିଷ୍ଠ ବିଶ୍ବକପ୍‌ରେ ଯୁବରାଜଙ୍କ ଅଷ୍ଟ୍ରେଲିଆ ବିପକ୍ଷ ୨୫ ବଲ୍‌ ୫୮ ରନ୍‌, ୨୦୦୭ ବିଶ୍ବକପ୍‌ରେ ୬ ଛକା ଆଦି ସ୍ମରଣୀୟ ପାଳିକୁ ମନେ ପକାଇଥିଲେ।
ସୂଚନାଯୋଗ୍ୟ, ନାଟୱେଷ୍ଟ୍‌ ଫାଇନାଲରେ ଭାରତ ୩୨୬ ରନ୍‌କୁ ପିଛା କରୁଥିବା ବେଳେ ୧୪୬/୫ରେ ସଂଘର୍ଷ କରିଥିଲା। ୪୨ତମ ଓଭରରେ ଯୁବରାଜ ୬୯ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ଭାରତ ଆହୁରି ୫୯ ରନ୍ ଦୂରରେ ଥିଲା। କୈଫ କିନ୍ତୁ ୮୭* ରନ୍ ପାଳି ଖେଳି ଭାରତକୁ ୪ ୱିକେଟ୍‌ରେ ରୋମାଞ୍ଚକ ବିଜୟ ଦେଇଥିଲେ। କୈଫ ଏହି ଅବସରରେ ମଧ୍ୟ କହିଥିଲେ, ‘କୌଣସି ଗୋଟିଏ ବିଭାଗରେ ଶ୍ରେଷ୍ଠ ହେବା ଲାଗି ମୁଁ ମଧ୍ୟ ‌କ୍ଷେତ୍ରରକ୍ଷଣ ଉପରେ ଏକାଗ୍ରତା ରଖିଥାଏ’।

ନୂଆଦିଲ୍ଲୀ: କ୍ରିକେଟ୍‌ରୁ ଅବସର ନେଇ ସାରିଥିବା ଯୁବରାଜ ସିଂହ ଭାଷ୍ୟକାର ହେବାକୁ ଚେଷ୍ଟା କରିବେ ବୋଲି ପୂର୍ବରୁ କହିଥିଲେ ମଧ୍ୟ ‌ମଙ୍ଗଳବାର ମନା କରି ଦେଇଛନ୍ତି। ଏହି ବୃତ୍ତି ପ୍ରତି‌ ମୋର ଆଗ୍ରହ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ମହମ୍ମଦ ‌କୈଫଙ୍କ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍ କାର୍ଯ୍ୟକ୍ରମ ଅବସରରେ ଯୁବି ଏହା ପ୍ରକାଶ କରିଛନ୍ତି। ଭାଷ୍ୟକାର ବକ୍ସରେ ବସୁଥିବା କିଛି ଲୋକଙ୍କୁ ମୁଁ ସହି ପାରିବି ନାହିଁ। ଏତେ ସମୟ ବସି କ୍ରିକେଟ୍ ଆଲୋଚନା କରିବା ଲାଗି ମୋ ନିକଟରେ ମଧ୍ୟ ଏତେ ଧୈର୍ଯ୍ୟ ନାହିଁ। ଅବଶ୍ୟ ସୁଯୋଗ ଆସିଲେ ମୁଁ ନିଶ୍ଚିତ କରିବ‌ି କିନ୍ତୁ କେବଳ ଆଇସିସି ଇଭେଣ୍ଟ୍‌ ଗୁଡିକରେ (ଟି-୨୦ ଓ ଦିନିକିଆ ବିଶ୍ବକପ୍‌) ଭାଷ୍ୟକାରିତା କରିପାରିବି’ ବୋଲି ଯୁବରାଜ ପ୍ରକାଶ କରିଛନ୍ତି। ଭାଷ୍ୟକାରମାନେ ବେଳେବେଳେ ଯୁବ ଖେଳାଳିଙ୍କୁ ସମାଲୋଚନା କଲେ ମୁଁ ଏହାକୁ ବୁଝିପାରେ ନାହିଁ। କେବଳ ଏଇଥି ପାଇଁ ମୁଁ ଭାଷ୍ୟକାର ହେବାକୁ ଚା‌ହେଁ ନାହିଁ। ଏହା କେବେ ମୋ ପୂର୍ଣ୍ଣକାଳୀନ କାର୍ଯ୍ୟ ହୋଇପାରିବ ନାହିଁ। ୨୫-୩୦ ବର୍ଷ ଧରି କ୍ରିକେଟ୍ ଖେଳିଛି। ଏବେ ବିରତି ନେଇଛି, ଅବସରର କିଛି ବର୍ଷ ପରେ ମୁଁ କିଛି କରିବାର ଯୋଜନା କରିବି’ ବୋଲି ଶେଷରେ ଯୁବରାଜ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର